ସଂସ୍କୃତ ଭାଗବତର ଜନ୍ମ ସମ୍ପର୍କରେ

ଇନ୍ଦୁ ପୂର୍ଣ୍ଣିମା ଓ ଭାଗବତ ଜନ୍ମ
ନାରାୟଣଂ ନମସ୍କୃତ୍ଂୟ
ନରଂ ଚୈବ ନରୋତ୍ତମମ୍ ।
ଦେବୀଂ ସରସ୍ୱତୀଂ ବ୍ୟାସଂ
ତତୋ ଜୟମୁଦୀରୟେତ୍ ||

ମୂକଂ କରୋତି ବାଚାଳଂ
ପଙ୍ଗୁଂ ଲଙ୍ଘୟତେ ଗିରିମ୍ ।
ଯତ୍ କୃପା ତମହଂ ବନ୍ଦେ
ପରମାନନ୍ଦ ମାଧବମ୍ ||

ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାରଭୁବନେଶ୍ୱର :- ଭାଦ୍ରବ ପୂର୍ଣ୍ଣିମା ଇନ୍ଦୁପୁନେଇଁ ବା ‘ଇନ୍ଦ୍ର ପୂର୍ଣ୍ଣିମା ଭାବେ ଖ୍ୟାତ । କୃଷିପ୍ରଧାନ ଭାରତବର୍ଷରେ ବୃଷ୍ଟିଦେବତା ଇନ୍ଦ୍ରଙ୍କ ଜନ୍ମତିଥିକୁ ପ୍ରାଧାନ୍ୟ ଦେଇ ଇନ୍ଦ୍ରୋତ୍ସବ ବହୁ ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇଆସୁଅଛି । ‘ଇନ୍ଦ୍ରୌରମତେ ଇତି ଇନ୍ଦୁ’ । ଇନ୍ଦୁ ଅର୍ଥ ଐଶ୍ୱର୍ଯ୍ୟ ଏବଂ ପ୍ରଦୀପ୍ତ । ଯିଏ ପରମ ଐଶ୍ୱର୍ଯ୍ୟଶାଳୀ ଈଶ୍ୱର ସେ ଇନ୍ଦ୍ରପଦବାଚ୍ୟ ଏବଂ ଯିଏ ପ୍ରଦୀପ୍ତ କରାନ୍ତି ସେ ଇନ୍ଦ୍ର ଅଟନ୍ତି । ମହାଭାରତକାଳୀନ ‘ଇନ୍ଦ୍ରପ୍ରସ୍ଥ’ ଇନ୍ଦ୍ର ଉପାସନାର ସଂକେତ ବହନ କରିଥାଏ । ‘ଇନ୍ଦ୍ର ପ୍ରସ୍ତ ଗମସ୍ତା ବତକାରୀ ମା’ ସନ୍ତୁ ଚେୟଦ’ (ଶିଶୁପାଳ- ମହାକାବ୍ୟ-୨ /୬୩) ।

ଉଦିପୀର ୩ମାଇଲ ପୂର୍ବକୁ ଗଲେ ଏକ ଇନ୍ଦ୍ରାଣୀ ମନ୍ଦିର ଦେଖିବାକୁ ମିଳିଥାଏ । ସେଠାରେ ଦେବୀ ଇନ୍ଦ୍ରାଣୀ ତପସ୍ୟା କରୁଥିଲେ ବୋଲି କିମ୍ବଦନ୍ତୀ ଅଛି । କୋଠିୟାର ଦୁଇ ମାଇଲ ଦୂରବର୍ତ୍ତୀ ନର୍ମଦା ନଦୀ କୂଳରେ ଇନ୍ଦ୍ରେଶ୍ୱର ମନ୍ଦିର ବିରାଜମାନ । ବୁତ୍ରାସୁର ବଧପରେ ଇନ୍ଦ୍ର ଏହିଠାରେ ହିଁ ତପସ୍ୟା କରୁଥିଲେ । ନର୍ମଦା ନଦୀ ଦକ୍ଷିଣ ତଟରେ ଇନ୍ଦ୍ରବାଣ ବୋଲି ଏକ ଗ୍ରାମ ରହିଛି । ଯେଉଁଠାରେ କି ଶତ୍ରତୀର୍ଥ ବିଦ୍ୟମାନ । କଥିତଅଛି କି ଏଠାରେ ଇନ୍ଦ୍ର ତପସ୍ୟା କରି, ଶକ୍ରେଶ୍ୱର ମହାଦେବଙ୍କୁ ପ୍ରତିଷ୍ଠା କରିଥିଲେ ।
 
କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଇନ୍ଦୁପୁରର ବିରୁପା ଓ ବ୍ରାହ୍ମଣୀ ନଦୀର ମିଳନ ସ୍ଥଳୀ ନିକଟରେ ଅବସ୍ଥିତ ଇନ୍ଦ୍ରେଶ୍ୱର ଶିବମନ୍ଦିର ଯାହାକି ଇନ୍ଦ୍ରଙ୍କ ତପସ୍ୟା ସ୍ଥାନ ଥିଲା ପରବର୍ତ୍ତୀ କାଳରେ ରାଜା ଯଜାତୀକେଶରୀ ଏଠାରେ ମନ୍ଦିର ନିର୍ମାଣ କରିଥିଲେ । ଇନ୍ଦ୍ରେଶ୍ବର ମହାଦେବଙ୍କ ନାମାନୁସାରେ ସ୍ଥାନଟିର ନାଁ ଇନ୍ଦୁପୁର ରହିଅଛି ।
 
ପୁରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ଇନ୍ଦ୍ରଙ୍କ ଏକ ବିଗ୍ରହ ଏବଂ ଏକ ମନ୍ଦିର ରହିଅଛି । ତାହାକୁ ଲୋକେ ସୂର୍ଯ୍ୟ ମନ୍ଦିର ବୋଲି ଜାଣନ୍ତି । କୋଣାର୍କର ପତନପରେ ସୂର୍ଯ୍ୟମୂର୍ତ୍ତିକୁ ଅଣାଯାଇ ଇନ୍ଦ୍ରଙ୍କ ସମ୍ମୁଖରେ ରଖାଯାଇଛି । କଳ୍ପବଟ ତଳେ ଦେବୀ ଇନ୍ଦ୍ରାଣୀଙ୍କ ମନ୍ଦିର ବିରାଜମାନ, ଯାହା ଘୁମୁଷର ପଣ୍ଡାଙ୍କ ଅଧିନରେ । ଲକ୍ଷ୍ମୀ ମନ୍ଦିର ସମ୍ମୁଖସ୍ଥ ଶ୍ରୀମନ୍ଦିରର ପିଢ଼ୀକୁ ଦେବସଭା ବୋଲି କୁହାଯାଏ । ଇନ୍ଦ୍ରୋତ୍ସବ ଦିନ ଲକ୍ଷେ ବଳିତା ଝାଡ଼ ଜଳାଯାଇ ଇନ୍ଦ୍ରୋତ୍ସବକୁ ସ୍ୱାଗତ କରାଯାଏ ।
 
ସଂସ୍କୃତ ଭାଗବତର ଜନ୍ମ ସମ୍ପର୍କରେ ଏକ ପ୍ରାଚୀନ କାହାଣୀ ରହିଛି । କାହାଣୀର ପୃଷ୍ଠଭୂମି ଶ୍ରୀମଦ୍ ଭାଗବତ ମହାପୁରାଣର ମାହାତ୍ମ୍ୟ । ପୃଥିବୀର ହାଲଚାଲ ବୁଝିବା ପାଇଁ ଦିନେ ଦେବର୍ଷି ନାରଦଙ୍କର ମନ ବଳିଲା । ତେଣୁ ସେ ବୀଣାବାଦନ ସହ ନାରାୟଣ ନାମ ଉଚ୍ଚାରଣ ପୂର୍ବକ ଧରାବତରଣ କଲେ । ପୃଥିବୀ ପରିଭ୍ରମଣ କରୁଥିବାବେଳେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କ ଦୃଷ୍ଟି ପଥାରୂଢ଼ ହେଲା । ଜନୈକା ସୁନ୍ଦରୀ ତରୁଣୀର ଉଭୟ ପାର୍ଶ୍ୱରେ ଶାୟିତ ଦୁଇଜଣ ବୃଦ୍ଧ । ଅବସ୍ଥା ଜୀବନ୍ମତ । ତରୁଣୀ ଥିଲେ ରୋରୁଦ୍ୟମାନା । ଦେବର୍ଷି ଏହି ବିରଳ ଦୃଶ୍ୟର ଅର୍ଥ ହଠାତ୍ ବୁଝିପାରିଲେ ନାହିଁ ।

