“ଶ୍ରୀମନ୍ଦିରରେ ବାମନ ଜନ୍ମୋତ୍ସବ”

(ଭାଦ୍ରବ ମାସ ଶୁକ୍ଲପକ୍ଷ ଏକାଦଶ ତିଥି/ ଦିନାର୍ଦ୍ଧେ ଏହା ଦ୍ୱାଦଶୀ ଯୁକ୍ତ ହୋଇଥିବାରୁ ଅଦ୍ୟ ବାମନ ଜନ୍ମୋତ୍ସବ)

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର,ଶୁକ୍ରବାର ) ଭୁବନେଶ୍ୱର :- ଅଦ୍ୟ ଭାଦ୍ରବ ମାସ ଶୁକ୍ଲପକ୍ଷ ଏକାଦଶ ତିଥୀ/ ପାର୍ଶ୍ଵପରିବର୍ତ୍ତନ ଏକାଦଶୀ (ବଡ଼ ଏକାଦଶୀ)। ଦିନାର୍ଦ୍ଧେ ଏହା ଦ୍ୱାଦଶୀ ଯୁକ୍ତ ହୋଇଥିବାରୁ ଅଦ୍ୟ ଶ୍ରୀମନ୍ଦିରରେ ବାମନ ଜନ୍ମୋତ୍ସବ ଏବଂ ଗୃହୀଣାଂ ଜନ୍ମୋପବାସ। ପ୍ରମାଣ ଯଥା : – “ମାସି ଭାଦ୍ର ପଦେ ଶୁକ୍ଳେ ଦ୍ଵାଦଶୀ ଶ୍ରବଣାନ୍ବିତା, ମହତୀ ଦ୍ଵାଦଶୀ ଜ୍ଞେୟା ଉପବାସେ ମହାବଳ।ବୁଧ ଶ୍ରବଣା ସଂଯୁକ୍ତା ସୈବଚ ଦ୍ଵାଦଶୀ ଭବେତ୍।”

ଅଧିକାଂଶ ଗୃହସ୍ଥ ଏହି ଜନ୍ମୋପବାସ ବିଧି ପୁର୍ବକ ପାଳନ କରିଥାନ୍ତି। ସଭିଏଁ କରିବା ମଧ୍ୟ ଉଚିତ କାରଣ ଏହା ଶାସ୍ତ୍ର ସମ୍ମତ।

“ରବୀନ୍ଦୋଃ ରାହୌ ହରିଜନ୍ମକାଳେ ।
କନ୍ଯାପ୍ରଦାନେ ସୁରପୂଜନେ ଚ।
ପ୍ରାଣପ୍ରୟାଣେ ହରିବାସରେ ବା ।
ଯସ୍ଯାନ୍ନଗର୍ଭେ ନରକଂ ପ୍ରୟାତି ।।”

(ସୂର୍ଯ୍ଯପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ , ହରିଙ୍କ ଜନ୍ମ ସମୟରେ ( ରାମନବମୀ, ଜନ୍ମାଷ୍ଟମୀ, ବାମନ ଜନ୍ମ, ନୃସିଂହ ଜନ୍ମ ) କନ୍ଯାଦାନ ସମୟରେ, ଦେବତା ପୂଜନ ସମୟରେ ,ମୁତ୍ଯୁ ସମୟରେ ( ଶବ ପାଖରେ) ଏବଂ ଏକାଦଶୀ ବ୍ରତ ପାଳନ ସମୟରେ ଯାହାରଗର୍ଭରେ ଅନ୍ନଥାଏ ସେ ନର୍କଗାମୀ ହୁଏ।)

