ବାତ୍ୟା ଫୁସ୍‌କିଲା : ଉଜୁଡ଼ିଲା ଚାଷ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷିପାରେ – ତୃତୀୟ ସପ୍ତାହରେ ପୁଣି ଲଘୁଚାପ ସମ୍ଭାବନା

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା : ପୁରୀ ଠାରୁ ୨୭୦ କିମି ଦୂରରେ ଅଛି ଜଓ୍ୱାଦ, ସେହିପରି ଗୋପାଳପୁରଠୁ ୨୦୦ କିମି ଓ ପାରାଦୀପ ଠାରୁ ୩୬୦ କିମି ଦୂରରେ ରହିଛି, କିଛି ସମୟରେ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ, ଅବପାତରେ ପରିଣତ ହୋଇ ମଧ୍ୟାହ୍ନରେ ପୁରୀ ପାଖାପାଖି ପହଞ୍ଚିବ ! .

ଅଧିକ ବର୍ଷା ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓଡ଼ିଶାରେ ‘ଜୱାଦ’ର ପ୍ରଭାବରେ ଆସନ୍ତାକାଲି ସକାଳ ୮ଟା ୩୦ ଯାଏ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ୧୦ ଜିଲ୍ଲା-ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ,ନୟାଗଡ଼,ଭଦ୍ରକ, ବାଲେଶ୍ବର

1. ବାତ୍ୟା ଜୱାଦ ଦୁର୍ବଳ ହେବାରେ ଲାଗିଛି !.
2. ଏହା କ୍ରମଶଃ ଆହୁରି ଦୁର୍ବଳ ହେବ !.
3. ଆଜି ଅପରାହ୍ନ ସୁଦ୍ଧା ପୁରୀ ଉପକୂଳ ଦେଇ ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରିବ !.
4. ମୋଟାମୋଟି ଭାବେ ପଶ୍ଚିମ ବଙ୍ଗ ଏବଂ ବାଂଲାଦେଶ ଆଡ଼କୁ ଯିବ !.

5. କିନ୍ତୁ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳ ଜିଲ୍ଲାମାନଙ୍କରେ ବର୍ଷା ଲାଗି ରହିବ !.
6. ପବନର ବେଗ ସର୍ବାଧିକ ୬୦ କିମି ଯାଏଁ ପହଞ୍ଚିବ !.
7. ଆଇଏମଡ଼ି ପକ୍ଷରୁ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, କଟକ, ଭଦ୍ରକ, ବାଲେଶ୍ବରକୁ ଅରେଞ୍ଜ ୱାର୍ଣିଂ !.

8.ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜକୁ ୟେଲୋ ୱାର୍ଣିଂ ଦେଇଛି ପାଣିପାଗ ବିଭାଗ !.
9. ଗତକାଲି ଗଭୀର ଅବପାତରେ ଥିବା ବେଳେ ଆଜି ଅବପାତରେ ପରିଣତ ହୋଇସାରିଛି !.
10. ଗୋପାଳପୁର ରେ ୬୪ ମିମି, ପାରାଦୀପ ରେ ୪୪.୩, ଭୁବନେଶ୍ୱର ରେ ୨୩.୪, ପୁରୀ ରେ ୨୦ ମିମି ବର୍ଷା ରେକର୍ଡ !.
11. ୭ ତାରିଖରୁ ପାଗ ଶୁଖିଲା ରହିବ !.

