ଗଜପତି ଜିଲ୍ଲା ମୋହନା ବ୍ଲକ ଗୋଲାଵର ପ୍ରଭାବରେ ମୋହନା ବ୍ଳକରେ ବର୍ଷା, ଗଛ ଭାଙ୍ଗି ରାସ୍ତା ଅବରୋଧ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ସେପ୍ଟେମ୍ୱର ମଙ୍ଗଳବାର ପାରଳାଖେମୁଣ୍ଡି :- ସାମୁଦ୍ରିକ ବାତ୍ୟା ଗୋଲାଵ ରାଜ୍ୟ ଅତିକ୍ରମ କରି ଫେରିଥିବା ବେଳେ ମୋହନା ବ୍ଳକରେ ବିଶେଷ ପ୍ରଭାବ ପଡିନଥିବା ବେଳେ ଏହା କାଳେ ତାଣ୍ଡବ ଦେଖାଇବ ଏଣୁ ଲୋକେ ଡରି ଭୟଭୀତ ଅବସ୍ଥାରେ ରହିଥିଲେ। ସୋମବାର ଘଣ୍ଚେ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ବର୍ଷାର ମୋଟ ପରିମାଣ ୭୨.୨ ମିଲିମିଟର ହୋଇଥିବା ବ୍ଲକ କାର୍ଯ୍ୟାଳୟରୁ ଜଣାପଡିଛି। ମୋହନା ବ୍ଲକର ପିଣ୍ଡିକି,ମାଣିକପୁର,ଲିଲିଗଡ, ପାଣିଗଣ୍ଡା,ବାଘମାରୀ,ତଲାସିଂ, ରା.ଉଦୟଗିରି ବ୍ଳକର ଚମ୍ପାଘାଟି ଆଦି ସ୍ଥାନ ମାନଙ୍କରେ ଗଛ ପଡି ଜାତୀୟ ରାଜପଥ ୩୨୬(ଏ) ରେ ଗମନାଗମନ କିଛି ଘଣ୍ଟା ପାଇଁ ଠପ ହୋଇ ଯାଇଥିଲା । ୪ଘଣ୍ଟା ଧରି ଦୁଇ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିଲା ।

ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଅଗ୍ନିଶମ ବିଭାଗ ଅଧିକାରୀ ତାରାକାନ୍ତ ମହାପାତ୍ର ଓ ଟିମ ମିଳିତ ଭାବେ ଯାଇ ଘଟଣା ସ୍ଥଳ ରାସ୍ତାରୁ ଗଛ କାଟି ସଫା କରିଥିଲେ। ଜିଲ୍ଲା ପ୍ରଶାସନ ର ନିର୍ଦେଶ କ୍ରମେ ବ୍ଲକ ପ୍ରଶାସନ ଅଧିକାରୀମାନେ ବିଭିନ୍ନ ଗ୍ରାମରେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀ କୁ ଆଣି ରଖିଥିଲେ।ବ୍ଲକର ୧୫୭୩ ଲୋକଙ୍କୁ ଆଣି ୩୧ଟି ଥଇଥାନ କେନ୍ଦ୍ରରେ ରଖି ସେମାନଙ୍କୁ ଦୁଇ ବେଳା ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଦେଇଥିଲେ। ମୋହନା ସହରର ଉଭୟ ପାର୍ଶ୍ଵରେ ବହିଯାଉଥିବା ଦୁଇଟି ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି।

ଦୁର୍ଗମ ଗ୍ରାମରେ ପ୍ରବଳ ବର୍ଷା ପ୍ରଭାବରେ ମାଟି ଝାଟି ଘରର କାନ୍ଥରୁ ମାଟି ଖସିଯାଇଥିବା ଜଣାପଡିଛି। ଲୋକେ ଭୟଭୀତ ହୋଇ ଟିଣ ଛପରକୁ କାଠ ବାନ୍ଧି ରଖିଥିଲେ। ଖଣି ଗ୍ରାମର କାଳୁ ଚରଣ ମଲ୍ଲିକଙ୍କ ପରିବାର ରାତିରେ ଶୋଇଥିବା ସମୟରେ ବର୍ଷା ପ୍ରଭାବରେ ଘରର କାନ୍ଥ ଭୁଷୁଡି ପଡିଥିଲା। ଅଳ୍ପକେ ବର୍ତ୍ତିଯାଇଥିଲେ ପରିବାର ଲୋକେ। ରବିବାର ରାତିରେ ବିଡିଓ ସାର୍ଥକ ସୌରଭ ମହାପାତ୍ର, ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡା, ଥାନା ଅଧିକାରୀ ସୁଜିତ କୁମାର ନାୟକ ମିଳତ ଭାବେ ବିଭିନ୍ନ ଆଶ୍ରୟସ୍ଥଳୀ ବୁଲି ଦେଖିଥିଲେ। ଅନେକ ସ୍ଥାନରେ ବିଦ୍ୟୁତ ସରାଵରାହ ଓ ମୋବାଇଲ ସେବା ବନ୍ଦ ରହିଥିବା ଜଣାପଡିଛି । (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version