ଏକ୍ସପ୍ରେସ ଟ୍ରେନ ରହଣୀ ଦାବିରେ ଦାବିପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୯ ଅକ୍ଟୋବର ଶନିବାର) କଳାହାଣ୍ଡି :- ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ ଅନ୍ତର୍ଗତ ରୁପ୍ରାରୋଡ ରେଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ଗୁଡିକ ରହଣୀ ଦାବିରେ ରୁପ୍ରାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ରୁପ୍ରାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତି ସଭାପତି ତଥା ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନେତୃତ୍ବରେ ଆଇନଜୀବୀ ସୁବାଷ ଚନ୍ଦ୍ର ଅଗ୍ରୱାଲ, ରାଧେଶ୍ୟାମ ଖେତାନ, ଶ୍ୟାମସୁନ୍ଦର ଶର୍ମା, ରତନଲାଲ ଅଗ୍ରୱାଲ, ନୀରଜ ଶର୍ମା, ଟୁଟୁ ସେଠୀ ପ୍ରମୁଖ ସହ ଅନେକ ରେଳ ଯାତ୍ରୀ ସୁରକ୍ଷା ସମିତି ସଦସ୍ୟମାନେ ଏକାଠି ହୋଇ ରୁପ୍ରାରୋଡ ଷ୍ଟେସନ ଅଧିକ୍ଷକଙ୍କ ଜରିଆରେ ଏକ ଦାବିପତ୍ର ଜିଏମଙ୍କୁ ପ୍ରଦାନ କରିଥିଲେ ।

ଏହି ଷ୍ଟେସନରେ ପୂର୍ବରୁ ରହୁଥିବା ଟ୍ରେନ ଗୁଡିକ ଯଥା ବିଶାଖାପାଟଣା-ନିଜାମୁଦ୍ଦିନ ସମତା ସୁପରଫାଷ୍ଟ, କୋରବା- ବିଶାଖାପାଟଣା ଲିଙ୍କ, ପୁରୀ ଅହମଦାବାଦ, ଏଲେପି ଧନବାଦ ଆଦି ଏକ୍ସପ୍ରେସ ଟ୍ରେନ ଗୁଡିକ ପୂର୍ବପରି ରୁପ୍ରାରୋଡ ଷ୍ଟେସନରେ ରହଣୀ ନକଲେ ଆଗାମୀ ଦିନରେ ଏକ ବଡଧରଣର ଆନ୍ଦୋଳନ ହାତକୁ ନିଆଯିବ ବୋଲି ରୁପ୍ରାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ ବର୍ଷ ଠାରୁ ରେଳ ରହଣୀ ଦାବିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ , ନର୍ଲା ବିଧାୟକ ଭୂପିନ୍ଦର ସିଂ ଓ ରେଳ ବିଭାଗ ଉଚ୍ଚ ପଦାଧିକାରୀଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ତେବେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ଜଣାଯାଇଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version