ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମରଣ ଯନ୍ତା ପାଲଟିଛି : ପ୍ରଶାସନ ର ନିଘା ନାହିଁ….

ତାଜା ନ୍ୟୁଜ୍ (୨୫ ସେପ୍ଟେମ୍ୱର ଶନିବାର ) ବାଲିଗୁଡା :- ଗ୍ରାମ୍ୟ ଉନ୍ନୟନ ବିଭାଗର ରକ୍ଷଣା ବେକ୍ଷଣର ଅଭାବରୁ ଦାରିଙ୍ଗବାଡ଼ି ଠାରୁ ପର୍ତ୍ତମାହା ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କଟି ବର୍ତ୍ତମାନ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ରାସ୍ତାସାରା ଖାଲଖମାରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ବ୍ଲକ କାର୍ଯ୍ୟଳୟ ଦେଇ ଗ୍ରୀନବାଡ଼ି ଓ ପର୍ତ୍ତମାହା ଗ୍ରାମ ପଞ୍ଚାୟତ ମହକୁମା ଯାଏ ଏହି ରାସ୍ତା ରହିଛି। ପର୍ତ୍ତମାହା ପଞ୍ଚାୟତର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଗମନାଗମନ ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଦାରିଙ୍ଗବାଡ଼ି ବଜାରରୁ ବ୍ଲକ୍ ଅଫିସ ଆସିବାକୁ ହେଲେ ଲୋକଙ୍କୁ ଏହି କଦର୍ଯ୍ୟ ରାସ୍ତା ଦେଇ ହିଁ ଆସିବାକୁ ପଡ଼ିଥାଏ ।

ଏଭଳି ଭାବେ ଗ୍ରୀନବାଡ଼ି ଓ ପର୍ତ୍ତମାହାପଞ୍ଚାୟତର କୌଣସି ଗ୍ରାମକୁ ଗଲେ ଏହି ରାସ୍ତା ଦେଇ ଯିବାକୁ ପଡ଼ିଥାଏ। ହେଲେ ରାସ୍ତା ସାରା ଖାଲଖମା ହୋଇଥିବାରୁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ରାସ୍ତା ଖରାପ ଥିବା ଯୋଗୁଁ ଅନେକ ସମୟରେ କାହାରି ଦେହ ଖରାପ ହେଲେ ସଠିକ୍ ସମୟରେ ଆମ୍ବୁଲାନ୍ସ ବି ପହଞ୍ଚି ପାରୁନାହିଁ । ରାସ୍ତା ଖରାପ ଯୋଗୁଁ ଏହି ରାସ୍ତାରେ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ଯ ଘଟୁଥିବା ନଜିର ରହିଛି ।

ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ବେ ଆଜି ପର୍ଯ୍ୟନ୍ତ ରାସ୍ତାଟିର ମରାମତି ହୋଇପାରିନାହିଁ । ଯଥାଶୀଘ୍ର ଉକ୍ତ ରାସ୍ତାର ମରାମତି କରାନଯାଏ ତାହାହେଲେ ଆଗାମୀ ଦିନରେ ଦୁଇ ପଞ୍ଚାୟତବାସୀ ଆନ୍ଦୋଳନ କରିବେ ବୋଲି ପର୍ତ୍ତମାହା ସରପଞ୍ଚ ଫଗୁ ପ୍ରଧାନ ଓ ଗ୍ରୀନବାଡ଼ି ସରପଞ୍ଚ ସଞ୍ଜୟ ପ୍ରଧାନ କହିଛନ୍ତି । (ରିପୋର୍ଟ/ସଞ୍ଜୟ କୁମାର ପାଣିଗ୍ରାହୀ)

Exit mobile version