ଶାରଦୀୟ ପୂଜାରେ ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗ : ରାୟ ଶୁଣାଣି ଶେଷ – ଉଚ୍ଚ ନ୍ୟାୟାଳୟ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ଶୁକ୍ରବାରଭୁବନେଶ୍ୱର ,କଟକ :- ଶାରଦୀୟ ପୂଜାରେ ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ମୁଖ୍ୟ ବିଚାରପତି ଡକ୍ଟର ଏସ.ମୁରଲୀଧର ଓ ବିଚାରପତି ବିଭୁ ପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ତେବେ କୋଭିଡ ସଂକ୍ରମଣ ସହ ମୂର୍ତ୍ତି ଉଚ୍ଚତାର କୌଣସି ସଂପର୍କ ନାହି ବୋଲି ଆବେଦନକାରୀ ଆଜି ଶୁଣାଣି ସମୟରେ ଯୁକ୍ତି ରଖିଥିବା ବେଳେ ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଚଳିତ ବର୍ଷ କୋଭିଡ୍‌ର ଭୟାବହତା କମ୍‌ ଥିବା ଅଦାଲତଙ୍କୁ ଅବଗତ କରଯାଇଥିଲା ।

ବାଲୁବଜାର ପୂଜା କମିଟି ୧୫୦୯ ମସିହାରୁ ୮ ଫୁଟର ମୂର୍ତ୍ତି ନିର୍ମାଣ କରି ପୂଜା କରି ଆସୁଛି। ୫ଶହ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଧରି ଚାଲିଥିବା ପରମ୍ପରା ଭଙ୍ଗା ଯିବା ଉଚିତ ନୁହେଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଆହୁରି ମଧ୍ୟ ଏହି କମିଟି ସୀମିତ ଲୋକଙ୍କ ମଧ୍ୟରେ ବିସର୍ଜନ ବ୍ୟବସ୍ଥା କୃତ୍ରିମ ପୋଖରୀରେ କରିବ ବୋଲି ଅଦାଲତଙ୍କୁ ଅବଗତ କରାଯାଇଛି। ମା’ଙ୍କର ମୁଖା ଓ ଖଡ଼ମା ପାଞ୍ଚ ଶହ ବର୍ଷର ଓ ଗଣେଶ ପୂଜାଠାରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ଥିବାରୁ ୮ ଫୁଟ ଉଚ୍ଚତାର ମୂର୍ତ୍ତି କରି ପୂଜା କରିବାକୁ ଅନୁମତି ଦିଆଯାଉ ଓ ସରକାରଙ୍କ ସମସ୍ତ ମାର୍ଗଦର୍ଶିକାକୁ ମାନି ପୂଜା କରିବାକୁ ଯୁକ୍ତି ରଖାଯାଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ବାଲୁବଜାର ପୂଜା କମିଟି ପକ୍ଷରୁ ସମ୍ପାଦକ ରମେଶ ଚନ୍ଦ୍ର ବେହେରାଙ୍କ ତରଫରୁ ଆବେଦନ କରାଯାଇ ସେଥିରେ ଦର୍ଶାଯାଇଛି ଯେ ପରମ୍ପରା ଅନୁସାରେ ମା’ ଦୁର୍ଗା ଓ ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କ ମୂର୍ତ୍ତି ନିର୍ମାଣ କରି ପୂଜା ଆୟୋଜନ ପାଇଁ ଅନୁମତି ଦିଆଯାଉ। ଗତ ବର୍ଷ ମଧ୍ୟ ମୂର୍ତ୍ତି ଉଚ୍ଚତା ନେଇ ରାଜ୍ୟ ସରକାର କଟକଣା ଜାରି କରିଥିଲେ। ଏଭଳି ନିୟମାବଳୀ ବିରୋଧରେ କମିଟି ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା।

ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି ବାଲୁବଜାର ପୂଜା କମିଟିକୁ ପରମ୍ପରା ଅନୁସାରେ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦେଇଥିଲେ। ଚଳିତ ବର୍ଷ ବାସନ୍ତୀ ଦୁର୍ଗା ପୂଜାରେ ମଧ୍ୟ ପରମ୍ପରା ଅନୁସାରେ ପ୍ରାୟ ୮ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଇ ପୂଜା ଆୟୋଜନ କରାଯାଇଥିଲା । ଏବେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବା ବେଳେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କଟକଣା ଜାରି କରାଯିବା ଉଚିତ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି  । ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନେରିଆ ଓ ଅନିରୁଦ୍ଧ ସାଙ୍ଗନେରିଆ ମାମଲା ପରିଚାଳନା କରୁଛନ୍ତି ।

Exit mobile version