ଆନ୍ଧ୍ରପ୍ରଦେଶର ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଗୁଲାବ’

ଓଡ଼ିଶା ତାଜା ନ୍ୟୁଜ୍ (୨୬ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :–  ବାତ୍ୟା ଗୁଲାବର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । କିଛି ସ୍ଥାନରେ ତୁହାକୁ ତୁହା ପବନର ଝଟକା ଲାଗୁଛି । ବାତ୍ୟାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଦେଖିବାକୁ ମିଳିଛି । ଉପକୂଳର ଯେତେ ନିକଟତର ହେଉଥିଲା ସେତେ ତୀବ୍ର ହୋଇଥିଲା ବାତ୍ୟା । ବିଶାଖପାଟଣା ଓ ଗୋପାଳପୁରସ୍ଥିତ ପାଣିପାଗ ବିଭାଗର ଡପଲର୍ ରାଡାର ବାତ୍ୟାର ଗତିପଥ ଉପରେ ଲଗାତର ନଜର ରଖିଛନ୍ତି । ଆକଳନ ଅନୁଯାୟୀ ରବିବାର ସନ୍ଧ୍ୟାରେ ଓଡିଶାର ଗୋପାଳପୁର ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ମଝିରେ ସ୍ଥଳଭାଗ ଛୁଇଁବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲା ଗୁଲାବ ।

ତେଣୁ ସଂଧ୍ୟାରୁ ମଧ୍ୟରାତ୍ର ଯାଏଁ ବାତ୍ୟାର ପ୍ରଭାବ ସର୍ବାଧିକ ରହିବ ବୋଲି ଆକଳନ କରାଯାଇଛି। ପୂର୍ବ ଆକଳନ ଅନୁସାରେ ସମୟରେ ପବନର ବେଗ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିଛି । ପବନର ଝଟକା ସର୍ବାଧିକ ୯୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଗଜପତି ଓ ଗଞ୍ଜାମ ଉପରେ ପବନର ବେଗ ଅଧିକ ରହିବ ।

ଗୋପାଳପୁର ବନ୍ଦର ପାଇଁ ୭ନମ୍ବର ବିପଦ ସଙ୍କେତ, ପୁରୀ ପାଇଁ ୬ନମ୍ବର, ପାରାଦୀପ ଓ ଧାମରା ବନ୍ଦର ପାଇଁ ୩ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ବାତ୍ୟା ଗୁଲାବ ନେଇ ଓଡିଶାର ୭ଜିଲ୍ଲାରୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିରେ ଆସନ୍ତା ୨୪ଘଣ୍ଟା ଭିତରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପ୍ରବଳ ବର୍ଷା ନେଇ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ କଳାହାଣ୍ଡି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ରାଜ୍ୟର ୧୦ଜିଲ୍ଲା- ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ ନୂଆପଡାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁ ଗଜପତି ଗୁମ୍ମା ବ୍ଲକରେ ମାଟି ଅତଡ଼ା ଧସିଛି । ଫଳରେ ରାମନାଗୁଡ଼ାରୁ ଅଜୟଗଡ଼ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଗଜପତି ଗଣ୍ଡାହାତୀ ପଞ୍ଚାୟତର ପାହାଡ ଧସିବା ଆଶଙ୍କା ଥିବାରୁ ୧୦ ଗାଁରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ରବିବାର ସଂଧ୍ୟାରୁ ସୋମବାର ସକାଳ ୯ଟା ଯାଏଁ ପ୍ରଭାବିତ ଜିଲ୍ଲାରେ କେହି ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । କଚ୍ଚା ଘରେ ଥିଲେ ପକ୍କା ଘରକୁ ଯାଅନ୍ତୁ। ପାହାଡିଆ ଅଞ୍ଚଳରେ ନଦୀ, ନାଳ ଫୁଲିବାର ସମ୍ଭାବନା ଅଛି। ତେଣୁ ପାଣି ଥିବା ବେଳେ କେହି ପ୍ରବେଶ କରନ୍ତୁ ନାହିଁ ବା ଯାତାୟତ କରନ୍ତୁ ନାହିଁ ବୋଲି ଏସଆରସି ପରାମର୍ଶ ଦେଇଛନ୍ତି ।

Exit mobile version