ଓଡ଼ିଶା ତାଜା ନ୍ୟୁଜ୍ (୦୮ ଡିସେମ୍ବର ବୁଧବାର ) ଭୂବନେଶ୍ୱର :- ବହୁଚର୍ଚ୍ଚିତା ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ୨ ମାସରୁ ଉର୍ଦ୍ଧ୍ୱ ସମୟ ବିତିଗଲାଣି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ତଥା ମୁଖ୍ୟ ଷଡଯନ୍ତ୍ରକାରୀ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛନ୍ତି । ଦିବ୍ୟଶଂକରଙ୍କୁ ନିଜ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ନକରି ତଦନ୍ତ ପ୍ରକ୍ରିୟାର ବାଟ ଓଗାଳି ମିମିତାକୁ ନ୍ୟାୟ ଦେବାରେ ବାଧକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ରାଜ୍ୟବ୍ୟାପୀ ଜନଅସନ୍ତୋଷ ପ୍ରତିଫଳିତ ହୋଇଛି ।
ସେହିପରି ରାଜ୍ୟରେ ଚାଷୀକୁଳର ଅସନ୍ତୋଷ ବୃଦ୍ଧି ପାଇଚାଲିଛି । ରାଜ୍ୟବାସୀଙ୍କ ଭାବନାକୁ ଅଣଦେଖା କରିବା ସହିତ ନିଜ ଦୋଷକୁ ଲୁଚାଇବା ପାଇଁ ଶାସକ ବିଜେଡି ତରଫରୁ ଭିନ୍ନ ଭିନ୍ନ ଅପପ୍ରୟାସ କରାଯାଉଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି । ବାତ୍ୟାଜନିତ ଅଦିନିଆ ବର୍ଷା କାରଣରୁ ଭୟଙ୍କତ ପରିସ୍ଥିତି ସୃଷ୍ଟି ହୋଇଛି । ଧାନ, ପନିପରିବା ଆଦି ଶସ୍ୟ ନଷ୍ଟ ହେବା କାରଣରୁ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛି । ରାଜ୍ୟ ସରକାର କ୍ଷତିପୁରଣ ଦେବା ପାଇଁ ନା କୈାଣସି ଘୋଷଣା କରିଛନ୍ତି ନା କୈାଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ।
ନଭେମ୍ବର ୧ ତାରିଖରୁ ରାଜ୍ୟରେ ସମସ୍ତ ଧାନ ମଣ୍ଡି ଖୋଲା ଯିବାର ପ୍ରାବଧାନ ଥିବା ସତ୍ୱେ ବର୍ତମାନ ସୁଦ୍ଧା ୮୦ ପ୍ରତିଶତ ଧାନ ମଣ୍ଡି ଖୋଲି ନାହିଁ । ଟୋକନ ଲାପ୍ସ ହେବାକୁ ବସିଲାଣି । ମଣ୍ଡି ନ ଖୋଲିବାରୁ ମିଲର୍ସମାନେ ଚାଷୀମାନଙ୍କୁ ଶୋଷଣ କରି ଧାନ କି୍ୱଂଟାଲ ପ୍ରତି ୧୦୦୦-୧୨୦୦ ଟଙ୍କାରେ କିଣୁଛନ୍ତି । ଅରୁଆ-ଉଷୁନା କଥା କହି ଚାଷୀଙ୍କଠାରୁ ୧୦-୧୨ କେଜି କଟନୀ ଛଟନୀ କରାଯାଉଛି । ବସ୍ତା, ସୁତୁଲି, ପରିବହନ ପାଇଁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ଅର୍ଥକୁ ଲୁଟ୍ କରାଯାଉଛି । ଗତ ୧୦ ବର୍ଷରେ ୨୨୦୦ କୋଟିରୁ ଉର୍ଦ୍ଧ ଟଙ୍କା ଲୁଟ୍ କରାଯାଇଛି ।
ଚାଷୀ ଅସନ୍ତୋଷରୁ ବର୍ତିବା ପାଇଁ ଅରୁଆ-ଉଷୁନାକୁ ପ୍ରସଙ୍ଗ କରି ମିଲର୍ସମାନଙ୍କ ଦଲାଲୀ ପାଇଁ ଶାସକ ବିଜେଡି ନେତାମାନେ ଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି । ଆବଶ୍ୟକୀୟ ଭିତିଭୁମି ଯୋଗାଇ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ କିଣିବା ପାଇଁ ରାଜ୍ୟ ସରକାର ବିହୀତ ପଦକ୍ଷେପ ଗ୍ରହଣ କରନ୍ତୁ । ଚାଷୀମାନେ ଅଭାବୀ ବିକ୍ରୀର ଶିକାର, କଟନୀ-ଛଟନୀର ଶିକାର, ମିଲରଙ୍କ ଶିକାର ହେବାରୁ ରୋକିବାକୁ ଠୋସ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ସେହିପରି ଚାଷୀମାନେ ସେମାନଙ୍କ କଷ୍ଟ ଉପାର୍ଜିତ ସମସ୍ତ ଧାନକୁ ଯେପରି ଧାର୍ଯ୍ୟ ଏମଏସପି ମୁଲ୍ୟ କ୍ୱିଂଟାଲ ପ୍ରତି ୧୯୪୦ ଟଙ୍କାରେ ବିକ୍ରି କରିପାରିବେ, ତାର ତଦାରଖ କରିବା ସହିତ ସୁନିଶ୍ଚିତ କରିବା ମଧ୍ୟ ରାଜ୍ୟ ସରକାରଙ୍କ ଦାୟୀତ୍ୱ ।
କେନ୍ଦ୍ରରେ ମୋଦି ସରକାର ରାଜ୍ୟର ଚାଷୀକୁଳ ପ୍ରତି ଯଥେଷ୍ଟ ସମ୍ବେଦନ ଅଛନ୍ତି । ନିଜ ମୁଣ୍ଡ ଉପରୁ ଦୋଷ ଖସାଇଦେଇ ରାଜ୍ୟ ସରକାର ପୁଣି ଥରେ କେନ୍ଦ୍ରକୁ କହିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ଦେଶର କୃଷକଙ୍କ କଲ୍ୟାଣ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରତିଶୃତିବଦ୍ଧ ଏବଂ କାର୍ଯ୍ୟରତ । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ବହୁ କଲ୍ୟାଣମୁଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ୍ ସଂକଟ ସମୟରେ ୮୦ କୋଟି ଦେଶବାସୀଙ୍କୁ ମାଗଣା ରାସନ ପ୍ରଦାନ କରି କେବଳ ଗରୀବ ଲୋକଙ୍କୁ ଉପକୃତ କରିନାହାନ୍ତି ବରଂ କୋଟି କୋଟି ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହୋଇଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
