ଶିକ୍ଷକ ନିଯୁକ୍ତି ଦାବିରେ ଓଏଭି ସ୍କୁଲରେ ତାଲା

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଡିସେମ୍ବର ଗୁରୁବାରକଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ +୨ ପାଇଁ ଶିକ୍ଷକ ନିଯୁକ୍ତି ଦାବିରେ ବୁଧବାର ସ୍କୁଲରେ ତାଲା ପକାଇ ଫାଟକ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ l ଦୀର୍ଘ ୩ ଘଣ୍ଟା ଧରି ଧାରଣାରେ ବସି ଶିକ୍ଷକ ନିଯୁକ୍ତି ଦାବୀ ସ୍ଲୋଗାନ ଦେଇଥିଲେ l ଧାରଣା ସ୍ଥଳରେ ବିଡ଼ିଓ ପ୍ରସନ୍ନ କୁମାର ପଟେଲ, ବିଇଓ ହରିଶଙ୍କର ବାଗ ପହଂଚି ଦାବୀ ପ୍ରସଙ୍ଗରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ l ଆନ୍ଦୋଳନକାରୀ ମାନଙ୍କ ସହ ଅଧିକାରୀ ମାନଙ୍କ ଦୀର୍ଘ ୨ ଘଣ୍ଟା ଧରି ଅନେକ ତର୍କ ବିତର୍କ ହୋଇଥିଲା l ବିଡ଼ିଓ ଏବଂ ବିଇଓ ଉପରିସ୍ଥ ଅଧିକାରୀ ମାନଙ୍କ ସହ ଫୋନରେ ଯୋଗାଯୋଗ କରି ସମାଧାନର ରାସ୍ତା ବାହାର କରିଥିଲେ l

ଅବସରପ୍ରାପ୍ତ ବିଇଓ ମୋହନ ସୁନ୍ଦର ପଣ୍ଡା ଆଲୋଚନାରେ ସାମିଲ ରହି ସହଯୋଗ କରିଥିଲେ l ସରକାରଙ୍କ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆସନ୍ତା ଫେବୃଆରୀ ମାସକୁ ଥିବା ବେଳେ ନୂତନ ଶିକ୍ଷକ ସ୍ଥାୟୀ ନିଯୁକ୍ତି ସମ୍ଭବ ହୋଇ ପାରିନଥିଲା l ଏଣୁ ଯୋଗ୍ୟତା ଏବଂ ଅଭିଜ୍ଞତା ଥିବା ପ୍ରାଥମିକ ସ୍ତରର ଶିକ୍ଷକ ମାନଙ୍କ ଏକ ତାଲିକା କରି ୫ ଜଣଙ୍କୁ ଅସ୍ଥାୟୀ ଭାବେ ନିୟୋଜିତ ରହି ପାଠପଢାଇବାକୁ ସ୍ଥିରୀକୃତ ହୋଇଥିଲା l ସ୍କୁଲ ଆରମ୍ଭରୁ ଜଣେ ହେଲେ ମହିଳା କର୍ମଚାରୀ ନ ଥିବାରୁ ଏହି ପରିପ୍ରେକ୍ଷୀରେ ଜଣେ ମହିଳା ଶିକ୍ଷୟତ୍ରୀଙ୍କୁ ମଧ୍ୟ ନିୟୋଜିତ ରହିବାକୁ କୁହାଗଲା l ଆସନ୍ତାକାଲି ଠାରୁ ପ୍ରସ୍ତାବିତ ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲରେ ଯୋଗଦେଇ ପାଠ ପଢ଼ାଇବେ l ଅଧିକାରୀ ମାନେ ଏଭଳି ଚୂଡାନ୍ତ ପ୍ରତିଶୃତି ଦେବାପରେ ଆନ୍ଦୋଳନରୁ ସମସ୍ତେ ଓହରି ଯାଇଥିଲେ l

ପ୍ରକାଶ ଯେ ଚଳିତ ବର୍ଷ କଲମପୁର ଓଏଭି ରେ +୨ କୁ ଉନ୍ନୀତ ହୋଇଥିଲା l ସେହି ସ୍କୁଲର ୩୮ ଜଣ ନାମ ଲେଖାଇଥିଲେ l ଗତ ଅକ୍ଟୋବର ୨୩ ରୁ ପାଠ ପଢା ମଧ୍ୟ ଆରମ୍ଭ ହେଲା l କିନ୍ତୁ ଜଣକ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା l ଜଣେ ଶିକ୍ଷକରେ ପାଠପଢା ବାଧାପ୍ରାପ୍ତ ହେଲା l ଏ ସକାଶେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ରାଜ୍ୟ ବିଭାଗୀୟ ଅଧିକାରୀଙ୍କୁ ସ୍କୁଲ ପ୍ରିନ୍ସପାଲ ମାଧ୍ୟମରେ ଅକ୍ଟୋବର ମାସରେ ଦାବୀ କରିଥିଲେ l କିନ୍ତୁ ଅକ୍ଟୋବର ଶେଷ ସୁଦ୍ଧା ଡେପୁଟେସନରେ ଶିକ୍ଷକ ଯୋଗାଇ ଦେବାକୁ ପ୍ରତିଶୃତି ମିଳିଲା l ପରିତାପର ବିଷୟ ପ୍ରତିଶୃତିର ଦେଢ଼ ମାସ ବିତିଯାଇଥିଲେ ମଧ୍ୟ କୌଣସି ନିଯୁକ୍ତି ନୋହିଲା l ପରିଶେଷରେ ଅତିଷ୍ଠ ହୋଇ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ l

ପ୍ରତିଶୃତି ମୁତାବକ ପଦକ୍ଷେପ ନନେଲେ ଆନ୍ଦୋଳନ ପୁଣି ଥରେ ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି l ପୂର୍ବତନ ସମିତି ଅଧ୍ୟକ୍ଷ ବିପିନ ପ୍ରଧାନୀ ସମେତ ଅଞ୍ଚଳର ଅନେକ ଶିକ୍ଷାବିତ, ବୁଦ୍ଧିଜୀବୀ ଏବଂ କଂଗ୍ରେସ କର୍ମୀମାନେ ମଧ୍ୟ ସମର୍ଥନରେ ଆସିଥିଲେ l ଆନ୍ଦୋଳନ ସ୍ଥଳରେ କଲମପୁର ଫାଣ୍ଡି ଅଧିକାରୀ ଅଶୋକ କୁମାର ପ୍ରଧାନ, କନଷ୍ଟେବଳ ଚକାଡୋଳା ବାଗ, ପଣ୍ଡା ବାବୁ ସମସ୍ତେ ଉପସ୍ଥିତ ରହିଥିଲେ l ଆନ୍ଦୋଳନରେ ସ୍କୁଲ ଛାତ୍ରଛାତ୍ରୀ ରିତୁ ପ୍ରିୟା ସ୍ୱାଇଁ, ଅର୍ପିତା ବେମାଳ, ରୀତିକା ଜଗରିଆ, ବିଳାସିନୀ ଛତ୍ରିଆ, ମିନାକ୍ଷୀ ନିଆଲ, ଆଶିଷ ନାଏକ, ବିମଲ କୁମାର ପାତ୍ର, ସାହିଲ ପଣ୍ଡା, କୁଲଦୀପ ଖମାରୀ, ଓମ ପ୍ରକାଶ ନାଏକ, ସମ୍ବିତ ମୁଣ୍ଡ, କମଳାକାନ୍ତ ନାଏକ ପ୍ରମୁଖ ନେତୃତ୍ୱ ନେଇଥିଲେ l

Exit mobile version