 

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଡିସେମ୍ବର ରବିବାର ) ଭୁବନେଶ୍ୱର :- ବଡ଼ ବିପଦ ଟଳିଛି । ଆଉ ବାତ୍ୟା ଆଶଙ୍କା ନାହିଁ । ଯେଉଁ ଜୱାଦ ବାତ୍ୟାକୁ ନେଇ ସବୁ ଚିନ୍ତାରେ ଥିଲେ, ତାହା ଫୁସ୍‌କି ଗଲାଣି । ନା ଓଡ଼ିଶାରେ ମାଡ଼ ହେବ ନା ଘଷି ହୋଇଯିବ । ଓଡ଼ିଶା ଉପକୂଳରୁ ବହୁ ଦୂରରେ ଏହା ପଳେଇବ । ସେତେବେଳକୁ ତା’ର ବଳ ଅଧାରୁ ଅଧିକ ଖସି ଯାଇଥିବ । ଅତି ବେଶିରେ ଉପକୂଳ ଓଡ଼ିଶାରେ ୩୦-୪୦ କିମି ବେଗରେ ପବନ ହୋଇପାରେ । ବାତ୍ୟା ସିନା ଫୁସକିଲା, ହେଲେ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ପକାଇ ଦେଇଛି । ଏଯାଏଁ ଯେତିକି ବର୍ଷା ହେଲାଣି, ଆଉ ଯେତିକି ବର୍ଷା ହେବ, ସେଥିରେ ବ୍ୟାପକ କ୍ଷତିଗ୍ରସ୍ତ ହେବେ ଚାଷୀ । ଧାନରୁ ପନିପରିବା ଯାଏଁ ସବୁ ଉଜାଡ଼ି ଦେବ ଏ ଅଦିନିଆ ବର୍ଷା । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଏକର ଏକର ଫସଲରେ ପାଣି ପଶି ବରବାଦ୍‌ କରିଛି । ପାଚି ଯାଇଥିବା ଧାନ ଗଛ ବର୍ଷାରେ ନଇଁ ତଳେ ଶୋଇପଡ଼ିଛି । ଉପକୂଳ ଓଡ଼ିଶାରେ ବର୍ଷା ନିଷ୍କାସନ ସମସ୍ୟା ଥିବାରୁ ବିଲ ନ ଶୁଖିବା ଯାଏଁ ତଳେ ପଡ଼ିପଡ଼ି ଧାନ ନଷ୍ଟ ହେବ । ବିଲ ନ ଶୁଖିବା ଆଗରୁ ଧାନ କାଟି ଖଳାକୁ ଆଣି ହେବନି । ପନିପରିବା ଜମିରେ ପାଣି ପଶିବାରୁ ଫସଲ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି ।

ଖାଲି ସେତିକି ନୁହେଁ, ବାତ୍ୟା ଆଶଙ୍କାରେ ଅନେକ ପନିପରିବା ଚାଷୀ ବିକଳ ହୋଇ ପନିପରିବାକୁ ଆଗୁଆ ତୋଳି ଅତି କମ୍‌ ମୂଲ୍ୟରେ ବିକିଛନ୍ତି । ୨ ଦିନ ତଳେ ଯେଉଁ ଫୁଲ କୋବି ଗୋଟା ୪୦ ଟଙ୍କା ଥିଲା, ଆଜି ସକାଳୁ ୧୦/୨୦ ଟଙ୍କାରେ ବିକ୍ରି କରିଥିଲେ ଚାଷୀ । ଏଭଳି ଭାବେ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ଏ ବାତ୍ୟା । ଗତ ୨୪ ଘଣ୍ଟା ଭିତରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଯେତିକି ବର୍ଷା ହୋଇଛି, ସେଥିରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବର୍ଷା ଯୋଗୁ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ସମେତ ପାଶ୍ୱର୍ବର୍ତ୍ତୀ କଟକ, ନୟାଗଡ଼, ବୌଦ୍ଧ, ରାୟଗଡ଼ା, ଅନୁଗୁଳ, ଢେଙ୍କାନାଳ, ଯାଜପୁରରେ ବ୍ୟାପକ ଫସଲ ଏ ଅଦିନିଆ ବର୍ଷାରେ ବରବାଦ ହେବା ଆଶଙ୍କା ଦେଖା ଦେଇଛି ।

ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ଏହି ବର୍ଷାରେ କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ସମ୍ଭାବନା ରହିଛି । ଏକ ସପ୍ତାହ ଭିତରେ କ୍ଷୟକ୍ଷତିର ଆକଳନ କରାଯିବ । ଏହାକୁ ଆଧାର କରି ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।ଜୱାଦ ଏବେ ଆଉ ବାତ୍ୟା ଅବସ୍ଥାରେ ନାହିଁ । ସନ୍ଧ୍ୟାରେ ଗଭୀର ଅବପାତ ଅବସ୍ଥାକୁ ଖସି ଆସିଛି । ଦ୍ରୁତ ଗତିରେ ଦୁର୍ବଳ ହେଉଥିବାବେଳେ ରବିବାର ସକାଳକୁ ଏହା ଅବପାତ (ଡିପ୍ରେସନ୍‌) ଅବସ୍ଥାକୁ ଚାଲି ଆସିଛି । ପବନ ପ୍ରଭାବ ଓଡ଼ିଶାରେ ବିଶେଷ ରହିବନି । ହେଲେ ବର୍ଷା ହେବ । ବାତ୍ୟା ଜୱାଦ ଗତିିପଥକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରିଥିଲେ । କୃଷି ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ବାତ୍ୟା ସୃଷ୍ଟି ହେବା ନେଇପ୍ରଥମେ ପୂର୍ବାନୁମାନ କରିଥିଲେ । ସେ ପ୍ରଥମେ ଆକଳନ କରିଥିଲେ ଯେ ଏହି ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ନାହିଁ । ଓଡ଼ିଶା ଉପକୂଳରୁ ଦୂରରେ ଦୁର୍ବଳ ଅବସ୍ଥାରେ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ଯାଇପାରେ । ଏହି ଆକଳନ ବର୍ତ୍ତମାନ ଠିକ୍‌ ହେଉଥିବା ଲକ୍ଷ୍ୟ କରାଯାଇଛି ।

ଡକ୍ଟର ପଶୁପାଳକ କହିଛନ୍ତି, ଜୱାଦ ଓଡ଼ିଶା ଉପକୂଳର ସମାନ୍ତରାଳରେ ପ୍ରାୟ ୫୦ କିମିରୁ ଅଧିକ ଦୂରରେ ସମୁଦ୍ର ଭିତରେ ଦୁର୍ବଳ ହୋଇ ଗତି କରିବ । ରବିବାର ସନ୍ଧ୍ୟାରେ ପୁରୀଠାରୁ ପ୍ରାୟ ୭୦ କିମି ଦୂରରେ ସମୁଦ୍ର ଭିତରେ ଅବପାତ ଅବସ୍ଥାରେ ଥିବ । କେନ୍ଦ୍ରାପଡ଼ାର ଦୂରରେ ସମୁଦ୍ରରେ ଥିବାବେଳେ ଆହୁରି ଦୁର୍ବଳ ହୋଇ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶକୁ ମୁହାଁଇବ । ସେଠାରେ ପହଞ୍ଚିଲାବେଳକୁ ଏହା ଲଘୁଚାପ ଅବସ୍ଥାରେ ଥିବ କିମ୍ବା ତା’ ପୂର୍ବରୁ ସମୁଦ୍ରରେ ଲୀନ ହୋଇଯିବା ସମ୍ଭାବନା ଅଛି । ଭୁବନେଶ୍ୱର, ପୁରୀ, ପାରାଦୀପ, କେନ୍ଦ୍ରାପଡ଼ା, ବାସୁଦେବପୁରରେ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଦକ୍ଷିଣ ଓଡ଼ିଶାରେ ରବିବାର ଯାଏଁ କୋହଲା ପାଗ ରହିବ । ଭୁବନେଶ୍ୱର ସମେତ ଉତ୍ତର ଉପକୂଳ ଏବଂ ସଲଗ୍ନ ଅଞ୍ଚଳରେ ସୋମବାର ଯାଏଁ କୋହଲା ପାଗ ଲାଗି ରହିପାରେ । ଗଞ୍ଜାମରେ ବାତ୍ୟାଜନିତ ସମୁଦାୟ ୫୦ରୁ ୬୦ ମିମି ବର୍ଷା, ପୁରୀ, ଖୋର୍ଦ୍ଧା ଓ ଭଦ୍ରକ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଏବଂ ସଂଲଗ୍ନ ଅଞ୍ଚଳୂରେ ସମୁଦାୟ ୮୦-୯୦ ମିମି ବର୍ଷା ହୋଇପାରେ । ବାଲେଶ୍ୱର ଓ ମୟୂରଭଞ୍ଜରେ ୬୦-୭୦ ମିମି ବର୍ଷା ସମ୍ଭାବନା ଅଛି ।

