ଓଡ଼ିଶା ତାଜା ନ୍ୟୁଜ୍ (୦୫ ଡିସେମ୍ବର ରବିବାର ) ଭୁବନେଶ୍ୱର :- ‘ବିଶ୍ୱ କୃଷି ଓ ଖାଦ୍ୟ ସଂଗଠନ’୨୦୧୪ ମସିହାଠାରୁ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ଭାବରେ ପାଳନ କରିଆସୁଛି । ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ସ୍ଥାନୀୟ କୃଷି ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଆଭାସୀରେ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଓୟୁଏଟିର କୁଳପତି ଡ. ପବନ କୁମାର ଅଗ୍ରୱାଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ରୋହିତ କୁମାର ଲେଙ୍କା ଯୋଗଦାନ କରି ବିଶ୍ୱ ମୃତ୍ତିକା ଦିବସର ଉପାଦେୟତା ତଥା ଚଳିତ ବର୍ଷର ବାର୍ତ୍ତା ‘ମୃତ୍ତିକା ଲବଣତାର ପ୍ରତିରୋଧ ଓ ଏହାର ଉତ୍ପାଦିକା ଶକ୍ତି ବୃଦ୍ଧ’ ଉପରେ ଆଲୋକପାତ କରିଥିଲେ ।
ଉତ୍ସବର ପ୍ରାରମ୍ଭରେ କୃଷି ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି କୃଷି ବିଭାଗରେ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଉପରେ ହେଉଥିବା କାର୍ଯ୍ୟକ୍ରମ ତଥା ମୃତ୍ତିକାକୁ ସୁସ୍ଥ ରଖିବା ପାଇଁ ରାଜ୍ୟର ବିଭିନ୍ନ ମୃତ୍ତିକା ପରୀକ୍ଷାଗାରଗୁଡ଼ିକରେ ହେଉଥିବା ମୃତ୍ତିକା ପରୀକ୍ଷା କାର୍ଡ ଚାଷୀମାନଙ୍କ ମଧ୍ୟରେ ବଣ୍ଟନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ଉପଯୋଗୀ ସାର ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ରାଜ୍ୟରେ ୧୩ ଲକ୍ଷ ଚାଷୀମାନଙ୍କୁ ୩୯ ଲକ୍ଷ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିବାର ସୂଚନା ପ୍ରଦାନ କରିଥିଲେ ।