
ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ )ଡାହାଣ ହାତରେ ଅଲିଭା କାଳି ଦ୍ୱାରା ଚିହ୍ନ ଦିଆଯିବ ,୦୧ ମଇ,ଶୁକ୍ରବାର :- ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ପ୍ରବାସୀ ଓଡ଼ିଆମାନେ ଉଭୟ ସଡକ ଓ ଟ୍ରେନରେ ଆସିପାରିବେ । ମାତ୍ର ଏଥିଲାଗି ପଞ୍ଜୀକରଣ ଏକାନ୍ତ ଆବଶ୍ୟକ। ଯେଉଁମାନେ ବାହାର ରାଜ୍ୟରୁ ଆସିବେ ସେଠାକାର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବେ। ରାଜ୍ୟର ସୀମା ଗୁଡ଼ିକରେ ମୋଟ ୧୧ଟି ଚେକ ପଏଣ୍ଟ ରହିଛି। ପୂର୍ବରୁ ପ୍ରବାସୀମାନେ ଯେଉଁ ପଞ୍ଜିକରଣ କରିଥିବେ ଚେକ ପଏଣ୍ଟରେ ତାହାକୁ ଦେଖାଇବାକୁ ପଡ଼ିବ। ସେଠାରେ ଅଧିକାରୀ, ପୋଲିସ, ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି । ଯେଉଁ ଡାଟା ପୂରଣ ହୋଇଥିବ ତାହା ଠିକ ଅଛିକି ନାହିଁ ଯାଞ୍ଚ କରିବେ ।
ସୀମାନ୍ତ ଚେକ ପଏଣ୍ଟରେ ପହଞ୍ଚିବା ପରେ ଡାହାଣ ହାତରେ ଅଲିଭା କାଳି ଦ୍ୱାରା ଚିହ୍ନ ଦିଆଯିବ । ଏଥିସହ ସେମାନେ କେଉଁଠିକୁ ଯିବେ ତାର ବିଷଦ ବିବରଣୀ ରହିବ । ଲଗାଯାଉଥିବା କାଳି କ୍ୱାରେଣ୍ଟାଇନ ଶେଷ ହେବା ପର୍ଯ୍ୟନ୍ତ ରହିବ। ଚେକ ପଏଣ୍ଟରୁ ଯିବା ପରେ ଜିଲ୍ଲା ପ୍ରଶାସନର ଅଧିକାରୀ ସେମାନଙ୍କୁ କରିବା ସହିତ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବେ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ କର୍ତ୍ତୃପକ୍ଷ ପ୍ରବାସୀମାନଙ୍କର କ୍ବାରେଣ୍ଟାଇନରେ ରହିବା ପାଇଁ ବ୍ୟବସ୍ଥା କରିବେ।ଯେଉଁମାନେ ଟ୍ରେନରେ ଆସିବେ ସେମାନଙ୍କ ପାଇଁ ଭିନ୍ନ ବ୍ୟବସ୍ଥା କରାଯାଇଛି। କେରଳରୁ ଆଜି ରାତିରେ ଗୋଟିଏ ଟ୍ରେନ ଆସିବାର ଅଛି ଓ ଗୁଜୁରାଟରୁ କିଛି ଦିନ ପରେ ଆଉ ଏକ ଟ୍ରେନ ଆସିପାରେ। ଏଥିପାଇଁ ପଞ୍ଜିକରଣ କରାଯାଇଥିବା ଦରକାର । କାରଣ ରାଜ୍ୟ ସରକାର ଟ୍ରେନ ଯାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି। ଓଡ଼ିଶାର କିଛି ନିର୍ଦ୍ଦିଷ୍ଟ ଷ୍ଟେସନରେ ରେଳ ଅଟକିବ ।
କିଛି ଷ୍ଟେସନରେ ପ୍ରବାସୀମାନଙ୍କୁ ପ୍ରଶାସନ ପକ୍ଷରୁ ଅଣାଯିବ। ଯଦି ଟ୍ରେନରୁ ଓହ୍ଲାଇ ପ୍ରବାସୀମାନେ ଗ୍ରାମାଞ୍ଚଳକୁ ଯିବେ ସ୍ଥାନୀୟ ପ୍ରଶାସନ ସେହି ବ୍ୟବସ୍ଥା କରିବ । ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନରେ ରହିବାକୁ ହେବ।ଟ୍ରେନରେ ଯିବା ପୂର୍ବରୁ ଯାତ୍ରୀମାନଙ୍କର ସ୍କାନିଂ ହେବ। ରାଜ୍ୟର ଗ୍ରାମାଞ୍ଚଳରେ ୨ ଲକ୍ଷ ୬୦ ହଜାର ଲୋକଙ୍କ ଲାଗି କ୍ୱାରେଣ୍ଟାଇନ ହୋଇଛି । ଗ୍ରାମାଞ୍ଚଳରେ ଗର୍ଭବତୀ ମହିଳା, ଶିଶୁ, ଛାତ୍ର, ମାନସିକ ରୂପେ ଅନଗ୍ରସର, କିନ୍ନରମାନଙ୍କ ପାଇଁ ସରପଞ୍ଚ ହୋମ କ୍ୱାରେଣ୍ଟାଇନ ବ୍ୟବସ୍ଥା କରିବେ । ଯଦି ହୋମ କ୍ୱାରେଣ୍ଟାଇନ ନଥିବ, ତାହେଲେ ସରପଞ୍ଚ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ । ଯେଉଁମାନେ ଘରେ ହୋମ କ୍ୱାରେଣ୍ଟାଇନରେ ରହିବେ ସେମାନଙ୍କ ଘର ବାହାରେ ଏକ ଷ୍ଟିକର ଲାଗିବ । ସହରାଞ୍ଚଳରେ କ୍ୱାରେଣ୍ଟାଇନ ଦେୟଯୁକ୍ତ ବ୍ୟବସ୍ଥା କରାଯାଇଛି । ଯେଉଁଠି ନିୟମ ଭଙ୍ଗ ହେବ ସେଠାରେ ମହାମାରୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