ଡକ୍ଟର ପଶୁପାଳକ କହିଛନ୍ତି, ଡିସେମ୍ବର ତୃତୀୟ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଦକ୍ଷିଣ ଉପକୂଳ ପହଞ୍ଚିବା ପୂର୍ବରୁ ଦୁର୍ବଳ ହେବା ସମ୍ଭାବନା ରହିଛି । ଏ ନେଇ ୮ ତାରିଖ ପରେ ପ୍ରାଥମିକ ଆକଳନ କରାଯାଇପାରେ । ବର୍ତ୍ତମାନ ଯେତିକି ସଙ୍କେତ ମିଳିଛି, ଏହା ଓଡ଼ିଶାକୁ ପ୍ରଭାବିତ କରିବା ସମ୍ଭାବନା ନାହିଁ । ପାଣିପାଗ ବିଭାଗ କହିଛି, ରବିବାର ମଧ୍ୟାହ୍ନବେଳେ ଏହି ବାତ୍ୟା ଅବପାତ ଅବସ୍ଥାରେ ପୁରୀଠାରୁ ଦୂରରେ ସମୁଦ୍ର ଭିତରେ ଗତି କରୁଥିବ । କ୍ରମଶଃ ଦୁର୍ବଳ ହୋଇ ଏହା ଉତ୍ତର-ଉତ୍ତର ପୂର୍ବରେ ପଶ୍ଚିମବଙ୍ଗକୁ ମୁହଁ କରି ଯାଉଥିବ । ଓଡ଼ିଶାରେ ବଡ଼ ପ୍ରଭାବ ଆଉ ପଡ଼ିବନି । ରବିବାର ଉତ୍ତର ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ।

କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା, ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସୋମବାର ବର୍ଷା ଉତ୍ତର ଓଡ଼ିଶାରେ ହେବ । ମାତ୍ର ବଡ଼ ବର୍ଷା ସମ୍ଭାବନା ନାହିଁ । ବିପଦ କମିଥିବାରୁ ସମସ୍ତ ବନ୍ଦରରେ ବିପଦ ସଙ୍କେତ ୩ ନମ୍ବରକୁ ହ୍ରାସ କରାଯାଇଛି । କୃଷି ପାଣିପାଗ ବିଶାରଦ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବାତ୍ୟା ଦୁର୍ବଳ ହେବାରୁ ପବନ ବେଶି ହେବନି । ତଥାପି ବର୍ଷା ଯୋଗୁ ଉପକୂଳର ଅନେକ ଜମିରେ ଧାନ ଗଛ ଶୋଇ ପଡ଼ିଛି । ପନିପରିବା ଚାଷ ବି ପ୍ରଭାବିତ ହୋଇଛି । ଚାଷୀ ଆଗୁଆ ପନିପରିବା ତୋଳି ଶସ୍ତାରେ ବିକିଛନ୍ତି ଅନେକ ସ୍ଥାନରେ । ତେଣୁ ଚାଷୀମାନେ ପ୍ରଭାବିତ ହୋଇଛନ୍ତି ।

Exit mobile version