ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ଭୁବନେଶ୍ୱର ,, କିଶୋର ଦ୍ବିବେଦୀ ଙ୍କ ଠାରୁ ପ୍ରକାଶ :- ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କିଛି ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଗୁରୁତର ଠକେଇ ଓ ଦୁର୍ନୀତି ଅଭିଯୋଗ କରାଯାଇଛି । ଭୁବନେଶ୍ୱର ରୋଟାରୀ କ୍ଲବ ଇକୋର ସଭାପତି ତଥା ଆରଡି କମର୍ସିଆଲ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ରାମକୃଷ୍ଣ ଦାଶ ଏ ସଂକ୍ରାନ୍ତରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଶ୍ରୀ ଦାଶ ଦାଖଲ କରିଥିବା ନଥିପତ୍ର ଓ ଫେରାଦକୁ ଆଧର କରି ସ୍ଥାନୀୟ ଖଣ୍ଡଗିରି ଥାନାରେ ଏକ ଏତଲା ରୁଜ୍ଜୁ କରାଯାଇଛି । ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଗମ୍ଭୀର ଦଫା ଯଥା ୩୪, ୧୨୦ (ବି) ,୧୭୬, ୨୯୪,୩୮୩,୪୦୬, ୪୦୯, ୪୧୮, ୪୧୯, ୪୨୦, ୪୨୫, ୪୬୭, ୪୬୮, ୫୦୩ ଓ ୫୦୬ ଆଦିକୁ ଲଗାଯାଇ ଗତ ଅକ୍ଟୋବର ୪ ତାରିଖରେ ଥାନାରେ ୫୧୭/୨୦୨୧ ନମ୍ବରର ଏତଲା ପଞ୍ଜିକୃତ କରାଯାଇଛି ।
ଏତଲାରେ ହୋଇଥିବା ଅଭିଯୋଗ ମୁତାବକ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍.ବି.ଆଇ)ର କଟକ ସହର ସ୍ଥିତ ମଧୁପାଟଣା, ଗଣ୍ଡରପୁର ଓ ଅନ୍ୟାନ୍ୟ ଶାଖାର କିଛି ଅଧିକାରୀ ମୁଷ୍ଟିମେୟ ଜମି ମାଫିଆଙ୍କ ସହ ସାମିଲ ହୋଇ ବ୍ୟାଙ୍କ୍ ର ଦୀର୍ଘସ୍ଥାୟୀ ଉପଭୋକ୍ତା ରାମକୃଷ୍ଣ ଦାଶଙ୍କର ସମ୍ପତ୍ତି କୁ ହଡ଼ପ କରିବା ପାଇଁ ବସିଛନ୍ତି । ଋଣ ଆଣିବା ପାଇଁ ଶ୍ରୀ ଦାଶ ବ୍ୟାଙ୍କ୍ ଠାରେ ବନ୍ଧକ ରଖିଥିବା ତାଙ୍କର ମୂଲ୍ୟବାନ ସମ୍ପତିକୁ ଚକ୍ରାନ୍ତକାରୀ ମାନେ ଶାଗ ମାଛ ମୂଲ୍ୟରେ ବିକ୍ରି କରିବାର ଯୋଜନା ଭିଆଇଥିବା ଜାଣି ସେ ପିଟିସନ ନମ୍ବର ଏସ. ଏ. ୧୦୪/୨୧ ଜରିଆରେ ପ୍ରଥମେ ଡେବଟ ରିକଭରି ଟ୍ରିବୁନାଲ ଏବଂ ପରେ ରିଟ ପିଟିସନ ନମ୍ବର ୩୦୬୬୪/୨୧ ମାଧ୍ୟମରେ ଓଡ଼ିଶାର ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ।
