ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ) ଭୁବନେଶ୍ୱର :- ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଘୋଷଣା ଦାବିରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟିଲା ବିଜେଡି ସଂସଦୀୟ ଦଳ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ବିଜେଡି ଟିମ୍ । ତେବେ ଏ ସମ୍ପର୍କରେ ବିଚାର ବିମର୍ଶ କରାଯିବ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ । ବିଜେଡି ଦାବି କରିଛି ଯେ, ୧୮୧୭ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ପାଇଁ ୧୯୯୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦାବି କରିଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବିକୁ ଦୋହରାଇ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ପ୍ରତିନିଧି ସମ୍ମିଳନୀ ହୋଇଥିଲା ।
ଏଥିରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯୋଗ ଦେଇଥିଲେ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇଁ କେନ୍ଦ୍ର ନିକଟରେ ଦାବିକୁ ଜୋରଦାର କରାଯିବ ବୋଲି ସର୍ବସମ୍ମତି କ୍ରମେ ସହମତି ପ୍ରକାଶ ପାଇଥିଲା । ୨୦୧୭ ଜୁଲାଇ ୧୯ରେ ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଥିଲେ ।
ଏତଦ୍ ସତ୍ତ୍ୱେ ମଧ୍ୟ କେନ୍ଦ୍ର ସରକାର ପଛଘୁଞ୍ଚା ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ପ୍ରକାଶ ଜାବଡେକର ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏହାକୁ ପାଠ୍ୟକ୍ରମରେ ସନ୍ନିବେଶିତ କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଦୁଃଖର ବିଷୟ କେନ୍ଦ୍ର ସରକାର ଦୁଇ ବର୍ଷ ହେବ ଏହାକୁ ପକାଇ ରଖିଛନ୍ତି । ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେଭଳି କିଛି ପ୍ରସ୍ତାବ ନଥିବା କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ଯାହାକି ଓଡ଼ିଶାର ଅସ୍ମିତା, ଐତିହ୍ୟ ପରମ୍ପରା ଓ ଗୌରବ ପ୍ରତି ଚରମ କୁଠାରଘାତ ।
