ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀଙ୍କୁ ଚତୁର୍ଥ ସେବା ରତ୍ନ ସମ୍ମାନ ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ସେପ୍ଟେମ୍ବର ରବିବାର ଭୁବନେଶ୍ୱର :- ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀଙ୍କୁ ଚତୁର୍ଥ ସେବା ରତ୍ନ ସମ୍ମାନ ପ୍ରଦାନ କରାଯାଇଛି । ଶନିବାର ଏଠାକାର ଜିକେଏମ୍‍ ଓଡ଼ିଶୀ ଗବେଷଣା କେନ୍ଦ୍ରସ୍ଥିତ ଉତ୍କଳ ରଙ୍ଗମଞ୍ଚଠାରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀ ସୁଜୀତ କୁମାର, ଶ୍ରୀ ଦ୍ୱିବେଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସହିଦନଗରସ୍ଥିତ ଜୟ ମା’ ଭବାନୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଦିଆଯାଉଥିବା ଏହି ପୁରସ୍କାର ପାଇବା ପାଇଁ ସାମ୍ବାଦିକତା ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ସକାଶେ ଶ୍ରୀ ଦ୍ୱିବେଦୀଙ୍କୁ ଯୋଗ୍ୟ ବିବେଚିତ କରାଯାଇଥିବା ଜଣାଯାଇଛି ।

ନୂଆଦିଲ୍ଲୀଠାରେ ଅବସ୍ଥାପିତ କିଶୋର ଦ୍ୱିବେଦୀ, ଦୀର୍ଘ ୩୭ବର୍ଷର ସାମ୍ବାଦିକତା ଜୀବନରେ ଓଡ଼ିଶାର ତିନି ବୃହତ ସମ୍ବାଦପତ୍ର ‘ସମାଜ’, ‘ସମ୍ବାଦ’ ଓ ‘ପ୍ରଜାତନ୍ତ୍ର’ର ଦିଲ୍ଲୀ ବ୍ୟୁରୋ ମୁଖ୍ୟ ଭାବରେ କାର୍ଯ୍ୟ କରି ବେଶ୍‍ ସୁନାମ ଅର୍ଜନ କରିଛନ୍ତି । ସେ ପାଞ୍ଚ ଥର ପାଇଁ ଲୋକସଭା ପ୍ରେସ୍‍ ପରାମର୍ଶଦାତା କମିଟିର ସଦସ୍ୟ ହେବାର ଗୌରବ ଲାଭ କରିଛନ୍ତି । ଶ୍ରୀ ଦ୍ୱିବେଦୀ ଏବେ ନବଗଠିତ ‘ବିଶ୍ୱ ଓଡ଼ିଶା ସମାଜ’ର ପ୍ରଥମ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ ହୋଇଛନ୍ତି । ଏହା ସହିତ ସେ ଦିଲ୍ଲୀ ଓଡ଼ିଶା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭାପତି ଓ ବନ୍ଦେ ଉତ୍କଳ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ମଧ୍ୟ ଅଛନ୍ତି ।

ପୁରସ୍କୃତ ହୋଇଥିବା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଚିତ୍ରତାରକା ତତ୍ତ୍ୱପ୍ରକାଶ ଶତପଥୀ (ପପୁ ପମ୍‍ପମ୍‍), ପୁରୀର ଦଇତାପତି କିର୍ତ୍ତୀ ଦାଶ, ବୈଦ୍ୟୁତିକ ଗଣମାଧ୍ୟମର ସ୍ୱାଧୀନ ରାଉତ, ଡକ୍ଟର ସନ୍ଦୀପ ଦାସ, ଡକ୍ଟର ସୂର୍ଯ୍ୟପ୍ରକାଶ ଚୌଧୁରୀ, ଡକ୍ଟର ଆଲୋକ କାନୁନ୍‍ଗୋ, ବିଶିଷ୍ଟ ଶିକ୍ଷାବିତ୍‍ ବିଷ୍ଣୁମୋହନ ମହାନ୍ତି, ଚଳଚ୍ଚିତ୍ର ନିର୍ଦ୍ଦେଶକ ମାନସ ପରିଡ଼ା, ଶ୍ରୀମତୀ ମାନସୀ ପୃଷ୍ଟି, ସ୍ୱନାମ ଧନ୍ୟ କବି ଡକ୍ଟର ସୁବା ଦାସ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ପୁରସ୍କାର ବିତରଣ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ପ୍ରଖ୍ୟାତ ବିଦ୍ୱାନ ରଜତ କର ଯୋଗଦେଇଥିଲେ ।

ସେବା ରତ୍ନ ସମ୍ମାନର ପ୍ରତିଷ୍ଠାତା ଜୟ ମା’ ଭବାନୀ ଚାରିଟେବୁଲ ଟ୍ରଷ୍ଟର ସଭାପତି ଡଃ ନାରାୟଣ ମହାପାତ୍ର, ସମାଜର ଅସହାୟ ଓ ଦୁଃସ୍ଥ ବରିଷ୍ଠ ନାଗରିକମାନଙ୍କର ସେବା ଓ ଯତ୍ନ ଉଦ୍ଦେଶ୍ୟରେ ତାଙ୍କର ଅନୁଷ୍ଠାନ ସଦା ସମର୍ପିତ ବୋଲି ଏହି ଅବସରରେ ଘୋଷଣା କରିଥିଲେ । ଇଂଞ୍ଜିିନିୟର ଅଭିନନ୍ଦନ ଦାସ ସୂଚାରୁ ରୂପେ ମଞ୍ଚ ସଂଚାଳନା କରିଥିଲେ ।

 

Exit mobile version