ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ଗଣପର୍ବ ନୂଆଁଖାଇ

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର କଳାହାଣ୍ଡି :- ପବିତ୍ର ଗଣପର୍ବ ନୂଆଁଖାଇ। ପଶ୍ଚିମ ଓଡ଼ିଶାର ସବୁଠାରୁ ମୁଖ୍ୟ ଓ ସର୍ବୋତ୍କୃଷ୍ଟ ପର୍ବ ହେଉଛି ନୂଆଁଖାଇ। ଭାଇଚାରାର ବାର୍ତା ନେଇ ପରମ୍ପରା ଓ ବନ୍ଧୁମିଳନର ଏହା ଅନନ୍ୟ ନିଦର୍ଶନ ଅଟେ। ମୋଟାମୋଟି ଭାବରେ ଏହା କୃଷି ଭିତ୍ତିକ, ମୈତ୍ରୀ, ଶାନ୍ତି, ସଦଭାବନା ଓ ଆନନ୍ଦ ଉତ୍ସବମୟ ପର୍ବ ନୂଆଁଖାଇ। ନୂଆଁ ଅନ୍ନ (ଧାନ) ଇଷ୍ଟ ଦେବାଦେବୀଙ୍କ ପାଖରେ ଭୋଗ ଲାଗି ଭକ୍ଷଣ କରିବା ହିଁ ନବାନ୍ନ । ଏହି ପର୍ବଟି ନର୍ଲା ବ୍ଳକର ସମସ୍ତ ଗାଁ ଗଣ୍ଡାରେ ହର୍ଷ ଉଲ୍ଲାସରେ ପାଳିତ ହୋଇଛି ।

ଭୀମକେଲା ଗ୍ରାମରେ ରାମେଶ୍ବର ଠାକୁର ଓ ଧରଣୀ ପୀଠରେ ନୂଆଁ ଧାନରେ ଖେଡସୁଆଁ ହେବା ପରେ ଘରେ ଘରେ ନୂଆଁ ଧାନରେ ପ୍ରସ୍ତୁତ ଅନ୍ନ କିମ୍ବା ଚୁଡ଼ା ମା ଲକ୍ଷ୍ମୀ ଓ ଘର ଇଷ୍ଟଦେବାଦେବୀଙ୍କ ପାଖରେ ଲାଗି ପରିବାର ଲୋକେ ଏକାଠି ବସି ଅନ୍ନ ଭୋଗ ଭକ୍ଷଣ କରିଥିଲେ।ଭୀମକେଲା ଗୈାନ୍ତିଆପଡା ଠାରେ ରାମେଶ୍ବର ଗଣେଶ ପୂଜା କମିଟି ପକ୍ଷରୁ ନବାନ୍ନ ଅବସରରେ ଛୋଟ ଛୋଟ ଶିଶୁ ମାନଙ୍କୁ ନେଇ ବିଭିନ୍ନ ଖେଳ କସରତ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଅତିଥି ଭାବେ ପୂର୍ବତନ ୱ।ର୍ଡ ସଭ୍ୟ ଭୁବନେଶ୍ୱର କରୁଆଁ, ବୟୋଜ୍ୟେଷ୍ଠ ବ୍ୟକ୍ତି ନନ୍ଦିକିଶୋର ଭୋଇ, ଗାଁ ଗୈାଉନ୍ତିଆ ବିଘ୍ନରାଜ ଭୋଇ,ଉଦେନାଥ ଭୋଇ, ଟଙ୍କଧର ସ୍ଵାଇଁ, ଲିଙ୍ଗରାଜ କରୁଆଁ, ଶିକ୍ଷକ ମଗନ ବୈଠାରୁ ପ୍ରମୁଖ ଉପସ୍ଥିତ ରହି ଉତ୍ତୀର୍ଣ୍ଣ ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରିଥିଲେ। ଗ୍ରାମରେ ନବାନ୍ନ ପରେ ନୂଆଁଖାଇ ଜୁହାର ଭେଟରେ ମା କାଳିକେଶ୍ଵରୀ ସଂଘ ଓ ତ୍ରିନାଥ ମନ୍ଦିର କମିଟି ପକ୍ଷରୁ କୋଭିଡ କଟକଣା ଭିତରେ ନଗର ସଂକୀର୍ତ୍ତନ ହୋଇଥିଲା । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version