ଜମି ଜାଲିଆତି ଘଟଣାରେ ତତ୍କାଳୀନ ଅତିରିକ୍ତ ତହସିଲଦାର ସମେତ ୪ ଅଭିଯୁକ୍ତ ଟାଉନ୍ ଥାନାରେ ଅଟକ – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର ) ଢେଙ୍କାନାଳ :- ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ସାନ ଷାଠିଏବାଟିଆ ମୌଜା ଜମି ଜାଲିଆତି ଘଟଣାରେ ଆଜି ଟାଉନ୍ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଥାନାକୁ ଡ଼ାକି ପଚରାଉଚରା କରିବା ସହ ତତ୍କାଳୀନ ଅତିରିକ୍ତ ତହସିଲଦାର ସମେତ ୪ ଅଭିଯୁକ୍ତ ଟାଉନ୍ ଥାନାରେ ଅଟକ ଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ, କିଛିଦିନ ପୂର୍ବେ ସାନ ଷାଠିଏବାଟିଆ ମୌଜାର ଖାତା ନଂ-୩୮୭/୧୮୯୬, ପ୍ଲଟ୍ ନଂ-୫୨୨, ୩୧୦୦ ଡେସି ମି. ଜଳାଶୟ ଜମିର କିସମ ଜାଲିଆତି କରି ଜମି ମାଫିଆଙ୍କ ହାତକୁ ଟେକି ଦିଆଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଏହାର ତଦନ୍ତ କରିବା ନିମନ୍ତେ ତତ୍କାଳୀନ ଅତିରିକ୍ତ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ପତ୍ର ସଂଖ୍ୟା-୪୪୫୫ ମାଧ୍ୟମରେ ୦୫/୦୫/୨୦୨୦ ରେ ନିର୍ଦ୍ଦେଶ ଦେଇଥିଲେ।

ମାତ୍ର ତତ୍କାଳୀନ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଏହାର ତଦନ୍ତ ନକରିବାରୁ ପୁନଶ୍ଚ ପତ୍ର ସଂ ୮୦୨୪/୭-୮-୨୦୨୦ ରେ ରିମାଇଣ୍ଡର କରି ୧୫/୦୯/୨୦୨୦ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ତତ୍କାଳୀନ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ମହାଶୟ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ହେୟଜ୍ଞାନ ମନେ କରି ଚିଠି ଟିକୁ ନାଲିଫିତା ତଳେ ବାନ୍ଧି ରଖିଥିଲେ।ଏବେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା ଘଟଣା ସମ୍ପର୍କରେ ଅବଗତ ହେବା ପରେ ଗତ ଜୁଲାଇ ୭ ତାରିଖରେ ଜିଲ୍ଲା ସବରେଜିଷ୍ଟାରଙ୍କୁ ଏ ବିଷୟରେ ପତ୍ର ମାଧ୍ୟମରେ ଜଣାଇବା ସହିତ ଏହି ମାମଲା ତଦନ୍ତାଧିନ ଥିବାରୁ ଏହାକୁ ବିକ୍ରି ଖର୍ଦି ନ କରିବା ପାଇଁ ସୂଚନା ଦେଇଥିଲେ।

ଏହାପରେ ଏ ଘଟଣା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ନୂତନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଟାଉନ୍ ପୋଲିସ୍ କେସ୍ ନଂ ୩୬୩/୨୧ ମାମଲା ରୁଜୁ କରି ଆଜି ସମସ୍ତ ଏଗାର ଜଣ ଅଭିଯୁକ୍ତଙ୍କୁ ଥାନାକୁ ଡ଼ାକି ଘଟଣା ବିଷୟରେ ପଚରାଉଚରା କରିବା ସହ ତତ୍କାଳୀନ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ସମେତ ଜମି ମାଲିକ ଦମ୍ପତି ଓ ଜଣେ ମହିଳା ତହସିଲ କର୍ମଚାରୀଙ୍କୁ ଟାଉନ୍ ଥାନାରେ ଅଟକ ରଖାଯାଇଛି ତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ

Exit mobile version