
ହିଞ୍ଜିଳିକାଟୁ, ରିପୋର୍ଟ /ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) କାଳବୈଶାଖୀ ତାଣ୍ଡବ, ୨ ମଇ, ଶନିବାର : – ଶୁକ୍ରବାର ଦିନତମାମ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିଲା । ଅପରାହ୍ନ ପ୍ରାୟ ୩ଟାରେ ହଠାତ୍ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ । କାଳବୈଶାଖୀ ପ୍ରଭାବରେ କ୍ଷୀପ୍ର ଗତିରେ ପବନ ବୋହିବା ସହ ଭୀଷଣ ବର୍ଷା ସାଙ୍ଗକୁ ବଜ୍ରପାତ ଘଟିଥିଲା । ହିଞ୍ଜିଳିକାଟୁ ଅଂଚଳରେ ପ୍ରାୟ ୨ଘଂଟା ଧରି କାଳବୈଶାଖୀର ତାଣ୍ଡବ ରୂପ ଦେଖିବାକୁ ମିଳିଥିଲା । ଜୋରରେ ପବନ ବୋହିବାରୁ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବହୁ ବଡ଼ ବଡ଼ ଗଛ ଗୁଡ଼ିକ ମାଟିରେ ଲୋଟି ପଡ଼ିଥିବାର ଦେଖିବାକୁ ମିଳିଥିଲା ।
ସ୍ଥାନୀୟ ପୌରାଂଚଳ ବଇଁଚବଣିଆ, ସିନେମାହଲ ଛକ, ରଜାସାହି ଛକ, ବସଷ୍ଟାଣ୍ଡ, ମିନି ଷ୍ଟାଡ଼ିୟମ, ବ୍ଳକ ଛକ, ଆରଏମସି ଛକ ଗୁଡ଼ିକରେ ଗଛ ଗୁଡ଼ିକ ୫୯ ନଂ ଜାତୀୟ ରାଜପଥ ଉପରେ ପଡ଼ି ରାଜପଥ ଅବରୋଧ ହୋଇଥିଲା । ପୌର ପ୍ରଶାସନ ପକ୍ଷରୁ ତୁରନ୍ତ ଜେସିବି ସହାୟତାରେ ଜାତୀୟ ରାଜପଥ ଉପରୁ ଗଛ ଗୁଡ଼ିକୁ ହଟାଯାଇ ରାସ୍ତା ଅବରୋଧକୁ ହଟାଯାଇଥିଲା । କ୍ଷୀପ୍ର ଗତିରେ ପବନ ବୋହିବା କାରଣରୁ ବିଭିନ୍ନ ଅଂଚଳରେ ବିଦ୍ୟୁତ ତାର ଛିଣ୍ଡିଯାଇ ବିଦ୍ୟୁତ୍ ସରବାରାହ ବନ୍ଦ ରହିଥିଲା । ବିଦ୍ୟୁତ୍ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଦୀର୍ଘ ୬ ଘଂଟା ପରେ ବିଦ୍ୟୁତ ସେବାକୁ ସଜାଡ଼ି ଯାଇଥିଲା । ଗତ କିଛି ଦିନ ପୂର୍ବେ ମିନି ଷ୍ଟାଡ଼ିୟମ ପରିସରରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ହୋଲସେଲ ପରିବା ବଜାର ଗୃହ ଗୁଡ଼ିକ ମଧ୍ୟ ପବନରେ ଉଡ଼ି ଯିବା ସହ ବହୁ ଦୋକାନ ଭାଙ୍ଗିଯାଇଛି ।
ଅନୁରୂପ ଭାବେ ସ୍ଥାନୀୟ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମ ପରିସରରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନଡ଼ୋର ଷ୍ଟାଡ଼ିୟମ ମଧ୍ୟ କ୍ଷତିଗ୍ରସ୍ତ ହୋଇ ପଡ଼ିଥିଲା । ଉନଡ଼ୋର ଷ୍ଟାଡ଼ିୟମ ମୁଖ୍ୟ ବିଲ୍ଡିଂର ସମ୍ମୁଖ ଭାଗ ଗ୍ଳାସୱାଲ ଭାଙ୍ଗଯିବା ସହ ଟାଇଲ ଗୁଡ଼ିକ ଉଡ଼ିଯାଇଛି । ପ୍ରକାଶ ଥାଉକି, ଗତ ୧୪ ଏପ୍ରିଲ ୨୦୧୭ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗ୍ରସ୍ତରେ ଆସି ଉନଡ଼ୋର ଷ୍ଟାଡ଼ିୟମର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ବିଭିନ୍ନ କାରଣରୁ ସଂପୃକ୍ତ ଇନଡ଼ୋର ଷ୍ଟାଡ଼ିୟମର ଶୁଭ ଉଦଘାଟନ ହୋଇ ପାରିନାହିଁ । ଅନ୍ୟ ପକ୍ଷରେ ନିର୍ମାଣ ଇନଡ଼ୋର ଷ୍ଟାଡ଼ିୟମ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁଁ ଏଭଳି ଘଟିଛି ବୋଲି ଅଂଚଳର ବହୁ ବୁୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି, ଗତ କିଛି ଦିନ ପୂର୍ବେ ଇନଡ଼ୋର ଷ୍ଟାଡ଼ିୟମ ଅନ୍ତଃବିଭାଗ ପେଟିଂ ସମୟରେ ଶୌଚାଳୟ ପ୍ୟାନ୍ ଖସିପଡ଼ି ଜଣେ ଚିତ୍ରକର ଆହତ ହୋଇ ପଡ଼ିଥିଲେ ।
