ଗଜପତି ଜିଲ୍ଲା ଅନ୍ତର୍ଗତ ଅଡବା ପୋଲିସକୁ ମିଳିଛି ବଡ଼ସଫଳତା ୨୦ କୁଇଣ୍ଟାଲ ଗଞ୍ଜେଇ ସହ ଦୁଇ ଗିରଫ – ଗ୍ରାନାଇଟ ବୋଝେଇ ଟ୍ର୍ରକ ଜବତ

ଓଡ଼ିଶା ତାଜା ନ୍ୟୁଜ୍ (୦୪ ଅକ୍ଟୋବର ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର  ଅଡ଼ବା ପୁଲିସକୁ ମିଳିଛି ବଡ଼ ସଫଳତା । ଗଜପତି ଏସପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ୱାବଧାନରେ ଅଡ଼ବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ତାଙ୍କ ଟିମ ଶନିବାର ମଧ୍ୟ ରାତ୍ରିରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ରବିବାର ଦିନ ସକାଳୁ ଗ୍ରାନାଇଟ ବୋଝେଇ ଏକ ଟ୍ରକ ନଂ ୟୁପି୭୮ଡ଼ିଟି୭୦୦୬କୁ ଅଟକାଇ ଯାଞ୍ଚ କରିଥିଲେ ।

ବହୁ ସମୟ ତଲାସି କରିବା ପରେ ଗାଡିର ଡାଲା ଆଗରେ ସୁରକ୍ଷିତ ଭାବେ ରଖାଯାଇଥିବା ୭୦ଟି ବସ୍ତା ଦେଖି ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ମୋହନା ତହସିଲଦାରଙ୍କ ଉପସ୍ଥିତରେ ଗଞ୍ଜେଇ ବସ୍ତା ଗୁଡିକୁ ଓଜନ କରିବାରୁ ତାହା ୨୦ କୁଇଣ୍ଟାଲ ୮ ଶହ ଗ୍ରାମ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିବା ଗାଡି ଚାଳକ ଉତ୍ତର ପ୍ରଦେଶ ଆଲିଗଡ ଅଞ୍ଚଳର ରବି ସିଂ(୩୧) ଓ ସହଯୋଗୀ ରାଜୁ ସିଂ(୨୦)କୁ ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ୫ ହଜାର ୩ ଶହ ଟଙ୍କା ଜବତ କରାଯାଇଛି । ଉକ୍ତ ଗଞ୍ଜେଇ ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ସଂଗୃହୀତ ହୋଇ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ଏସଡିପିଓ ଶ୍ରୀ ନାୟକ କହିଛନ୍ତି ।

Exit mobile version