ଶର୍ମାଙ୍କ ସହ ଆମର ନୁହେଁ, ତମର ସମ୍ପର୍କ : ବିଜେପି
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଡିସେମ୍ବର ବୁଧବାର ) ଭୁବନେଶ୍ୱର :- ମମିତା ମେହେର ତଥ୍ୟର ଖୁଲାସା କରିଛି ବିଜେଡ଼ି । ଦଳର ବରିଷ୍ଠ ବିଧାୟକ ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସମସ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ କରି ବିଜେପି ଉପରେ ବର୍ଷିଛନ୍ତି । ମମିତା ମେହେର ହତ୍ୟାକାରୀ ଗୋବିନ୍ଦ ସାହୁ ସହ ସମ୍ପର୍କର ଦ୍ୱାହି ଦେଇ ବିଜେପି ,ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଧରିଛନ୍ତି । ବିଧାନସଭା ଭିତରେ ଓ ବାହାରେ ତମ୍ବିତୋଫାନ ଜାରି ରଖିଛନ୍ତି । ଅଥଚ ସେହି ବିଜେପିର ଜଣାଶୁଣା ସ୍ଥାନୀୟ ନେତା ମୋହନ ଲାଲ ଶର୍ମା ଗୋବିନ୍ଦ ସାହୁଙ୍କୁ ସତୀ ଚଉରା ଦର୍ଶାଇ କୋର୍ଟରେ ଓକିଲାତି କରୁଛନ୍ତି ।
ତଥ୍ୟ ହେଉଛି, ମମିତା ମେହେର ଜଘନ୍ୟ ହତ୍ୟା ମାମଲାରେ ଗୋବିନ୍ଦ ସାହୁର ଓକିଲ ସାଜିଥିବା ମୋହନ ଲାଲ ଶର୍ମା କଣ୍ଟାବାଞ୍ଜିରେ ବିଜେପିର ଜଣେ ଜଣାଶୁଣା ଚେହେରା । ବିଜେପିର ଜନସମ୍ପର୍କ ଯାତ୍ରାଠୁ ଆରମ୍ଭ କରି ବିଭିନ୍ନ ଦଳୀୟ କାର୍ୟ୍ୟକ୍ରମରେ ତାଙ୍କର ବିଶେଷ ଭାଗିଦାରିତା ରହି ଆସିଛି । ଗତ ସାଧାରଣ ନିର୍ବାଚନରେ କଣ୍ଟାବାଞ୍ଜିରୁ ସେ ବିଜେପି ପ୍ରାର୍ଥୀ ଦୌଡ଼ରେ ଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କର ସେ ଘନିଷ୍ଠ ।
ବିଜେପିର ଏହି ସକ୍ରିୟ ନେତାଙ୍କୁ ଜହ୍ଲାଦ ଗୋବିନ୍ଦ ସାହୁର ରକ୍ଷାକର୍ତ୍ତା ଭାବେ ନିୟୋଜିତ କରାଯିବା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଥିବା ଶ୍ରୀ ଦେବ ଅଭିଯୋଗ କରିଛନ୍ତି । ଗୋଟେ ପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ କରୁଥିବା ବିଜେପି ସେନେଇ କୌଣସି ପ୍ରମାଣ ଦେଇପାରୁ ନ ଥିବା ବେଳେ ଅଭିଯୁକ୍ତ ଗୋବିନ୍ଦକୁ ଫାଶୀଦଣ୍ଡରୁ ରକ୍ଷା କରିବାକୁ ପ୍ରମାଣ ଯୋଗାଡ କରୁଛି ଏବଂ ତଦନ୍ତକୁ ଦିଗହରା କରିବାର ଅପଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
ପୂର୍ବରୁ ନୟାଗଡ଼ ପରୀ ହତ୍ୟା ମାମଲାରେ ମଧ୍ୟ ବିଜେପି ନେତାମାନେ ଏହି ଭଳି ହୀନ ରାଜନୀତି କରିଥିବା ବିଜେଡ଼ି ନେତା ଦର୍ଶାଇଛନ୍ତି । ଏସଆଇଟି ତଦନ୍ତରୁ ଅଭିଯୁକ୍ତ ଧରା ପଡ଼ିଯିବା ପରେ ହାଇକୋର୍ଟ ତଦନ୍ତରେ ସନ୍ତୋଷ ପ୍ରକାଶ କରିଥିଲେ । ମାତ୍ର ରାଜନୈତିକ ପତିଆରା ପାଇଁ ଅଭିଯୁକ୍ତକୁ ବଞ୍ଚାଇବାକୁ କୋର୍ଟରେ ବଡ଼ ଓକିଲଙ୍କୁ ନିଯୁକ୍ତି ଦିଆଯାଇଥିଲା । ଶବ ଉପରେ ବିଜେପିର ଏହି ହୀନ ରାଜନୀତି ପଦାରେ ପଡ଼ିଗଲାଣି । ବିଜେପି ଏହି ପାପ କେଉଁଠି ଧୋଇବ ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଖଣ୍ଡନ କରାଯାଇଛି । ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଗୋବିନ୍ଦ ସାହୁର ଓକିଲ ଶର୍ମାଙ୍କ ସହ ଆମର କିଛି ସମ୍ପର୍କ ନାହିଁ । ତାଙ୍କୁ ବିଜେପିରେ କୌଣସି ପଦପଦବୀ ଦିଆଯାଇନାହିଁ । ବିଜେଡ଼ି ସହ ଶର୍ମାଙ୍କର ଘନିଷ୍ଠ ସମ୍ପର୍କ ଥିବା ସେ ପାଲଟା ଅଭିଯୋଗ କରିଛନ୍ତି । ମଜ୍ଜା କଥା ହେଉଛି ସାମ୍ବାଦିକ ସମ୍ମିଳନୀକୁ ଶ୍ରୀ ମହାଲିଙ୍ଗ ଭଲ ଭାବେ ପ୍ରସ୍ତୁତ ହୋଇ ଆସି ନ ଥିବା ଧରାପଡ଼ିଯାଇଥିଲେ । ମୋହନ ଲାଲ ଶର୍ମାଙ୍କ ନାଁକୁ ସେ ବାରମ୍ବାର ମନୋହର ଲାଲ ଶର୍ମା କହୁଥିଲା ବେଳେ ଭୁଲ ଭାଲ୍ ଫଟୋ ଦେଖାଉଥିଲେ । ସାମ୍ବାଦିକମାନଙ୍କୁ ଏହା କ୍ଷୁବ୍ଧ କରିଥିଲା ।
