
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଅକ୍ଟୋବର ଶୁକ୍ରବାର ) ବରଗଡ଼ :- ତୋରା ଗ୍ରାମ ପଞ୍ଚାୟତ ତଳିପଡ଼ାର ଜଣେ ଯୁବକ ଗୋବିନ୍ଦ କୁମ୍ଭାର ପୋଲିସ ହେପାଜତରେ ଥିବାବେଳେ ଗତ ସେପ୍ଟେମ୍ବର ୨୫ ତାରିଖ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଶୁକ୍ରବାର ବରଗଡ଼ ସହରରେ ବହୁଜନ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ହୋଇଛି । ମଞ୍ଚର ହଜାର ହଜାର ମହିଳା, ପୁରୁଷ ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରେ ସମବେତ ହୋଇଥିଲେ । ସେଠାରୁ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଏସ୍ପି ଅଫିସ ଛକ ଦେଇ ଜିଲାପାଳ ଅଫିସରେ ପହଞ୍ଚି ଗୋବିନ୍ଦଙ୍କ ମୃତ୍ୟୁରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।
ପ୍ରକାଶ ଥାଉକି, ଗତମାସ ୨୪ ତାରିଖ ବିଳମ୍ବିତ ରାତ୍ରିରେ ବରଗଡ଼ ଟାଉନ ଥାନା ପୋଲିସ ଗୋବିନ୍ଦଙ୍କୁ ଘରୁ ଉଠାଇ ଆଣିଥିଲା । ୨୫ତାରିଖ ସକାଳେ ଜିଲା ମୁଖ୍ୟଡାକ୍ତରଖାନାରେ ପରିବାର ଲୋକେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ଏବଂ ପୋଲିସ ଲାଠି ଚାଳନା ମଧ୍ୟ କରିଥିଲା । ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ପାଇଁ ଏସ୍ପି ରାହୁଲ ଜୈନ ମାନବାଧିକାର ସୁରକ୍ଷା ସେଲ (ଏଚ୍ଆରପିସି) ଏଡିଜିଙ୍କୁ ଅନୁରୋଧ କରିଥିଲେ । ଏହି କ୍ରମରେ ଏଚ୍ଆରପିସିସ ଏହି ଘଟଣାର ତଦନ୍ତ କରୁଛନ୍ତି ।
