
ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ଶନିବାର) ନୂଆଦିଲ୍ଲୀ :- ପୁଣିଥରେ ଦୈନିକ ଟିକାକରଣରରେ ରେକର୍ଡ କରିଛି ଭାରତ । ୪ର୍ଥ ଥର ପାଇଁ ଦେଶରେ ଦୈନିକ ଟିକାକରଣ ୧ କୋଟି ଡୋଜ୍ ପାର କରିଛି । ଏହାକୁ ମିଶାଇ ଦେଶରେ ଏଯାଏ ୭୮ କୋଟିରୁ ଅଧିକ ଡୋଜ୍ର ଟିକାକରଣ ଚାଲିଛି । ଏବେ ବି ବିଭିନ୍ନ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଚାଲୁଥିବାରୁ ରାତି ୯ଟା ସୁଦ୍ଧା ଟିକାକରଣର ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ।
ଆଜିର ଦିନରେ ରେକର୍ଡ ସଂଖ୍ୟକ ଟିକାକରଣର ଡୋଜ୍ ଦେଇ ସରକାରୀ କଳ ଓ ଦଳ ପକ୍ଷରୁ ମୋଦିଙ୍କୁ ଉପହାର ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି କାରଣରୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଚାଲିଛି । ଗୋଟିଏ ଆକଳନ ଅନୁଯାୟୀ, ସମଗ୍ର ଦେଶରେ ପ୍ରତି ମିନିଟ୍ରେ ୪୨ ହଜାର ଡୋଜ୍ ଓ ପ୍ରତି ସେକେଣ୍ଡକୁ ୭୦୦ ଡୋଜ୍ ଟିକାକରଣ ହେଉଛି ।
ଏହି କାରଣରୁ ମଧ୍ୟାହ୍ନ ସୁଦ୍ଧା ଡୋଜ୍ ସଂଖ୍ୟା ୧ କୋଟି ଟପିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଶା କରିଛି ଯେ ସନ୍ଧ୍ୟା ସୁଦ୍ଧା ୨.୫ କୋଟିରୁ ଅଧିକ ଡୋଜ୍ର ଟିକାକରଣ ହେବ । ଏପରି ହେଲେ ଏହା ସମଗ୍ର ବିଶ୍ୱରେ ରେକର୍ଡ ସୃଷ୍ଟି କରିବ । କାରଣ କେଉଁଠି ବି ଆଜି ଯାଏ ଗୋଟିଏ ଦିନରେ ଏତେ ଲୋକଙ୍କୁ ଟିକାର ଡୋଜ୍ ଦିଆଯାଇ ନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଟିକାକରଣରେ ପୁଣି ନୂଆ ରେକର୍ଡ ସୃଷ୍ଟି ହୋଇଛି ।