ଘଟଣାରୁ ପ୍ରକାଶ ଯେ ଶ୍ରୀ ଦାଶ ଋଣ ପାଇଁ ୨୦୦୪ ମସିହା ରେ ରାଉରକେଲା ଏବଂ ଭୁବନେଶ୍ଵରର ବରମୁଣ୍ଡା ମୌଜା ଠାରେ ଥିବା ତାେଙ୍କର ଜମି ଓ ଅଟ୍ଟାଳିକା କୁ ଏସ. ବି. ଆଇ କୁ ବନ୍ଧକ ସୂତ୍ରରେ ପ୍ରଦାନ କରିଥିଲେ । ଜଣେ ଆଇନ ପାଳନକାରୀ ନାଗରିକ ଭାବରେ ସେ ନିଜର ଋଣ ପରିଶୋଧ କରି ଆସୁଥିବା ସାଙ୍ଗକୁ ବ୍ୟାଙ୍କ୍ ତରଫରୁ ୱାନ୍ ଟାଇମ୍ ସେଟେଲମେଣ୍ଟ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରି ପ୍ରଥମ କିସ୍ତି ଭାବରେ ୧୮ ଲକ୍ଷ ୨୫ ହଜାର ଟଙ୍କା ପୈଠ କରିସାରିଥିଲେ । ଏହି ପରିପ୍ରେକ୍ଷୀରେ ହଠାତ୍ ଗତ ୨୫।୧୦ । ୨୦୨୧ ରେ ଏସବିଆଇ ର କିଛି ଉଚ୍ଚ ପଦସ୍ଥ ଅଧିକାରୀ ଗ୍ୟାରେଣ୍ଟର ଙ୍କ ନାମରେ ଥିବା ବରମୁଣ୍ଡା ସ୍ଥିତ ଜମି ଓ ଅଟ୍ଟାଳିକାକୁ ବିକ୍ରି କରିବା ପାଇଁ ନିଲାମ ଆହ୍ବାନ କରୁଥିବା ଜାଣି ଶ୍ରୀ ଦାଶ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ ।
ଗ୍ୟାରେଣ୍ଟର ଙ୍କୁ ପୂର୍ବ ସୂଚନା ନ ଦେଇ ତାଙ୍କର ସମ୍ପତ୍ତି କୁ ନିଲାମ କରିବା ପରେ ଏହାକୁ ଜବରଦଖଲ କରିବା ପାଇଁ ଭୁଲ ଆଫିଡେଭିଟର ସାହାରା ନେଇ ସର୍ଫେଇସି ଆଇନ୍ ୨୦୦୨ ର ଧାରା ୧୪ କୁ ଅପବ୍ୟବହାର କରି ଜିଲ୍ଲାପାଳଙ୍କ ର ଅନୁମତି ପତ୍ର ହାସଲ କରିବା କଥିତ ବ୍ୟାଙ୍କ୍ ଅଧିକାରୀ ମାନଙ୍କର ଭୟଙ୍କର ଆର୍ଥିକ ଅପରାଧର ବଳିଷ୍ଠ ପ୍ରମାଣ ବହନ କରୁଛି । ଏଠାରେ ଉଲ୍ଲେ୍ଖ୍ୟଯୋଗ୍ୟ ଯେ ଶ୍ରୀ ଦାଶଙ୍କର କଥିତ ନିଲାମଭୁକ୍ତ ସମ୍ପତ୍ତି ଉପରେ ଆଗରୁ ଆସ୍କା ସଭିଲ ଜଜ୍ ଙ୍କ ଅଦାଲତ ରୁ ସି.ଆଇ.ଏସ୍ ନଂ ଆଇ.ଏ.୦୩/୨୦୨୦ ଅନୁଯାୟୀ ରହିତାଦେଶ ବଳବତ୍ତର ରହିଛି ।
ବ୍ୟାଙ୍କ୍ କର୍ତ୍ତୃପକ୍ଷ ଙ୍କର ଏତାଦୃଶ ଅସ୍ପୃହଣୀୟ ଆଚରଣ କୁ ସାଧାରଣ ରେ ଘୋର ନାପସନ୍ଦ କରାଯାଉଛି । ବିଶେଷ କରି କରୋନା କାଳରେ ସମଗ୍ର ବିଶ୍ଵ ଓ ଦେଶର ଅର୍ଥ ବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ଏସ.ବି.ଆଇ ଭଳି ବିଶ୍ବାସନୀୟ ବ୍ୟାଙ୍କ ଶ୍ରୀ ଦାଶଙ୍କ ପରି ଜଣେ ଉଦୀୟମାନ ଶିଳ୍ପୋୁଦ୍ୟୋଗୀ ଏବଂ ନିରୀହ ଗ୍ରାହକଙ୍କ ପ୍ରତି ସମବେଦନା ଭାବନା ବ୍ୟକ୍ତ କରିବା ପରିବର୍ତ୍ତେ ଏଭଳି କଠୋର ଅମାନବିକ ଆଚରଣ ଗ୍ରହଣ କରିବା ତୀବ୍ର ନିନ୍ଦନୀୟ ବୋଲି ନ୍ୟାସନାଲ ବ୍ୟାଙ୍କ୍ ୱାଚ୍ ର ଓଡ଼ିଶା ଶାଖା ସଭାପତି କୃଷ୍ଣ ଚନ୍ଦ୍ର ଆଇଚ ମତପ୍ରକାଶ କରିଛନ୍ତି । ବର୍ତ୍ତମାନ ଏହି ମାମଲା ଉପରେ ଖଣ୍ଡଗିରି ଥାନାର ଅଧିକାରୀ ଏମ୍.ଡି. ଜାମସେଦ ଅନୁସନ୍ଧାନ ଜାରୀ ରଖିଥିବା ଜଣାଯାଇଛି । ଅଭିଯୋଗକାରୀ ଙ୍କ ତରଫରୁ ବରିଷ୍ଠ ଆଇନଜୀବି ଦେବୀ ପ୍ରସାଦ ତ୍ରିପାଠୀ ଉଚ୍ଚ ନ୍ୟାୟାଳୟ ରେ ମକଦ୍ଦମା ପରିଚାଳନା କରୁଛନ୍ତି ।
