କଂଗ୍ରେସ ଭବନରେ ପଶି କିଏ କଲା ଭଙ୍ଗାରୁଜା ?

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଅକ୍ଟୋବର ବୁଧବାର ) ଭୁବନେଶ୍ୱର :-ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। କେତେକ ଯୁବକ ଯୁବ କଂଗ୍ରେସ ଅଫିସ୍‌ ତାଲା ଭାଙ୍ଗି ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଆଜି ସକାଳ ପ୍ରାୟ ୬ଟା ସମୟରେ ଏହି ଘଟଣା ଘଟିଛି। ଅଫିସ୍‌ ଭିତରେ ଥିବା ଚେୟାର, ଟେବୁଲ ଓ ଆସବାବପତ୍ର ଭାଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଭଙ୍ଗାରୁଜା ପରେ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ତେବେ ଏହି ଭଙ୍ଗାରୁଜାରେ କିଏ ସାମିଲ ଅଛନ୍ତି? କାହିଁକି ଏଭଳି ଭଙ୍ଗାରୁଜା କରିଛନ୍ତି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ।

ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ କହିଛନ୍ତି, “କଂଗ୍ରେସ ଭବନରେ ଭଙ୍ଗାରୁଜା ହେବା ଏକ ଚିନ୍ତା ଜନକ କଥା। କିଏ କଂଗ୍ରେସ ଭବନ ଭିତରେ ପଶିଲା? ତାହାର ତଦନ୍ତ ହେବା ଦରକାର। ମିଳିଥିବା ସୂଚନା ମୁତାବକ, ମୁହଁ ମୁଖା ଓ ହାତରେ ଗ୍ଲୋବ ପିନ୍ଧି ଅଫିସ୍‌ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଆକ୍ରମଣକାରୀମାନେ ତାଙ୍କ ପରିଚୟ ଦେବାକୁ ଭୟ କରୁଛନ୍ତି। କେବଳ ଯୁବ କଂଗ୍ରେସ ଅଫିସ୍‌ ଭଙ୍ଗା ଯାଇନି। କଂଗ୍ରେସ ଅଫିସ୍‌କୁ ମଧ୍ୟ ଭଙ୍ଗା ଯାଇଛି।”
କଂଗ୍ରେସ ନେତା ନିହାର ରଞ୍ଜନ ବେହେରା କହିଛନ୍ତି-“କଂଗ୍ରେସ ଭବନ

ହେଉଛି ଆମ ପାଇଁ ମନ୍ଦିର। ଏହା ଭିତରେ ପଶି ଯୁବ କଂଗ୍ରେସ ଅଫିସ୍‌ ଭଙ୍ଗିଲା କିଏ? ବିଜେପି ଓ ବିଜେଡିର ସାହସ ନାହିଁ ଯେ, ସେମାନେ କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା କରିବେ। ତେଣୁ ଆମ ଭିତରୁ କେହି ଭଙ୍ଗାଭଙ୍ଗି କରିଛନ୍ତି। ଯୁବ କଂଗ୍ରେସ ଶାସକ ବିଜେଡି ସହିତ ସାଲିସ କରିଛି। ଯାହାକୁ ସାଧାରଣ କଂଗ୍ରେସ କର୍ମୀଟିଏ ସହିପାରୁନାହାନ୍ତି। ଯେଉଁଥିପାଇଁ କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଥାଇ ପାରେ।”

ସେ ଆହୁରି ମଧ୍ୟ କହିଛନ୍ତି-“ଯୁବ କଂଗ୍ରେସ ସଭାପତି ଅଫିସ ଆସୁନାହାନ୍ତି। କଂଗ୍ରେସର ପ୍ରତିବାଦ ଓ ଶୋଭାଯାତ୍ରାରେ ତାଙ୍କୁ ଦେଖିବାକୁ ମିଳୁନାହିଁ। ଯେଉଁଥିପାଇଁ ତାଙ୍କୁ ସବୁଠି ବିରୋଧ କରାଯାଇଛି। ଏପରିକି କଂଗ୍ରେସ ଭିତରେ ତାଙ୍କୁ ପୂରାଇ ଦିଆଯାଇନଥିଲା। ଯୁବ କଂଗ୍ରେସ ଭିତରେ ଥିବା ଗୋଷ୍ଠୀ କନ୍ଦଳ ଯୋଗୁ କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଛି।”

Exit mobile version