ବର୍ଷ ବର୍ଷ ଧରି ସୋଲାର ପମ୍ପ ଅଚଳ, ପାନୀୟ ଜଳ ସମସ୍ୟାରେ କମଲେଇ ଗ୍ରାମବାସୀ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଅକ୍ଟୋବର ଗୁରୁବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମଲେଇ ଗ୍ରାମବାସୀ ପିଉଛନ୍ତି ଦୂଷିତ ପାଣି ।ଏହି ଗାଁରେ ହାରାହାରି ୪୦ ଗୋଟି ଆଦିମ ଜନଜାତି (କୁଟିଆ କନ୍ଧ) ସମ୍ପ୍ରଦାୟ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିଲେ ସୁଦ୍ଧା ଏବେ ଯାଏଁ ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ଏହି ଗାଁରେ ପାନୀୟ ଜଳ ଅସୁବିଧା ଯୋଗୁଁ ବ୍ଲକ ପ୍ରଶାସନ ତରଫରୁ ଗତ କିଛି ବର୍ଷ ହେଲା ସୋଲାରପମ୍ପ ସାହାଯ୍ୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା ।

ହେଲେ ସୋଲାରପମ୍ପ ମାତ୍ର ୨ ମାସ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପରେ ଅଚଳ ହୋଇ ଯାଇଥିଲା ।  ଏନେଇ ଗ୍ରାମବାସୀ ସୋଲାର ପମ୍ପକୁ ସଜାଡ଼ିବା ପାଇଁ ପଞ୍ଚାୟତ ସରପଞ୍ଚ , ବ୍ଲକ ଜଳ ଯୋଗାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ଦଶମନ୍ତ ମାଝୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ଉପକାର ପାଇ ନ ଥିବା ଗ୍ରାମବାସୀ କହିଛନ୍ତିି । ଏମାନେ କହୁଛନ୍ତି ଯେ ଆମେ ସୋଲାର ପମ୍ପ ଦାୟିତ୍ୱ ନେଇ ନୁ ଜିଲ୍ଲା ସ୍ତରୀୟ ଏହି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଯୋଗାଯୋଗ କରନ୍ତୁ ।

ଲୋକେ ବାଧ୍ୟ ହୋଇ ଏବେ ଖୋଲା ଆକାଶ ତଳେ ଚାଷ ଜମି କଡରେ ଥିବା ମାଟି ଚୁଆଁ ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି । ଏହି କୂଅ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛୁ ବୋଲି ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତ । ଶେଷରେ ଏହି ପାନୀୟ ଜଳ ସମସ୍ୟା ପ୍ରତି ଜିଲ୍ଲା ସ୍ତରୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Exit mobile version