ଶ୍ରାଦ୍ଧ ଦିବସରେ ଭାରତରତ୍ନ ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି : ଜାତିଗତ ଜନଗଣନା, ୨୭ଭାଗ ଓବିସି ସଂରକ୍ଷଣ ଓ ଧର୍ମ ନିରପେକ୍ଷତା ପାଇଁ ସଂଗ୍ରାମ କରିବାକୁ ସଂକଳ୍ପ – ସମାଜବାଦୀ ପାର୍ଟି

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ) ଭୁବନେଶ୍ୱର :-  ସମ୍ବିଧାନ ପ୍ରଣେତା, ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ସାମାଜିକ ନ୍ୟାୟର କର୍ଣ୍ଣଧାର, ଭାରତର ପୂର୍ବତନ ଆଇନ୍‌ମନ୍ତ୍ରୀ, ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଏ.ଜି.ଛକସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ଉପସ୍ଥିତ ସାମାଜିକ ନ୍ୟାୟପ୍ରେମୀ ଓ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ସଭାପତି ଶ୍ରୀ ବେହେରା କହିଥିଲେ ଯେ, କେବଳ ବାବାସାହେବଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଦେଲେ ସାମାଜିକ ନ୍ୟାୟ ସମ୍ଭବ ହେବନାହିଁ ।

ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ହକ୍ ପାଇଁ, ସାମ୍ବିଧାନିକ ଅଧିକାର ପାଇଁ ଲଢେଇକୁ ଜୋରଦାର କଲେ ବାବାସାହେବଙ୍କ ସ୍ୱପ୍ନ ପୂରଣ ହୋଇପାରିବ । ଜାତିଗତ ଜନଗଣନା, ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ନାମଲେଖା ଓ ନିଯୁକ୍ତି କ୍ଷେତ୍ରରେ ୨୭ଭାଗ ସ୍ଥାନ ସଂରକ୍ଷଣ ଦାବିକୁ ନେଇ ସଂଗ୍ରାମ ହିଁ ହେବ ବାବାସାହେବଙ୍କ ପ୍ରତି ଆଜିର ଦିନରେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଆଜି ଆମ ଗଣତନ୍ତ୍ର ପାଇଁ ସବୁଠାରୁ ବଡ଼ ଆହ୍ୱାନ ସୃଷ୍ଟି କରିଛି ସାମ୍ପ୍ରଦାୟିକତାବାଦ । ୧୯୯୨ ମସିହା ଡ଼ିସେମ୍ବର ୬ ତାରିଖ ଦିନ ଧର୍ମାନ୍ଧମାନେ ବାବ୍ରି ମସଜିଦକୁ ଭାଙ୍ଗି ଏ ଦେଶର ସମ୍ବିଧାନ ପ୍ରତି ସବୁଠାରୁ ବଡ଼ ଧକ୍କା ଦେଇଥିଲେ ।

ତେଣୁ ଆଜିର ଦିବସରେ ଧର୍ମନିରପେକ୍ଷତା ଓ ସାମ୍ପ୍ରଦାୟିକ ସଦ୍‌ଭାବନା ପାଇଁ ସଂଗ୍ରାମ କରିବା ବାବସାହେବଙ୍କ ଶିକ୍ଷାର ଅନ୍ୟ ଏକ ସଂକଳ୍ପ ହେବା ଉଚିତ୍ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଭିଟାମାଟି ସୁରକ୍ଷା ମଞ୍ଚର ଆବାହକ ଅରୁଣ ଜେନା, ବରିଷ୍ଠ କୃଷକନେତା ବିଜୟ ବେହେରା, ଯୁବନେତା ଦେବାଶିଷ ମହାପାତ୍ର ଓ ଲିଟୁ ସ୍ୱାଇଁ ପ୍ରମୁଖ ବାବାସାହେବଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ପାର୍ଟି ପକ୍ଷରୁ ଏହି ପ୍ରତିନିଧିମାନେ ଓଡ଼ିଶାର ପ୍ରଥମ ସହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Exit mobile version