Home ଓଡ଼ିଶା ସରିଲା ପ୍ରଚାର, ୩୦ରେ ମତଦାନ : ପିପିଲି ଉପନିର୍ବାଚନ – ଅକ୍ଟୋବର ୩ ତାରିଖରେ ଭୋଟ ଗଣତି by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୮ ସେପ୍ଟେମ୍ୱର ମଙ୍ଗଳବାର ) ଭୁବନେଶ୍ୱର/ପିପିଲି :- ୨୦୨୦ ମସିହା ଅକ୍ଟୋବର ୨୦ ତାରିଖରେ କରୋନା ଯୋଗୁଁ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଛି । ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଆନୁଷ୍ଠାନିକ ଭାବେ ସୋମବାର ଅପରାହ୍ନରେ ଶେଷ ହୋଇଛି । କାର୍ଯ୍ୟସୂଚୀ ଅନୁସାରେ ସେପ୍ଟେମ୍ବର ୩୦ ତାରିଖରେ ପିପିଲିରେ ଭୋଟ ଗ୍ରହଣ କରାଯିବ ଓ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି କରାଯାଇ ଫଳ ପ୍ରକାଶ ପାଇବ । ପିପିଲିରେ ବିଗତ କିଛି ଦିନ ଧରି ବିଜେପି, ବିଜେଡି ଏବଂ କଂଗ୍ରେସ ଦଳ ପକ୍ଷରୁ ଘମାଘୋଟ ପ୍ରଚାର ଚାଲିଥିଲା । କୋଭିଡ କଟକଣା ଭିତରେ ବି ଦଳୀୟ ପ୍ରାର୍ଥୀ ଏବଂ କର୍ମୀମାନେ ରାତି ଦିନ ଏକାକାର କରିଦେଇଥିଲେ । ଏଥିରୁ ପିପିଲି ଉପନିର୍ବାଚନର ଗୁରୁତ୍ୱକୁ ବୁଝିହେବ । ତିନି ଦଳର ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିବାବେଳେ ଲୋକେ କାହାକୁ ପ୍ରକୃତରେ ପସନ୍ଦ କରିଛନ୍ତି ତାହା ୩ରେ ହିଁ ଜଣାପଡ଼ିବ । ଏଥି ପୂର୍ବରୁ ପିପିଲିରେ ଦୁଇ ଦୁଇଥର ନିର୍ବାଚନ ଘୁଞ୍ଚା ଯାଇଥିଲା । ପ୍ରଥମେ ଏପ୍ରିଲ ୧୭ରେ ଏହି ନିର୍ବାଚନ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ବିଶ୍ଵକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯିବା ପରେ ଉପନିର୍ବାଚନ ମେ’ ୪ ରେ ହେବ ବୋଲି ଘୋଷଣା କରିଥିଲେ ନିର୍ବାଚନ କମିସନ । କିନ୍ତୁ କରୋନା ମାମଲା ବୃଦ୍ଧି ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିବାରୁ ନିର୍ବାଚନ ତାରିଖକୁ ପୁଣି ଘୁଞ୍ଚାଇ ଦିଆଯାଇଥିଲା । ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ସ୍ଵର୍ଗତ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରା ଯାଇଥିବାବେଳେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ଆଶ୍ରିତ ପଟ୍ଟନାୟକ ୨୦୧୯ରେ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମହାରଥୀଙ୍କ ବିରୁଦ୍ଧରେ ଲଢ଼ିଥିଲେ । କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ବ୍ୟତୀତ ଆଉ ୭ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ କୁହାଯାଉଥିବା ପିପିଲି ନିର୍ବାଚନ ମଣ୍ଡଳୀ ହେଉଛି ଶାସକ ବିଜେଡିର ଦୁର୍ଗ । ବିଜେଡ଼ି ଓ ମହାରଥୀ ପରିବାରର ପତିଆରା ଏଠି ଖୁବ ଅଧିକ । ଅତୀତରେ ଏହି ଆସନରୁ ବିଜେପି କେବେ ବି ଜିତି ନାହିଁ । ପ୍ରଦୀପ ମହାରଥୀ ଏହି ଆସନରୁ ୭ ଥର ଜିତି ବିଧାନସଭାକୁ ଯାଇଥିଲେ ଓ ମନ୍ତ୍ରୀ ମଧ୍ୟ ହୋଇଥିଲେ । ୨୦୨୧ ପିପିଲି ଉପନିର୍ବାଚନ ସବୁ ଦଳ ପାଇଁ ଏଥି ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ନିର୍ବାଚନ । ବିଜେଡ଼ିର ରୁଦ୍ର ମହାରଥୀ ଯଦି ଏଠାରୁ ବିଜୟ ଲାଭ କରନ୍ତି, ତେବେ ଧରି ନିଆଯିବ ଯେ ଏବେବି ବିଜେଡିର ଲୋକପ୍ରିୟତା ପିପିଲିରେ ଅତୁଟ ରହିଛି । ଯଦି ବିଜେପିର ପ୍ରାର୍ଥୀ ଜିତନ୍ତି ଏହା ବୁଝାଯିବ ଯେ, ଉପକୂଳ ଓଡ଼ିଶାରେ ବିଜେପିର ଲୋକପ୍ରିୟତା ବୃଦ୍ଧି ପାଇଛି । ବିଜେପି ପାଇଁ ଏହି ନିର୍ବାଚନ ଆଗକୁ ଭଲ ସମୟ ଆଣିବ କି ନା ତାହା ବି ଉପନିର୍ବାଚନରୁ ଜଣାପଡ଼ିବ । ପିପିଲି ବିଧାନସଭା ଉପନିର୍ବାଚନରେ ଲଢ଼େଇଟି କେବଳ ବିଜେପି ଓ ବିଜେଡି ମଧ୍ୟରେ ସୀମିତ ରହିଛି । ଯଦିଓ ପୂର୍ବରୁ ଥରେ ଦୁଇଥର କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି, ଏବେ କିନ୍ତୁ କଂଗ୍ରେସ ଦଳର ପ୍ରଦର୍ଶନ ଏତେଟା ଭଲ ନଥିବା ସାଧାରଣରେ ମତ ପ୍ରକାଶ ପାଉଛି । ତେଣୁ ଚଳିତ ଥର ମଧ୍ୟ କଂଗେସ ଦଳ ତୃତୀୟ ସ୍ଥାନରେ ରହିପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । Categories: ଓଡ଼ିଶା, ପୁରୀ, ରାଜନୀତି, ହୋମ୍ Related Content ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 20, 2026 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା ବୈଠକ by Proprietor Abhimanyu Maharana September 20, 2026 ବହୁ ଚର୍ଚ୍ଚିତ "ବ୍ରାହ୍ମଣୀ ମାଉସୀ" ଙ୍କୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସମର୍ପଣ ବୃଦ୍ଧା ଶ୍ରମ ରେ ଥଇଥାନ by Proprietor Abhimanyu Maharana September 20, 2026 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026