ପୋଷ୍ଟମ୍ୟାନ : ଘର ସାମନାରେ ଠିଆହୋଇ ଡାକିଲା ଚିଠି ଆସିଛି ନିଅନ୍ତୁ – ସରୋଜ

ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ସୋମବାର ) ରଣପୁର :- ଜଣେ ପୋଷ୍ଟମ୍ୟାନ କୌଣସି ଏକ ଘର ସାମନାରେ ଠିଆହୋଇ ଡାକିଲା  ଚିଠି ଆସିଛି ନିଅନ୍ତୁ । ଘର ଭିତରୁ ଏକ ଝିଅ ଉତ୍ତର ଦେଲା ହଁ ଆସୁଛି । ତିନି ଚାରି ମିନିଟି ବିତିଯିବା ପରେ କେହି ନଆସିବାରୁ ପୋଷ୍ଟମ୍ଯାନ୍ ଆଉଥରେ ଡାକିଥିଲା, ଘରେ କିଏ ଅଛ କି ନାହିଁ..? ଚିଠି ଆସିଛି ଟିକେ ଶିଘ୍ର ନିଅନ୍ତୁ । ପୁନର୍ବାର ଝିଅଟି କହିଲା ଆପଣ ଦରଜା ବାହାରେ ଛାଡି ଯାଆନ୍ତୁ ମୁଁ ନେଇଯିବି । ପୋଷ୍ଟମ୍ୟାନ ଉତ୍ତର ଦେଲେ ରେଜିଷ୍ଟର୍ଡ ଚିଠି । ହସ୍ତାକ୍ଷର ନେବାକୁ ହେବ । ତେଣୁୁ ମୁଁ ଅପେକ୍ଷା କରିଛି ଶିଘ୍ର ଆସନ୍ତୁ।ଛଅ ସାତ ମିନିଟ୍ ବିତିଯିବା ପରେ କବାଟ ଖୋଲିଲା ।

ପୋଷ୍ଟମ୍ୟାନ ଚିଡିଯାଇ କିଛି କହିବାକୁ ଚାହୁଁଥିଲା କିନ୍ତୁ ଝିଅଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଝିଅଟି ର ଦୁଇଟି ଯାକ ଗୋଡ ନ ଥିଲା । ସେ ଏକ ହୁଇଲ୍ ଚେୟାର ସହାଯ୍ଯ ରେ ଯିବା ଆସିବା କରୁଛି । ପୋଷ୍ଟମ୍ୟାନ ଚୁପ୍ ଚାପ୍ ଚିଠି ଦେଇ ହସ୍ତାକ୍ଷର ନେଇ ଚାଲିଗଲା । ସେଦିନ ଠାରୁ ଯେବେ ବି ଝିଅଟିର ଚିଠି ଆସେ ପୋଷ୍ଟମ୍ୟାନ ଥରୁଟିଏ ଡାକ ଦେଇ ଝିଅଟି ଆସିବା ପର୍ଯ୍ୟନ୍ତ ଚୁପ୍ ଚାପ୍ ଅପେକ୍ଷା କରି ରହେ। ଥରେ ଝିଅଟି ଦେଖିଲା ପୋଷ୍ଟମ୍ୟାନ ଖାଲି ପାଦରେ ଚାଲି ଚାଲି ଆସୁଛି ।

ଦୀପାବଳି ପାଖେଇ ଆସୁଥିଲା। ଝିଅଟି ଭାବିଲା ପୋଷ୍ଟମ୍ୟାନକୁ କଣ ଉପହାର ଦେବି । ଦିନେ ପୋଷ୍ଟମ୍ୟାନ ଚିଠି ଦେଇ ଯିବା ପରେ ମାଟି ଉପରେ ପଡିଥିବା ତାର ପାଦଚିହ୍ନକୁ କାଗଜରେ ଉତ୍ତାରି ମାପ ନେଇଗଲା । ପରଦିନ ଘରକୁ କାମ କରିବାକୁ ଆସୁଥିବା ଚାକରଣୀ ସାହାଯ୍ୟରେ ହଳେ ଚପଲ ନେଇଆଣିଲା । ଦୀପାବଳି ପୂର୍ବଦିନ ପୋଷ୍ଟମ୍ୟାନ ଘର ଘର ବୁଲି ଚିଠି ବାଣ୍ଟିବା ସହିତ ଦୀପାବଳିର ବଧାଇ ଜଣାଇଲା । ଅନେକ ଲୋକ ଦୀପାବଳୀର ଶୁଭ ଅବସରରେ ତାକୁ ବହୁତ ଉପହାର ଦେଲେ । ପୋଷ୍ଟମ୍ୟାନ ଭାବିଲା ସେ ଝିଅର ଘରେ କେହି ନାହାନ୍ତି ତେଣୁ ତାକୁ ବଧାଇ ଜଣାଇବା ଉଚିତ୍ । ସେ ଝିଅ ଘରକୁ ଯାଇ ତାକୁ ମଧ୍ୟ ଶୁଭ ଅଭିନନ୍ଦନ ଜଣାଇଲା ।

