ଇ-ରୋଗପୋକ ସର୍ବେକ୍ଷଣ ଏବଂ ପୋକ ପରିଚାଳନାର ଦକ୍ଷତା ତାଲିମ୍ ଶିବିର 

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର ) ବାଙ୍କୀ :- ଆଜି ବାଙ୍କୀ ଓ ଡମପଡ଼ା ବ୍ଲକ କୃଷି ବିଭାଗ ପକ୍ଷରୁ ବ୍ରହ୍ମେଇ ନିକଟସ୍ଥ କୃଷି ସୂଚନା କେନ୍ଦ୍ର ପ୍ରାଙ୍ଗଣରେ ଇ-ରୋଗ ପୋକ ସର୍ବେକ୍ଷଣ ଏବଂ ପୋକ ପରିଚାଳନାର ଦକ୍ଷତା ତାଲିମ୍ ଶିବିିର ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ କୃଷି ଜିଲ୍ଲା ଅଧିକାରୀ ଶୈଳେନ୍ଦ୍ର ମହାନ୍ତି ଏହି ଶିବିରକୁ ଉଦ୍‌ଘାଟନ କରି କୃଷି କର୍ମଚାରୀ ଏବଂ ଡିଲରମାନଙ୍କୁ ଆଜିର ଦିବସ ସଂପର୍କରେ ବୁଝାଇଥିଲେ । ବିଭିନ୍ନ ଫସଲର ରୋଗପୋକ ନିୟନ୍ତ୍ରଣ ସଂପର୍କରେ ଆଲୋଚନା କରାଯାଇଥିଲା । ଡି.ବି.ଟି ମାଧ୍ୟମରେ ଚାଷୀମାନଙ୍କୁ ରିହାତି ମୂଲ୍ୟରେ ସିଧା ସଳଖ ଅନୁଦାନ ପ୍ରଦାନ କରିବାର ପଦ୍ଧତି ସଂପର୍କରେ ବିଭିନ୍ନ ଡିଲର ଓ କୁଷିକର୍ମୀମାନଙ୍କୁ ତାଲିମ୍ ଦିଆଯାଇଥିଲା ।

ଧାନ , ପନିପରିବା ତଥା ଅନ୍ୟାନ୍ୟ ଫସଲରେ ଦେଖାଯାଉଥିବା ବିଭିନ୍ନ ରୋଗପୋକର ନିୟନ୍ତ୍ରଣ ପଦ୍ଧତି ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ଶିବିରରେ ବାଙ୍କୀ ଓ ଡମପଡ଼ା ବ୍ଲକର ୨୦ଜଣ ସାର ଡିଲର ଓ ସମସ୍ତ କୃଷି କର୍ମଚାରୀ ଉପସ୍ଥିତ ଥିଲେ । ବାଙ୍କୀବ୍ଲକ  ସରକାରୀ କୃଷି ଅଧିକାରିଣୀ ସ୍ମୃତିଝରା ସାହୁ ଯୋଗଦେଇ ଏହାକୁ ପରିଚାଳନା କରିବା ସହ ପୋକ ସଂର୍ବେକ୍ଷଣ ଉପରେ ବହୁ ଆଧୁନିକ ପ୍ରଣାଳି ସଂପର୍କରେ ଅବଗତ କରାଇଥିଲେ । ଅନଲାଇନ୍ ମାଧ୍ୟମରେ କିପରି ଚାଷୀ ସୁବିଧାରେ ଡିଲରଙ୍କ ଠାରୁ ସାର ଓ କୀଟନାସକ ଔଷଧ ନେଇ ପାରିବେ ସେ ସଂପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଡମପଡ଼ା ବ୍ଲକ ସରକାରୀ କୃଷି ଅଧିକାରିଣୀ ବି.ପି.ରୋଜାଲିନ୍‌, କଳାପଥର କୃଷି ଅଧିକାରିଣୀ ସ୍ୱାଗତା ମହାପାତ୍ର ଅତିଥି ଭାବେ ଯୋଗଦେଇ ପୋକ ପରିଚାଳନା ଓ ତାର ପ୍ରତିକାର ସମ୍ବନ୍ଧରେ ବୁଝାଇଥିଲେ । ଏହି ତାଲିମ୍ ଶିବିରରେ ଡମପଡ଼ା କୃଷି ବିଭାଗର ବି.ଟି.ଏମ୍ ବିଧୁଭୂଷଣ ଜେନା, ବାଙ୍କୀ କୃଷି ବିଭାଗର ବି.ଟି.ଏମ୍ ସୌମ୍ୟରଞ୍ଜନ ନାୟକ ଅଂଶ ଗ୍ରହଣ କରିଥିଲେ ।

Exit mobile version