ବାମନ ରୂପି ମହାପ୍ରଭୁ ତ୍ରୀବିକ୍ରମ ଙ୍କ ଜନ୍ମୋତ୍ସବ ନୀତି ସମ୍ପର୍କେ ସମ୍ୟକ୍ ଧାରଣା :-

ଭାଦ୍ର ଶୁକ୍ଳ ଦ୍ଵାଦଶୀରେ ମଧ୍ୟାହ୍ନ ପୂଜା ସମାପ୍ତ ପରେ ମହାପ୍ରଭୁଙ୍କୁ ପଞ୍ଚାମୃତ ରେ ମହାସ୍ନାନ, ସର୍ବାଙ୍ଗ, ନୂଆ ଲୁଗା ଲାଗି, ଛ ମୂର୍ତ୍ତୀ ଅଳଙ୍କାର ଲାଗି, ମାଳ ଫୁଲ ଲାଗି ସହିତ ଏକ ଖଣ୍ଡ ଆଜ୍ଞାମାଳ ଲାଗି ହୁଏ । ଏହା ପରେ ଲଙ୍ଗଳା ହୋଇଥିବା ବାମନ ଙ୍କୁ ମହାପ୍ରଭୁଙ୍କ ସମ୍ମୁଖ ରେ ସ୍ଥାପନ ପୂର୍ବକ ଆଜ୍ଞାମାଳ ଦିଆଯାଏ । ପରେ ଉଲଗ୍ନ ବାମନ ଙ୍କୁ ସର୍ବତୋ ଭଦ୍ର ମଣ୍ଡଳରେ ରୂପା ପାତ୍ର ରେ ପୂର୍ବ ମୁଖ ହୋଇ ବସାଯାଏ । ଏହାପରେ ବରୁଣ ପୂଜା, ଆଚାର୍ଯ୍ୟ ବରଣ, ବ୍ରହ୍ମା ବରଣ, ସଂକଳ୍ପ , ସ୍ବସ୍ତି ବାଚନ, ପୁନ୍ୟାହାବଚନ ହୁଏ । ଏହାପରେ ବାମନ ଅଦିତି ଙ୍କ ଗର୍ଭରୁ ଜାତ ହେଇଛନ୍ତି ବୋଲି ଚିନ୍ତା କରି ପଞ୍ଚାମୃତ ରେ ମହାସ୍ନାନ କରାଯାଏ । ପରେ ପଞ୍ଚ ଉପଚାରରେ ଛେନା, ଗୁଡ଼ , ନଡ଼ିଆ ଲଡୁ ନୈବେଦ୍ୟ ହୁଏ ।

ଏହାପରେ ଗର୍ଭଉଦକ ପାଇଁ ଗଣ୍ଡୁସେ ଜଳ ଦିଆଯାଏ । ଏହାପରେ ଆଚାର୍ଯ୍ୟ ହଳେ ପିତାମ୍ବର, ରୂପା ପତ୍ରରେ ପଳେ ଚନ୍ଦନ , ଦୟଣା ମାଳ ଓ ଗୋଳା ହଲଦି ବାମନ ଅଦିତି ଙ୍କ ଗର୍ଭରୁ ଜାତ ହେଲେ ବୋଲି ଚିନ୍ତା କରି ଦେବେ । ଏହାପରେ ଦୁଇଟି ଜିରା ରେ ଲହୁଣୀ ମିଶାଇ ତିନିଟି ବଟିକା ପ୍ରସ୍ତୁତ କରି ଜଳଦୋଷ ଶାନ୍ତି ନିମନ୍ତେ ମୂଳମନ୍ତ୍ର ରେ ବାମନଙ୍କୁ ଦେବେ । ପରେ କର୍ପୁର ଆଳତୀ କରିବେ । ଏହାପରେ ଜଗତ କଲ୍ୟାଣ ପାଇଁ ବାର୍ଶୋଧାରା ଦେବେ । ପରେ ପ୍ରାସାଦ ବାହାରେ ସୁନ୍ଦର ମଣ୍ଡପ ରେ ଚାନ୍ଦୁଆ ବାନ୍ଧି ଖଟ ଶେଯ ପକାଇ ମହାଆଡମ୍ବରରେ ଘଣ୍ଟ, ଛତ୍ର କାହାଳୀ ରେ ବାମନଙ୍କୁ ଖଟ ଉପରେ ଅଷ୍ଟଦଳ ପଦ୍ମ ଉପରେ ବିଜେ କରାଇବେ ।

