ଓଡ଼ିଶା ତାଜା ନ୍ୟୁଜ୍ (୧୩ ଡିସେମ୍ବର ସୋମବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍ୱାଇ) କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏଥପାଇଁ ଶୁକ୍ରବାର ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ପ୍ରାଣୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଭର୍ଚୁଆଲ ଯୋଗେ ନିର୍ବାଚନମଣ୍ଡଳୀର ନେତାଙ୍କୁ ନେଇ ଏକ ବୈଠକ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ଜିଲ୍ଲାରେ ୯ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ୟ୍ୟକ୍ରମ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା ପରେ ନୟାଗଡ଼ ନିର୍ବାଚନମଣ୍ଡଳୀର ୪୯ଟି ସ୍ଥାନରେ ୫ ଦିନ ବ୍ୟାପୀ କାର୍ଡ ବଣ୍ଟନ କରାଯିବା ନେଇ ମନ୍ତ୍ରୀ ଡ. ସାହୁ ସୂଚନା ଦେଇଛନ୍ତି । ନୟାଗଡ଼ ଓ ଓଡ଼ଗାଁ ବ୍ଲକର ୪୭ଟି ପଞ୍ଚାୟତ ସମେତ ନୟାଗଡ଼ ପୌର ପରିଷଦ ଓ ଓଡ଼ଗାଁ ଏନ୍ଏସିରେ କାର୍ଡ ବଣ୍ଟନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଆସନ୍ତା ୧୪ରୁ ଏହି କାର୍ୟ୍ୟକ୍ରମ ଆରମ୍ଭ ହୋଇ ୨୦ ତାରିଖ କ୍ରିଦାଶପୁର ପଞ୍ଚାୟତଠାରେ ଶେଷ ହେବ ବୋଲି ସୂଚନା ମିଳିଛି । ପଞ୍ଚାୟତସ୍ତରରେ ଆୟୋଜିତ କାର୍ଡ ବଣ୍ଟନ ସହ ବହୁ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ହେବ ବୋଲି ଜଣାଯାଇଛି । ନୟାଗଡ଼ ନିର୍ବାଚନମଣ୍ଡଳୀ ବ୍ୟତୀତ ରଣପୁର, ଖଣ୍ଡପଡ଼ା ଓ ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ମଧ୍ୟ କାର୍ଡ ବଣ୍ଟନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।
