ଆୟୁଷ ଡ଼ାକ୍ତରଙ୍କ ସାମ୍ବାଦିକ ସମ୍ମିଳନୀ ; ଆସନ୍ତା ଅକ୍ଟୋବର ୨ ରୁ କାର୍ଯ୍ୟରେ ଅସହଯୋଗ କରିବାକୁ ଚେତାବନୀ –  ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ସେପ୍ଟେମ୍ୱର ମଙ୍ଗଳବାର ଢେଙ୍କାନାଳ :- ଆଜି ପୂର୍ବାହ୍ନରେ ସହରର ମୀନା ବଜାର ସ୍ଥିତ ହୋଟେଲ ଆର୍ କେ ରେଜେନ୍ସି ଠାରେ ଜିଲ୍ଲାରେ କାର୍ଯ୍ୟରତ ଆୟୁଷ ଡ଼ାକ୍ତରଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପୂରଣ ନହେଲେ ଗାନ୍ଧୀ ଜୟନ୍ତୀ ଦିନ ତଥା ଅସନ୍ତା ଅକ୍ଟୋବର ୨ ରୁ କାର୍ଯ୍ୟରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି ଜିଲ୍ଲା ସଭାପତି କମଳାକାନ୍ତ ରାଉତ।

୨୦୦୭ ମସିହାରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଓଡ଼ିଶାର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସମୁଦାୟ ୧୧୫୦ ଜଣ ଆୟୁଷ ଡ଼ାକ୍ତର ଠିକା ଭାବେ କାର୍ଯ୍ୟ କରି ଆସୁଛନ୍ତି। ତେବେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୧ ଟି ପଦବୀରୁ ସମୁଦାୟ ୩୭ ଜଣ ଆୟୁଷ ଡ଼ାକ୍ତର ନିୟୋଜିତ ହୋଇ ନିଷ୍ଠା ଓ ଦକ୍ଷତାର ସହ ନିରବର୍ଚ୍ଛିନ ଭାବରେ କାର୍ଯ୍ୟ କରିଆସୁଛନ୍ତି। ଦୀର୍ଘ ୧୪ ବର୍ଷ ଚାକିରି କାଳରେ ବୟସ ଗଡ଼ି ଗଲାଣି, ହେଲେ ସାମାନ୍ୟ ଚପରାସି ଠୁ କମ୍ ବେତନ ମିଳୁଛି । ଯାହାକି ଆୟୁଷ ଡ଼ାକ୍ତରଙ୍କ ସମ୍ମାନକୁ ନଷ୍ଟ କରୁଛି ଏବଂ ସେମାନେ ମାନସିକ, ଶାରୀରିକ, ସାମାଜିକ ଓ ଆର୍ଥିକ ସ୍ତରରେ ଭାଙ୍ଗି ପଡିଛନ୍ତି ।

ଏ ନେଇ ରାଜ୍ୟ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଦର୍ଶାଯାଇଛି। ଯଦି ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ନିଜର ନ୍ୟାର୍ଯ୍ୟ ଦାବି ପୂରଣ ନ ହୁଏ ତେବେ ଆସନ୍ତା ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀ ଠାରୁ କୋଭିଡ ସହ ସମ୍ପର୍କିତ କାର୍ଯ୍ୟ, ଜରୁରୀକାଳୀନ ସେବା,ଓପିଡି/ଆଇପିଡି, ଗର୍ଭବତୀ ଓ ପ୍ରସୂତି ସେବା, ଇ- ସଞ୍ଜିବନି ଏବଂ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି ସଂଘର ସଭାପତି ଓ ଉପସ୍ଥିତ ସଦସ୍ୟ ମାନେ। (ରିପୋର୍ଟ, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version