ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ଆଜି : ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ୧୫ ପ୍ଲାଟୁନ୍ ଫୋର୍ସ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଡିସେମ୍ବର ସୋମବାର କଟକ :- ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ କାର‌୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି ବାଲିଯାତ୍ରା ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଏସ୍‌କେଓ୍ବାଇ ସ୍ମାର୍ଟ କାର୍ଡ ଓ ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟକ୍ରମର ଲୋକାର୍ପଣ କରିବାକୁ ଥିବାବେଳେ ପୁଲିସ ଏବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛି । ମମିତା ମେହେର ମାମଲାରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଅଣ୍ଡା ମାଡ଼ କରିବାର ଆଶଙ୍କା ରହିଛି । ପୁରୀ ଭଳି ଅଣ୍ଡା ମାଡ଼ ସ୍ଥିତି ଯେଭଳି କଟକରେ ସୃଷ୍ଟି ନହୁଏ, ସେଥିପାଇଁ ସତର୍କ ନଜର ରଖାଯାଇଛି । ଏଥିପାଇଁ ସାରା ବାଲିଯାତ୍ରା ପଡ଼ିଆରେ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ଜଣାପଡ଼ିଛି ।

କଟକ କମିସନରେଟ୍ ପୁଲିସ ପୁରା ସୁରକ୍ଷା ବ୍ୟବସ୍ଥାରେ ମୋଟ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ । ଏହାସହିତ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବାକୁ ଏଡିସିପି ଓ ଏସିପି ପାହ୍ୟାର ୧୦ ଅଫିସରଙ୍କୁ ନିୟୋଜିତ କରାଯିବ । ତାଙ୍କୁ ସହଯୋଗ କରିବେ ୧୦୦ ପୁଲିସ ଅଫିସର । ଏମାନେ ହେଉଛନ୍ତି ଏସଆଇରୁ ଏଏସଆଇ ପାହ୍ୟାର ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ହେଲକପ୍ଟରେ ଗସ୍ତକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଉପର ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଛି । ଆଜି ଦିନ ପ୍ରାୟ ୧୦ଟା ୪୫ରେ ମୁଖ୍ୟମନ୍ତ୍ରୀ ହେଲପ୍ୟାଡ୍‌ରେ ଓହ୍ଲାଇବେ । ସେଠୁ ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ପହଞ୍ଚିବେ । ୧୧ଟା ୧୭ରେ କାର‌୍ୟ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ପୁଣି ଅସ୍ଥାୟୀ ହେଲପ୍ୟାଡ୍‌କୁ ଫେରିଯିବେ । ସେଠାରେ ହେଲିକପ୍ଟର୍‌ରେ ମୁଖ୍ୟମନ୍ତ୍ରୀ ଫେରିଯିବାର କାର‌୍ୟ୍ୟକ୍ରମ ରହିଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ସକାଳ ପ୍ରାୟ ୯ଟା ପରଠାରୁ ମାତାମଠ, ଚହଟା, କ୍ୟାଣ୍ଟନ୍‌ମେଣ୍ଟ ରୋଡ୍‌, ଚଣ୍ଡୀମନ୍ଦିର ଛକ ଓ ବିଜୁ ପଟ୍ଟନାୟକ ଛକ ଆଖପାଖ ଅଞ୍ଚଳରେ ଯାନବାହନ ଚଳାଚଳ ଉପରେ ତୀକ୍ଷ୍ଣ ନଜର ରଖିଯିବ । ସେଥିପାଇଁ କଡ଼ା ନଜର ରଖାଯିବ ରବିବାର ଦିନ ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିସିପି ପ୍ରତୀକ ସିଂହ ବାରବାଟି ଷ୍ଟାଡିୟମ୍‌ରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ କରିଥିଲେ । ଏହି ବୈଠକରେ ସମସ୍ତ ଜୋନ୍ ଏସିପି ଓ ଥାନା ଆଇଆଇସିମାନେ ଉପସ୍ଥିତ ଥିଲେ ।

Exit mobile version