ଝିଅଟି ଘର ଭିତରକୁ ଯାଇ ଉପହାର ପ୍ୟାକେଟ୍ ଆଣି ପୋଷ୍ଟମ୍ୟାନକୁ ଦେଲା। ପୋଷ୍ଟମ୍ୟାନ କହିଲା ତୁମେ ମୋ ଝିଅ ପରି,ମୁଁ ତୁମ ପାଖରୁ କେମିତି ଉପହାର ଗ୍ରହଣ କରିବି..? ଝିଅଟି ଆଗ୍ରହ କରି କହିଲା ଆପଣ ମୋ ଉପହାରକୁ ଗ୍ରହଣ କରନ୍ତୁ। ପୋଷ୍ଟମ୍ୟାନ ପ୍ୟାକେଟ୍ ନେଇ ଚାଲିଗଲା । ଘରେ ଯାଇ ଯେତେବେଳେ ସେ ପ୍ୟାକେଟ୍ ଖୋଲିବା ମାତ୍ରେ ବିସ୍ମିତ ହେଲା,କାହିଁକି ନା ସେଥିରେ ତାର ପାଦ ମାପ ଅନୁଯାୟୀ ହଳେ ଯୋତା ଥିଲା। ତାର ଆଖି ଜକେଇ ଆସିଲା ଓ କେଇ ଟୋପା ଲୁହ ଅଜାଣତେ ତାର ଆଖିରୁ ଝରିପଡିଲା ।

ପରଦିନ ପୋଷ୍ଟମ୍ୟାନ ଅଫିସରେ ପହଞ୍ଚି ଅନୁରୋଧ କଲା ଯେ ମୋତେ ଏଠାରୁ ବଦଳି କରି ଦିଆଯାଉ। ପୋଷ୍ଟମାଷ୍ଟର କାରଣ ପଚାରିବାରୁ ସେ ଯୋତା ହଳକ ଟେବୁଲ୍ ଉପରେ ରଖି ସମସ୍ତ କାହାଣି ଶୁଣେଇଲା ଓ ରୁଦ୍ଧ ଗଳା ଲୁହ ଭରା ଆଖିରେ କହିଲା ଆଜିଠାରୁ ସେ ଗାଁକୁ ମୁଁ ଆଉ ଯାଇପାରିବିନି। ସେ ଦିବ୍ୟାଙ୍ଗ ଝିଅଟି ମୋର ଖାଲି ପାଦ ଦେଖି ଯୋତା ଉପହାର ଦେଲା ହେଲେ ମୁଁ କେଉଁଠୁ ତା ପାଇଁ ଗୋଡ ଆଣି ଉପହାର ଦେବି..?

ମିତ୍ର ସମ୍ବେଦନଶୀଳତା ବିନା ମନୁଷ୍ୟ ଅଧୂରା ଅଧୂରା ଲାଗେ । ମୋର ଇଶ୍ବରଙ୍କ ନିକଟରେ ପ୍ରାଥନା ସମସ୍ତଙ୍କ ମନରେ ସମ୍ବେଦନଶୀଳତା ଭରି ଦିଅନ୍ତୁ । ଜଣେ ଅନ୍ୟଜଣକ ପାଇଁ ବ୍ୟସ୍ତ ଅନୁଭବ କରୁ । ଜଣେ ଅନ୍ୟଜଣକ ଦୁଃଖରେ ଦୁଃଖୀ ହେଉ । କୌଣସି ସଂକଟ ସମୟରେ କେହି ନିଜକୁ ଏକା ଅନୁଭବ ନକରୁ । ଏପରି ଅନୁଭବ କରୁ ଯେମିତି ସାରା ସଂସାର ତାର ଦୁଃଖରେ ଦୁଃଖୀ ଅଛନ୍ତି ଓ ତାର ସଂକଟ ଘଡିରେ ପଛେ ପଛେ ସାଥ୍ ଦେଉଛନ୍ତି ।
(ରଣପୁର/ସରୋଜ)

Exit mobile version