ଶିଳ୍ପମନ୍ତ୍ରୀଙ୍କ ନିର୍ମାଣଧୀନ ପ୍ରେକ୍ଷାଳୟ କଳାମଣ୍ଡଳ ପରିଦର୍ଶନ – ସଂସ୍କୃତିମନ୍ତ୍ରୀଙ୍କ ସହ ସମୀକ୍ଷା କଲେ କାର୍ଯ୍ୟର ଅଗ୍ରଗତି

ଓଡ଼ିଶା ତାଜା ନ୍ୟୁଜ (୯ ସେପ୍ଟେମ୍ବର ଗୁରୁବାର ) ଭୁବନେଶ୍ୱର :- ଆଜି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଏଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଓ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୈନିକ ସ୍କୁଲ ନିକଟରେ ନିର୍ମାଣଧୀନ ଥିବା ବୃହତ୍‌ ପ୍ରେକ୍ଷାଳୟ “କଳା ମଣ୍ଡଳ’’ ବୁଲି ଦେଖିଛନ୍ତି । ଇଡ୍‌କୋ ଦ୍ୱାରା ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ କାର୍ଯ୍ୟର ବିଳମ୍ବ ଏଡ଼ାଇବାକୁ ଏକ ନିର୍ଦ୍ଦିଷ୍ଟ ସମୟ ସାରଣୀ ପ୍ରସ୍ତୁତ କରି କାର୍ଯ୍ୟର ଅଗ୍ରଗତି ତଦାରଖ କଲେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ପାରିବ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ୨ ହଜାର ଆସନ ବିଶିଷ୍ଟ ଏହି ବୃହତ୍‌ ପ୍ରେକ୍ଷାଳୟର ନିର୍ମାଣ ଶେଷ ହେଲେ ରାଜ୍ୟର ଏହା ସବୁଠାରୁ ବଡ଼ ପ୍ରେକ୍ଷାଳୟ ହେବ ।

ପ୍ରାୟ ଶହେ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରେକ୍ଷାଳୟ ପାଇଁ ୬ ଏକର ପରିମିତ ଜମି ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି । ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟରେ ଅତ୍ୟାଧୁନିକ ଆଲୋକ, ଦୃଶ୍ୟଶ୍ରାବ୍ୟ, ସ୍ୱୟଂଚାଳିତ ପରଦା, ଭିନ୍ନକ୍ଷମଙ୍କ ପାଇଁ ର୍ୟାମ୍ପର ବ୍ୟବସ୍ଥା ରହିଛି । ଏଥିସହିତ ବାହାରେ ୫ ଶହ ଆସନ ବିଶିଷ୍ଟ ଆମ୍ଫି ଥିଏଟର, ୬୨ ହଜାର ବର୍ଗଫୁଟ୍‌ ଅଞ୍ଚଳରେ ଭୂମିତଳ ପାର୍କିଂ, ଗ୍ରୀନ୍‌ରୁମ୍‌, ଗେଷ୍ଟରୁମ୍‌, ଭିଆଇପି ରୁମ୍‌, ଲବି ପ୍ରଭୃତି ରହିଛି ।

ଏହି ଅବସରରେ ଦୁଇ ମନ୍ତ୍ରୀ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ ସ୍ଥପତିମାନଙ୍କୁ ନେଇ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଠାରେ ଉନ୍ନତମାନର ଉପକରଣ ଲଗାଇବା ସହିତ ନିର୍ମାଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ କହିଥିଲେ । ଏହା ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ ଏବଂ ଏଠାରେ ରାଷ୍ଟ୍ରୀୟ ଓ ଆନ୍ତର୍ଜାତିକ ସ୍ତରର ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ ହୋଇପାରିବ ସେ ଦୃଷ୍ଟିରୁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଏବଂ ରାଜ୍ୟର ସଂସ୍କୃତିକୁ ପ୍ରୋତ୍ସାହନ ମିଳିବା ସହିତ ରାଜ୍ୟର ସୁନାମ ବୃଦ୍ଧି ହେବ ବୋଲି ମନ୍ତ୍ରୀ ମତ ରଖିଥିଲେ ।ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ, ସ୍ଥପତି ଶ୍ରୀ ଅକ୍ଷୟ ବେଉରା ଓ ଅନ୍ୟ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version