ଓଡ଼ିଶା ତାଜା ନ୍ୟୁଜ୍ (୨ ନଭେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତି ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନର ଆଜି ଶୁଭାରମ୍ଭ କଲା । ଏହି ସଭ୍ୟସଂଗ୍ରହ ଅଭିଯାନ ସାରା ରାଜ୍ୟର ଜିଲ୍ଲାସ୍ତର ଠାରୁ ଆରମ୍ଭ କରି ପଂଚାୟତ ସ୍ତର ପର୍ଯ୍ୟନ୍ତ ଚାଲିବ । ଆଜି ସକାଳ ୧୧ ଘଟିକା ସମୟରେ ଓଡ଼ିଶା ପ୍ରଭାରୀ ତଥା ଅଖିଳଭାରତୀୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ଡ. ଏ ଚେଲ୍ଲା କୁମାର, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ଶ୍ରୀ ଜି ରୁଦ୍ର ରାଜୁ, କାର୍ଯ୍ୟକାରି ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳ,
ସାଂସଦ ସପ୍ତଗିରୀ ଉଲ୍ଲାକା, ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ପିସିସି ସଭାପତି, ଶ୍ରୀ ଜୟଦେବ ଜେନା, ଶରତ ପଟ୍ଟନାୟକ, କିଶୋର ପଟେଲ, ଶରତ ରାଉତ, ବରିଷ୍ଠ କଂଗ୍ରେସ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ଶ୍ରୀ ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ରାଜନ ଏକା ଏବଂ ଯଜେ୍ଞଶ୍ୱର ବାବୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆଜିର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମଂଚାସୀନ ସମସ୍ତ ଅତିଥିମାନଙ୍କୁ ଗାନ୍ଧୀ ସୁତା ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।
ଶ୍ରୀ ପଟ୍ଟନାୟକ ପ୍ରାରମ୍ଭିକ ସମ୍ଭାଷଣରେ କହିଥିଲେ ଯେ ସଭ୍ୟସଂଗ୍ରହ ହେଉଛି କଂଗ୍ରେସ ଦଳ ପାଇଁ ଏବଂ ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ । ଏହି କାର୍ଯ୍ୟକୁ ଅତି ଆଗ୍ରହର ସହିତ ସାରା ରାଜ୍ୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ନିତି ନିୟମ ଅନୁସାରେ ସଭ୍ୟ ସଂଗ୍ରହ କରାଯିବ । ନୂତନ ସଭ୍ୟ ସଂଗ୍ରହ ଗୋଟିଏ ରାଜନୈତିକ ଦଳକୁ ଖାଲି ଅଧିକ ଶକ୍ତିଶାଳୀ କରିନଥାଏ ବରଂ ଏହାକୁ ନୂତନ ଚିନ୍ତା ଓ ଚେତନା ସମିଶ୍ରଣର ଏକ ସୁଯୋଗ ଓ ଆହ୍ୱାନ ସୃଷ୍ଟିକରିଥାଏ । ଆସନ୍ତା ଦିନରେ କିଭଳି ଭାବେର ରାଜ୍ୟକୁ ଏବଂ ରାଷ୍ଟ୍ରନିର୍ମାଣରେ କେଉଁ ସବୁ ଦିଗ ପ୍ରତି ଗୁରୁତ୍ୱ ପ୍ରଦାନ କରାଯିବ । ଶ୍ରୀ ପଟ୍ଟନାୟକ କଂଗ୍ରେସ କର୍ମୀ ଓ ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇ କହିଥିଲେ ଆଜି ରାଜ୍ୟ ରସାତଳଗାମୀ ।
