ନିର୍ବାଚନ ପୂର୍ବରୁ ଚାଲିଲା ଦଳଡିଆଁ ନୀତି : ବିଜେଡିରେ ସାମିଲ ହେଲେ ପ୍ରଫୁଲ୍ଲ ମାଝୀ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) ଭୁବନେଶ୍ୱର :- ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କ°ଗ୍ରେସ ଦଳ ଛାଡ଼ିଲା ପରେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ମିଶ୍ରଣ ପର୍ବରେ ବହୁ ସମର୍ଥକଙ୍କ ସହ ଯୋଗଦେଲେ ତଳସରାର ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ,ବିଧାୟକ ପ୍ରତାପ ଦେବ, ପ୍ରତିରଂଜନ ଘଡେଇଙ୍କ ଉପସ୍ଥିତିରେ ସେ ବିଜୁ ଜନତା ଦଳରେ ମିଶିଛନ୍ତି । ସାଙ୍ଗଠନିକ ସମ୍ପାଦକ ଦଳକୁ ସ୍ବାଗତ କରିବା ସହ ପଞ୍ଚାୟତ ନିର୍ବାଚନରେ ଦଳ କିଭଳି ଭଲ ଫଳାଫଳ କରିବ ସେନେଇ ସମସ୍ତେ କାମ କରିବାକୁ ଆହ୍ବାନ ଦେଇଥିଲେ ।‌

ବିଜୁ ଜନତା ଦଳରେ ଯୋଗଦେବା ପରେ ପ୍ରଫୁଲ୍ଲ କହିଛନ୍ତି, ‘ଆଜି ମୋ ପାଇଁ ସ୍ମୃତିର ଦିନ । ତଳସରା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡଥିଲା । ଦଳ ଛାଡିବା ସିଦ୍ଧାନ୍ତ ମୋର ଏକା ନଥିଲା । ମୋ ସହଯୋଗୀଙ୍କ ନିଷ୍ପତ୍ତି ଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛୁ । କଂଗ୍ରେସ ଏକ ମୁଣ୍ଡ ବୀହିନ ପାର୍ଟି ହୋଇଛି । ବରିଷ୍ଠଙ୍କୁ ଅଣଦେଖା କରାଯାଉଛି । ସେଭଳି ଦଳରେ ରହି ଲୋକଙ୍କ ସେବା କରିବା ସମ୍ଭବ ହେଲାନି । ନବୀନ ପଟ୍ଟନାୟକଙ୍କ ଭଳି ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଓଡ଼ିଶାକୁ ମିଳିବନି । ଆଦିବାସୀମାନଙ୍କ ବିକାଶ ସହ ସୁନ୍ଦରଗଡ ଜିଲ୍ଲା ଏବଂ ରାଜ୍ୟର ବିକାଶ ନେଇ କାମ କରିବୁ । ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ କାମ କରିବି ।

ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭଲପାଏ । ସେ ବି ମୋତେ ଭଲ ପାଆନ୍ତି । ସମସ୍ତେ ଶୄଙ୍ଖଳାର ସହ କାମ କରିବୁ। ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ କରିବ । ଆମେ ସମସ୍ତେ କାମରେ ଦେଖାଇବୁ । ଉଲ୍ଲେଖଯୋଗ୍ୟ ଯେ, ତଳସରାରୁ କଂଗ୍ରେସର ପୂର୍ବତନ ବିଧାୟକ ଥିଲେ । କଂଗ୍ରେସର ଟାଣୁଆ ଆଦିବାସୀ ନେତା ଥିଲେ ପ୍ରଫୁଲ୍ଲ ମାଝୀ । ତଳସରା ନିର୍ବାଚନମଣ୍ଡଳୀରୁ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିଲେ ପ୍ରଫୁଲ୍ଲ ମାଝୀ । ୨୦୦୬ରେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା । ୨୦୦୬ ଉପନିର୍ବାଚନରେ ପ୍ରଫୁଲ୍ଲ ମାଝୀ ତଳସରାରୁ ବିଜୟୀ ହୋଇଥିଲେ । ଏହାପରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ରେ ହାରିଯାଇଥିଲେ ପ୍ରଫୁଲ୍ଲ ମାଝୀ ।

Exit mobile version