ପରେ ଆଚାର୍ଯ୍ୟ ହଳେ ଶ୍ବେତ ସୂତା ବସ୍ତ୍ର, କୃଷ୍ଣ ମୃଗ ଚର୍ମ, ତ୍ରୀପୁଣ୍ଡ (ବାମନ ଙ୍କ କପାଳରେ ଚନ୍ଦନ ରେ କରିବେ), ଯଜ୍ଞୋପବିତ, କୁଶ, ଦଣ୍ଡ, କମଣ୍ଡଳୁ ଓ ପାତ୍ରୀ ପ୍ରତ୍ୟେକ କୁ ମୂଳ ମନ୍ତ୍ରରେ ସଂସ୍କାର କରି ବାମନ ଙ୍କୁ ମୂଳ ମନ୍ତ୍ରରେ ପ୍ରଦାନ କରିବେ । ଏହାପରେ ବାମନ ଙ୍କ ଅଗ୍ନି କୋଣ ରେ ସୁରେଶ୍ଵରୀ ଜୟଦୂର୍ଗା ଙ୍କ ପ୍ରତିମାଙ୍କୁ ସ୍ଥାପନ କରିବେ । ଏହାପରେ ଆଚାର୍ଯ୍ୟ ଚିନ୍ତା କରିବେ ବାମନ ରୂପୀ ବିଷ୍ଣୁ ଜନ୍ମ ପରେ ପ୍ରଥମେ ଦୁର୍ଗାଦେବୀଙ୍କୁ ଭିକ୍ଷା ମାଗୁଛନ୍ତି ।

ଦୁର୍ଗେ ଦେବୀ ଜଗଦ୍ଧାତ୍ରୀ ସର୍ବକାମ ପ୍ରଦେନଘେ।
ଦଧି ଭିକ୍ଷାମ୍ ଚ ଦେହି ମେ ଗିରିଜେ ବ୍ରହ୍ମଚାରିଣୀ ।।

ଏହିପରି ବାମନ ଙ୍କ ପ୍ରାର୍ଥନା ଶୁଣି ରାକ୍ଷସ ଙ୍କ ବକ୍ଷ ବିଦାରଣ କରିଥିବା ଦେବୀ ଦୁର୍ଗା ଅନ୍ନପୂର୍ଣ୍ଣା ରୂପେ ବାମନ ଙ୍କୁ ଦଧି ଭିକ୍ଷା ଦେଲେ ବୋଲି ଆଚାର୍ଯ୍ୟ ଆନନ୍ଦ ମନରେ ତିନି ଥର ଚିନ୍ତା କରି ଶୁଦ୍ଧ ମାଟି ପାତ୍ର ରେ ଶୁଭ୍ର ରଙ୍ଗ ର ଦଧି ବାମନ ଙ୍କୁ ସର୍ପା ମଣୋହି କରାଇବେ। ଏହାପରେ ବାମନ ଓ ଦୁର୍ଗା ଦେବୀଙ୍କୁ ପୃଥକ୍ ପୃଥକ୍ ପଞ୍ଚ ଉପଚାରରେ ପୂଜା କରି ଉଭୟଙ୍କୁ ପୃଥକ ପୃଥକ ବନ୍ଦାପନା କରି ସ୍ଵ ସ୍ଥାନ ରେ ବିଜେ କରାଇବେ।

ଆଜିର ପବିତ୍ର ତିଥିରେ ବଟୁବାମନ ରୂପି ତ୍ରୀବିକ୍ରମ, ଜୀବ ରୂପି ବଳି ମାନଙ୍କର ତ୍ରୀଦୋଷ ଦଳନ କରି ଶାନ୍ତି ପ୍ରଦାନ କରନ୍ତୁ, ଏହି ପ୍ରାର୍ଥନା ସହ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ଙ୍କୁ ବାରମ୍ବାର ଦଣ୍ଡବତ।

ଛଳୟସି ବିକ୍ରମଣେ ବଳିମଦ୍ଭୁତ ବାମନଂ ।
ପଦନଖନୀରଜନିତଜନପାବନଂ ॥
କେଶବ ଧୃତ, ବାମନ ରୂପ ।
ଜୟ ଜଗଦୀଶ ହରେ ॥୫॥

(ଶ୍ରୀଜୟଦେବ କୃତ ଦଶାବତାର)

ହରତ୍ବଂ ସଂସାରଂ ଦୃତତରମସାରଂ ସୁରପତେ
ହରତ୍ବଂ ପାପାନାଂ ବିତତି ମପରାଂ ଯାଦବପତେ
ଅହୋ ଦୀନେଽନାଥେ ନିହିତ ଚରଣ ନିଶ୍ଚିତ ପଦମ୍
ଜଗନ୍ନାଥଃ ସ୍ବାମୀ ନୟନ ପଥଗାମୀ ଭବ ତୁମେ ।।

Exit mobile version