ଦୀପାବଳିରେ ଅଘଟଣ, ବାରଦା ଗ୍ରାମରେ ବାଣ ଫୁଟି ଜଣେ ମୃତ ଓ ଦୁଇ ଗୁରୁତର, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ଢେଙ୍କାନାଳ :- ଜିଲ୍ଲାରେ ଦୀପାବଳିରେ ଅଘଟଣ। ସଦର ଥାନା ଅନ୍ତର୍ଗତ ବାରଦା ଗ୍ରାମରେ ବାଣ ଫୁଟି ଜଣେ ମୃତ ଓ ଦୁଇ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାରୁ ପ୍ରକାଶ, ପବିତ୍ର ଦୀପାବଳୀ ଦିବସରେ ସଦର ଥାନା ଅନ୍ତର୍ଗତ ବାରଦା ଗ୍ରାମର ତିନି ଜଣ ଯୁବକ ଏକ ବାଇକ୍ ନେଇ ଢେଙ୍କାନାଳ ସହରକୁ ବାଣ କିଣିବାକୁ ଯାଇଥିଲେ । ସହରରେ ବାଣ ଦୋକାନରୁ ବିଭିନ୍ନ ପ୍ରକାରର ବାଣ କିଣି ଅପରାହ୍ନରେ ଘରକୁ ଫେରିବା ବେଳେ ଗ୍ରାମର ଖେଳ ପଡିଆ ଠାରେ

ଓହ୍ଲାଇବା ବେଳକୁ ଦୁର୍ଭାଗ୍ୟବଶତଃ ହଠାତ୍ ଗାଡିରୁ ବାଣବ୍ୟାଗ୍ ଖସି ତଳେ ପଡିଯିବାରୁ ଘଟଣାସ୍ଥଳରେ ଭୟଙ୍କର ବିସ୍ଫୋରଣ ଘଟିଲା । ଫଳରେ ତିନି ଜଣ ଯୁବକ ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ସେଠାରେ ଡ଼ାକ୍ତର ବାରଦା ଗ୍ରାମର ୨୫ ବର୍ଷୀୟ ଯୁବକ ମହେଶ୍ଵର ମହାରଣାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ଦୁଇ ଗୁରୁତର ବାରଦା ଗ୍ରାମର ପ୍ରଶନ୍ନ କୁମାର ବ୍ରହ୍ମ ଏବଂ ବିରେନ ନାୟକ ବୋଲି ଜଣାପଡିଛି । 

Exit mobile version