ସୁନିଆଁରେ ରଘୁନାଥଙ୍କ ପୀଠରେ ବାମନ ଜନ୍ମ ଓ ସୁନାବେଶ ପାଳିତ – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର,ଶୁକ୍ରବାର ) ଓଡ଼ଗାଁ :- ଆଜି ପବିତ୍ର ଭାଦ୍ରବମାସ ଶୁକ୍ଳପକ୍ଷ ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ଯୁକ୍ତ ଦ୍ଵାଦଶୀ ତିଥିରେ ଶ୍ରୀ ରଘୁନାଥଜୀଉଙ୍କ ପୀଠରେ ବାମନ ଜନ୍ମ ତଥା ସୁନିଆଁ ପର୍ବ ଯଥାରୀତି ବିଧିପୂର୍ବକ ପାଳିତ ହୋଇଯାଇଅଛି । ଏହି ଦିନଠାରୁ ଗଜପତି ମହାରାଜାଙ୍କ ନାମରେ ନୂତନ ଅଙ୍କ ପ୍ରଚଳନ କରାଯାଇ ୧୪୨୮ସାଲ ଆରମ୍ଭ ହୋଇଅଛି । ଶ୍ରୀ ରଘୁନାଥ ଜୀଉଙ୍କୁ ୧୫ କେଜି ବିଶିଷ୍ଟ ତିନୋଟି ସୁବର୍ଣ୍ଣ ସୁନାଥାଳିରେ ତିନିବାଡ଼ କାକରା ଭୋଗ ଲାଗି କରାଯାଇଅଛି । ବାମନ ଜନ୍ମ ଅବସରରେ ପରମ୍ପରା ଅନୁଯାୟୀ ଶ୍ରୀଜୀଉ ମାନେ ନୂତନ ପାଟବସ୍ତ୍ର , ବନାରସି ପୋଷାକ, ସୁବର୍ଣ୍ଣ ମୁକୁଟ ସହିତ ନାନାଦି ଅଳଙ୍କାରରେ ଭୂଷିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ମଧ୍ୟାହ୍ନ ୧୨ ଘଟିକା ସମୟରେ ସୁନିଆଁ ନୀତି ଆରମ୍ଭ ହୋଇଥିଲା ।

ଆଜ୍ଞାମାଳ ପାଇ ପାଟପତନୀବେଷ୍ଟିତ ବନାରସି ଖଟୁଲିରେ ଶ୍ରୀ ରଘୁନାଥ ଓ ମାତା ସୀତାଙ୍କ ସହିତ ଅନୁଜ ଲକ୍ଷ୍ମଣଙ୍କ ବିଜେ ପ୍ରତିମାଙ୍କୁ ସୁନିଆ ନୀତି ଲାଗି ଜୟ ବିଜୟ ଦ୍ୱାରରେ ବିଜେ କରାଯାଇଥିଲା । ତିନୋଟି ସୁବର୍ଣ୍ଣ ଥାଳିରେ ତିନିବାଡ଼ କାକରା ବଢ଼ା ଯାଇ ନୀତିକାନ୍ତି ଅନୁସାରେ ଷୋଡଶ ଉପଚାର ବିଧିରେ ପୂଜାବିଧି ସମ୍ପର୍ଣ୍ଣ କରି ନୈବେଦ୍ୟ ଅର୍ପଣ କରାଯାଇଥିଲା। ମନ୍ଦିରର ସମସ୍ତ ପୂଜାପଣ୍ଡା, ସୁଆର ,ସେବାସୀ ଠାକୁରଙ୍କୁ ସୁନିଆଁ ଭେଟି ପ୍ରଦାନ କରିଥିଲେ । ପରେ ଶ୍ରୀଜୀଉମାନେ ରତ୍ନସିଂହାସନକୁ ବିଜେ କରିଥିଲେ ।

ଆଜି ବଡ଼ ଏକାଦଶୀ, ବିଶ୍ୱକର୍ମା ପୂଜା, ଦ୍ବାଦଷି ଯାତ୍ରାଙ୍ଗି, କନ୍ୟା ସଂକ୍ରାନ୍ତି, ଶିବଙ୍କ ବାର ,ଶୁକ୍ରବାରରେ ପଡ଼ିଥିବାରୁ ଏଭଳି ମିଳନ ରଘୁନାଥଙ୍କ ୨ ଶହ ବର୍ଷ ତଳେ ପଡିଥିଲା । ଏପରି ଦିନରେ ଦର୍ଶନ କଲେ ଭକ୍ତଙ୍କ ଦଶାଖଣ୍ଡନ ଓ ରୋଗମୁକ୍ତ ହୁଏ ଧର୍ମୀୟ ବିଶ୍ୱାସ ରହିଅଛି ।ଆଜିର ପୂଜାପଣ୍ଡା ବେଣୁଧର ନନ୍ଦ ,ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ,ପରିଛା ହରିବନ୍ଧୁ ଷଡଙ୍ଗୀ ,ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର, ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ତତ୍ତ୍ୱାବଧାନକ୍ରମେ ସମସ୍ତ ନୀତି ସୁଚାରୁ ରୂପେ ସମ୍ପାଦନ କରାଯାଇଥିଲା । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version