ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ମାମଲା; ତଦନ୍ତ ପାଇଁ ପହଁଞ୍ଚିଲେ ଏଚ୍‌ଆର୍‌ପିସି ସଦସ୍ୟ

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର) ବରଗଡ଼ :- ବରଗଡ଼ ନିକଟସ୍ଥ ତୋରା ଗ୍ରାମ ପଞ୍ଚାୟତ ତଳିପଡାର ଜନୈକ ଯୁବକ ଗୋବିନ୍ଦ କୁମ୍ଭାର ଟାଉନ ଥାନା ପୋଲିସ ହେପାଜତରେ ଥିବାବେଳେ ଗତ ସେପ୍ଟେମ୍ବର ୨୫ ତାରିଖ ତାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ବରଗଡ଼ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିବା ପରେ ପୋଲିସ ଲାଠି ଚାଳନା ମଧ୍ୟ କରିଥିଲା ।

ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ପାଇଁ ବରଗଡ ଏସ୍‌ପି ରାହୁଲ ଜୈନ ମାନବାଧିକାର ସୁରକ୍ଷା ସେଲ୍‌(ଏଚ୍‌ଆରପିସି) ଏଡିଜିଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହି କ୍ରମରେ ଆଜି ଏଚଆରପିସିର ଦୁଇ ଜଣିଆ ସଦସ୍ୟ ତଦନ୍ତ ପାଇଁ ବରଗଡ଼ରେ ପହଞ୍ଚିଛନ୍ତି । ଏହି ଦଳରେ ଅତିରିକ୍ତ ଏସ୍‌ପି ଇତିକାନ୍ତ ମହାପାତ୍ରଙ୍କ ସହ ଡିଏସ୍‌ପି ବିଦ୍ୟୁତ ପଣ୍ଡା ରହିଛନ୍ତି ।

ସେମାନେ ପ୍ରଥମେ ବରଗଡ଼ ଏସପିଙ୍କୁ ଭେଟି ଆଲୋଚନା କରିବା ପରେ ମୃତ ଗୋବିନ୍ଦଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ବୁଝିଥିଲେ । ପରେ ଥାନାରେ ପହଞ୍ଚି ସବିଶେଷ ତଥ୍ୟ ନେଇଥିଲେ । ତେବେ ଘଟଣାଟି ତଦନ୍ତାଧିନ ଥିବା ଯୋଗୁ ବର୍ତ୍ତମାନ କିଛି କହିବାକୁ ସେମାନେ ମନା କରି ଦେଇଥିଲେ ।

Exit mobile version