ଲାଞ୍ଜିଗଡ ବ୍ଲକ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ନଭେମ୍ବର ଶୁକ୍ରବାର) କଳାହାଣ୍ଡି :- ବହୁ ଚର୍ଚ୍ଚିତ ମହାଳିଙ୍ଗ ସନ ସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ବିଭିନ୍ନ ଦଳ, ସଙ୍ଗଠନ, ବିକ୍ଷୋଭ ,ଆନ୍ଦୋଳନ ଧାରଣା ଦେଇ ଆସୁଛନ୍ତି । ସବୁ ଦଳର ଗୋଟିଏ ଦାବି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଓ ଗିରଫ କରିବା ପାଇଁ ଦାବି ଜୋର ଧରି ଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲଙ୍କ ନିର୍ଦ୍ଦେଶରେ ଲାଞ୍ଜିଗଡ ବ୍ଲକ କଂଗ୍ରେସ ଦ୍ୱାରା ଶାନ୍ତି ପୂର୍ଣ୍ଣ ହରତାଳ ହୋଇଯାଇଛି l

ଏଥିରେ ବ୍ଲକ ସଭାପତି ହରିହର କୁମାରଙ୍କ ନେତୃତ୍ୱରେ ଲାଞ୍ଜିଗଡ ବ୍ଲକର ୨୬ ଗୋଟି ଗ୍ରାମପଂଚାୟତର କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ l ନମିତା ମେହେର ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ କରିବା ଦାବିରେ ବହୁ ସଂଖ୍ୟାରେ କର୍ମୀ ଯୋଗଦେଇ ବିଶ୍ୱନାଥପୁର ମୁଖ୍ୟାଳୟ କାର୍ଜି ମାଝୀ ଛକ ଠାରେ ମୁଖ୍ୟମନ୍ତ୍ରୀ ଏବଂ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ l

ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ, ମୂଷାନାଲ, ବେନଗାଁ, ଲାଞ୍ଜିଗଡ଼ରୋଡ, କମର୍ଧା, ଗୁଣ୍ଡ୍ରି, ବିଜେପୁର, ବିଶ୍ୱନାଥପୁର ଆଦି ଅଂଚଳରେ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଥିଲା ଏବଂ ବିଭିନ୍ନ ସଂଗଠନ ମାନେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ଲାଞ୍ଜିଗଡ଼ରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଲାଞ୍ଜିଗଡ଼ର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ବେଦାନ୍ତ ଆଲୁମିନା ମୁଖ୍ୟ ଗେଟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବରେ କଂଗ୍ରେସ କର୍ମୀ ମାନେ ସକାଳ ୬ ଘଣ୍ଟା ରୁ ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ଲାଞ୍ଜିଗଡ଼ ବଣିଜ ସଙ୍ଘ ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଥିଲା । କଳାହାଣ୍ଡି ଜିଲ୍ଲା କଂଗ୍ରେସ ଏଡ଼ଭାଇଜର କମିଟିର ସଦସ୍ୟ ଶିଶିର ପୁଝାରୀ,ପ୍ରଦୀପ ମାଝୀ, ସୁରେଶ ଅଗ୍ରୱାଲ, ହରିହର ରଣା, ବିଜୟ ନାଏକ ସମେତ ଅନ୍ୟ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ ।

Exit mobile version