ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ସୋମବାର ) ଭୁବନେଶ୍ୱର :- ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ପୁରୀ, ଖୋର୍ଧା, ଜଗତ୍ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ରାସ୍ତାଗୁଡ଼ିକ ପାଣିେର ବୁଡ଼ି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି । ସୋମବର ସକାଳ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାସହିତ ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି କୁହାଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ସୋମବାର ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବାକୁ ଥିବାରୁ ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।
ରବିବାର ପୁରୀରେ ସର୍ବାଧିକ ୧୪୫ ମିମି ବର୍ଷା ହୋଇଥିବା ବଳେ ଭୁବନେଶ୍ବରରେ ୧୨୨ ମିମି ବର୍ଷା ରେକର୍ଡ କରାଯାଇଛି। ମଧ୍ୟରାତି ପର୍ଯ୍ୟନ୍ତ ବର୍ଷା ଲାଗିରହିଥିବାରୁ ସୋମବାର ୫୦ ବର୍ଷର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ରବିବାର/ସୋମବାର ରାତି ସାରା ବର୍ଷା ଲାଗି ରହିଲେ ସେପ୍ଟେମ୍ବର ମାସରେ ସର୍ବକାଳୀନ ରେକର୍ଡ ହେବ । କାରଣ ଭୁବନେଶ୍ବରରେ ୧୯୫୮ ସେପ୍ଟେମ୍ବର ୯ରେ (୨୪ ଘଣ୍ଟାରେ) ୧୬୩ ମିମି ବର୍ଷା ହୋଇଥିଲା । ସେହିପରି ୨୦୧୪ ସେପ୍ଟେମ୍ବର ପହିଲାରେ ୧୧୬ ଏବଂ ୨୦୧୯ ସେପ୍ଟେମ୍ବର ୨୫ରେ ୧୨୬ ମିମି ବର୍ଷା ରେକର୍ଡ କରାଯାଇଥିଲା । ଅନ୍ୟ ପକ୍ଷରେ ଲଗାଣ ବର୍ଷା ଯୋଗୁଁ ମହାନଦୀ, ଦେବୀ, କୁଶଭଦ୍ରା, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଋଷିକୂଲ୍ୟା ଆଦି ନଦୀର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି ।
