ନର୍ଲାକୁ ଉପଖଣ୍ଡ ମାନ୍ୟତା ଦାବିରେ ସାମ୍ବାଦିକ ସମ୍ମିଳନୀ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ନଭେମ୍ବର ଶୁକ୍ରବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ନର୍ଲାକୁ ଉପଖଣ୍ଡ ମାନ୍ୟତା ଦେବାକୁ ଦାବି ହୋଇଛି । ଏ ନେଇ ଆଜି ନର୍ଲା ଶିଶୁ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘଦିନର ଦାବିପରେ ମଧ୍ୟ ନର୍ଲାକୁ ଉପଖଣ୍ଡ ମାନ୍ୟତା ମିଳିପାରି ନାହିଁ । ନର୍ଲା, ଲାଞ୍ଜିଗଡ଼, ମ.ରାମପୁର ଓ କର୍ଲାମୁଣ୍ଡା ବ୍ଲକର ମଧ୍ୟସ୍ଥଳରେ ଥିବାରୁ ଏବଂ ଜନସଂଖ୍ୟା, ଭୈ।ଗଳିକ ଦୃଷ୍ଟିରୁ ନର୍ଲା ହିଁ ଉପଖଣ୍ତ ମୁଖ୍ୟାଳୟ ହେବାକୁ ଉପଯୁକ୍ତ ସ୍ଥାନ । ଗତ ୨୦୧୮ ମସିହା ମଇ ୨୧ ତାରିଖ ଦିନ ଆଇନଜୀବି କୁବେର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ଵରରେ ଆଇନ ମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀଙ୍କୁ ସାକ୍ଷାତ କରି ନର୍ଲାକୁ ଉପଖଣ୍ଡ ମାନ୍ୟତା ପ୍ରଦାନ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ ।

ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ବରୁ ବିଭିନ୍ନ ଫୋରମ ମାଧ୍ୟମରେ ଏଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ଆନ୍ଦୋଳନକୁ ଜୋରଦାର କରିବାପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି । ଆସନ୍ତା ୧୪ ନଭେମ୍ବର ରବିବାର ଦିନ ସକାଳ ୧୦ ଘଣ୍ଟା ସମୟରେ ନର୍ଲାରୋଡର ପୁରୁଣା କେଡିଆ ରାଇସମିଲ ଠାରେ ନର୍ଲା, ଲାଞ୍ଜିଗଡ଼, ମ.ରାମପୁର ଓ କଳାହାଣ୍ଡି ବ୍ଲକର ସର୍ବସାଧାରଣଙ୍କୁ ନେଇ ଏକ ସର୍ବଦଳୀୟ ସମାବେଶ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଛି ।

ସଚେତନ ନାଗରିକ ମଞ୍ଚ ପକ୍ଷରୁ ନର୍ଲା ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ନାଏକଙ୍କ ଆବାହକତ୍ବରେ ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଇନଜୀବି କୁବେର ସାହୁ ଅଧ୍ୟକ୍ଷତା କରିଥିଲେ । ଏହି ସର୍ବଦଳୀୟ ବୈଠକରେ ନର୍ଲା ସରପଞ୍ଚ ସଂଘ ସଭାପତି ତଥା ବରିଷ୍ଠ ବିଜେଡି ନେତା ଚିରଞ୍ଜିବୀ ଗୈାଡିଆ, ନର୍ଲା ବ୍ଲକ କଂଗ୍ରେସ କମିଟି ସଭାପତି ସମୀର ଚାନ୍ଦ, ବରିଷ୍ଠ ବିଜେପି ନେତା ପର୍ଶୁରାମ ପଣ୍ଡା, ନର୍ଲା କିନ୍ନର ସଂଘ ସଭାପତି ତଥା ବିଶିଷ୍ଟ ସମାଜସେବୀ କାମିନୀ ରାଜୁ ପ୍ରମୁଖ ଉପସ୍ଥିତ ରହି ନର୍ଲାକୁ ଉପଖଣ୍ଡ ମାନ୍ୟତା ଦାବି କରିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନର୍ଲା ମଣ୍ଡଳ ବିଜେପି ସଭାପତି ପଦ୍ମଲୋଚନ ଜାଲ, କଳାହାଣ୍ଡି ଜିଲ୍ଲା କୁଲତା ସମାଜ ଜିଲ୍ଲା ଯୁବ ସଭାପତି ଦେବେନ୍ଦ୍ର ସା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ବିଜେପି ନେତା ଅଭୟ ନାଏକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

Exit mobile version