ତରୁଣୀର ନିକଟବର୍ତ୍ତୀ ହୋଇ ଜିଜ୍ଞାସା କଲେ-‘କାହିଁକି କାନ୍ଦୁଛ ? ଏ ବୃଦ୍ଧଦ୍ୱୟ କିଏ ? ତରୁଣୀ କହିଲେ – ମୁଁ ହେଉଛି ‘ଭକ୍ତି’ ଓ ମୋର ଏହି ପୁତ୍ରଦ୍ୱୟ ହେଉଛନ୍ତି ‘ଜ୍ଞାନ ଓ ବୈରାଗ’ । ମୁଁ ମାତା ହୋଇ ମଧ୍ୟ ତରୁଣୀ, ଅଥଚ ମୋର ପୁତ୍ରଦ୍ୱୟ ବାର୍ଦ୍ଧକ୍ୟରେ ପ୍ରପୀଡ଼ିତ । ଏହାର ରହସ୍ୟ ଓ ମୁକ୍ତ ହେବାର ଉପାୟ ବତାଇ ଦିଅନ୍ତୁ ମୁନିବର ।’ ନାରଦ ଦିବ୍ୟ ଦୃଷ୍ଟିରେ ଭକ୍ତି ଦେବୀଙ୍କ ଦୁଃଖର କାରଣ ବୁଝିଲେ । ତେବେ ସନକାଦି ଋଷିମାନଙ୍କର ପରାମର୍ଶ ଥିଲା ଯେ ଶ୍ରୀମଦ୍ ଭାଗବତ ମହାପୁରାଣ ଶ୍ରବଣ କଲେ ଭକ୍ତିଦେବୀଙ୍କ ପୁତ୍ରଦ୍ୱୟ ତାରୁଣ୍ୟ ଫେରିପାଇବେ । ସେମାନଙ୍କ ମୃତ ପ୍ରାୟ ଶରୀରରେ ସ୍ପନ୍ଦିତ ହେବ ନବଜୀବନ ।

ଭାଗବତ ଶ୍ରବଣମାତ୍ରକେ ତାହାହିଁ ଘଟିଲା । ଭାଗବତ ଶ୍ରବଣର ମହତ୍ତ୍ୱ ବିଷୟରେ ଏହିପରି ଅନେକ କାହାଣୀ ରହିଛି । ଭକ୍ତମାନଙ୍କ ପାଇଁ ଭଗବାନଙ୍କ କଣ୍ଠରୁ ଓମ୍ କାର ରୂପକ ତିନି ଅକ୍ଷର ସୃଷ୍ଟି ହେଲା ଓ ଏହା ଅନନ୍ତଙ୍କୁ ଅର୍ପିତ ହେଲା । ଅନନ୍ତ ଚବିଶ ଅକ୍ଷର ବିଶିଷ୍ଟ ଗାୟତ୍ରୀ ମନ୍ତ୍ର ସୃଷ୍ଟି କରି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ସମର୍ପଣ କଲେ । ବ୍ରହ୍ମା ଚାରିଗୋଟି ଶ୍ଳୋକରେ ନାରାୟଣ ଋଷିଙ୍କୁ ପ୍ରଦାନ କଲେ । ଋଷି ଦଶଗୋଟି ଶ୍ଳୋକରେ ମହର୍ଷି ନାରଦଙ୍କୁ, ନାରଦ ଶହେ ଶ୍ଳୋକରେ ବ୍ୟାସଦେବଙ୍କୁ, ବ୍ୟାସ ଅଠର ହଜାର ଶ୍ଳୋକରେ ଶୁକମୁନିଙ୍କୁ ଅର୍ପଣ କରିଥିଲେ । ଶୁକମୁନି ପରୀକ୍ଷିତ ମହାରାଜାଙ୍କୁ ସପ୍ତାହବ୍ୟାପୀ ବୁଝାଇ ବ୍ରହ୍ମଲୀନ କରାଇଥିଲେ । ତା’ପରେ ଜନସାଧାରଣ ତାହାକୁ ଭାଗବତ ବୋଲି ଜାଣି ପୂଜାର୍ଚ୍ଚନା ଓ ଆଲୋଚନା କରିବାରେ ଲାଗିଲେ । ଷାଠିଏ ହଜାର ଋଷିଙ୍କ ପ୍ରତିନିଧି ସ୍ୱରୂପ ଶୌନକ ମୁନି ସୁତମୁନିଙ୍କୁ ଯେଉଁ ପ୍ରଶ୍ନମାନ ପଚାରିଥିଲେ ତାହାର ଉତ୍ତର ଭାଗବତର ପ୍ରଥମରୁ ଦ୍ୱାଦଶ ସ୍କନ୍ଧ ମଧ୍ୟରେ ବର୍ଣ୍ଣିତ ହୋଇଛି
 
(ଉପସ୍ଥାପନ :- ବିଭୁ ପ୍ରସାଦ ନାୟକ)
ସାଧାରଣ ସମ୍ପାଦକ ନୀଳଶୈଳ ଏବଂ ବିଶ୍ବ ଓଡ଼ିଆ ସମ୍ମିଳନୀ

Exit mobile version