Home ଓଡ଼ିଶା ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ବିନାୟକ ବ୍ରତ ପାଳିତ ହୁଏ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ବକ୍ରତୁଣ୍ଡଂ ମହାକାୟ – ସୂର୍ୟ କୋଟି ସମପ୍ରଭ ନିର୍ବିଘ୍ନମ୍ କୁରମେ ଦେବ – ସର୍ବ କାର୍ଯ୍ୟେଷୁ ସର୍ବଦା ।। ଓଁ ଗଂ ଗଣପତୟେ ନମଃ, ଗଣେଶାୟ ନମଃ ଓଡ଼ିଶା ତାଜା ନ୍ୟୁଜ (୯ ସେପ୍ଟେମ୍ବର ଗୁରୁବାର ) ଭୁବନେଶ୍ୱର :- ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ବିନାୟକ ବ୍ରତ ପାଳିତ ହୁଏ । ବିନାୟକ ବ୍ରତକଥାରେ ଉଲ୍ଲେଖ ରହିଛି ଯେ ଏହି ବ୍ରତର ମାହାତ୍ମ୍ୟ ସ୍କନ୍ଧ ପୁରାଣରେ ବର୍ଣିତ । ଗୋମତୀ ନଦୀ କୂଳରେ ସୂତ ମୁନି ଅନ୍ୟ ଋଷିମାନଙ୍କର ଜିଜ୍ଞାସାକୁ ପ୍ରଶମନ କରି ବିନାୟକ ବ୍ରତ ପାଳନ କଲେ ମନୁଷ୍ୟମାନେ କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି, ସୁତ-ସୌଭାଗ୍ୟ-ସଂପଦ ଲାଭ କରି ପାରିବେ ବୋଲି ବୟାନ କରିଛନ୍ତି। ଏହି ବ୍ରତର ବିଧିବିଧାନ ସ୍ୱୟଂ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି । ଏହି ବ୍ରତ ପାଳନ କରି ଯୁଧିଷ୍ଠିର ରାଜ୍ୟ ଫେରି ପାଇଥିଲେ ମହାଭାରତରେ ପ୍ରମାଣିତ । ସେଥିପାଇଁ ଗଣପତିଙ୍କର ନାମ ସିଦ୍ଧି ବିନାୟକ। ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ମାନଙ୍କର ଆରାଧ୍ୟ ଦେବତା । ଦେବ ଦେବ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ ହେଉଛନ୍ତି ଅଗ୍ରପୂଜ୍ଯ ଶ୍ରୀ ଗଣେଶ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ । ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ପ୍ରାରମ୍ଭରେ ଶ୍ରୀଗଣେଶଙ୍କୁ ଆବାହନ କରାଯାଏ । ତାଙ୍କୁ ପଞ୍ଚଦେବତା ମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ । ଶ୍ରୀଗଣେଶଙ୍କ ଶସ୍ତ୍ର ପରଶୁ, ପାଶ, ଅଂକୁଶ । ଗଣେଶଙ୍କର ଦୁଇଟି ପତ୍ନୀ ଯଥାକ୍ରମେ ରିଦ୍ଧି ଏବଂ ସିଦ୍ଧି । ଦକ୍ଷିଣ ଭାରତୀୟ ପରମ୍ପରାରେ ଗଣେଶଙ୍କୁ ବ୍ରହ୍ମଚାରୀ ରୂପରେ ଚିତ୍ରିତ କରାଯାଇଛି। ରଙ୍କରତନ ମୋ ଧନରେ ମୋର ଅଙ୍ଗ ମଉଳି ବାଟେ ଘାଟେ ତୋତେ ପାଇଛି ଆହା ମୋ ଗଳାମାଳା ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ଗାଧୋଇବା ମସୟରେ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କରିଥିଲେ ଏବଂ ଶ୍ରୀ ବିଷ୍ଣୁଙ୍କୁ ସ୍ମରଣ କରି ଦେହମଳିରୁ ଗଠିତ ମୂର୍ତ୍ତିକୁ ଜୀବନ ଦାନ ଦେଇଥିଲେ । ପାର୍ବତୀ ଗୁମ୍ଫା ଭିତରେ ତପସ୍ୟା କରିବା ସମୟରେ ମାନସ ପୁତ୍ର ଶ୍ରୀଗଣଶଙ୍କୁ ଦ୍ୱାର ଜଗିବା ସହିତ ଗୁମ୍ଫା ଭିତରକୁ କାହାକୁ ପ୍ରବେଶ ନକରେଇବା ପାଇଁ ଆଦେଶ ଦେଇଥିଲେ । ପାର୍ବତୀଙ୍କୁ ଖୋଜି ଖୋଜି ଶିବଗଣ ଗୁମ୍ଫା ଭିତରକୁ ପ୍ରବେଶ କରିବା ନିମନ୍ତେ ଉଦ୍ଯମ କରିବାରୁ ଗଣେଶଙ୍କ ପ୍ରହାରରେ ଛତ୍ରଭଙ୍ଗ ଦେଇ ଶିବଙ୍କୁ ସମସ୍ତ କଥା କହିବାରୁ ଶିବ ନିଜେ ଆସିଲେ ଏବଂ ଗୁମ୍ଫା ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧରେ ଜର୍ଜରିତ ହୋଇ ଯୁଦ୍ଧ କରି ଗଣେଶଙ୍କ ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଅଛି । ଦେବଗଣଙ୍କୁ ମହାଦେବ ଆଦେଶ ଦେଲେ ଉତ୍ତର ଦିଗକୁ ମୁଣ୍ଡ କରିଶୋଇଥିବା ନବଜାତ ଶିଶୁର ମସ୍ତକ ଆଣି ବାପାଇଁ । ଦେବଗଣ ମାନେ ମୁଣ୍ଡ ଖୋଜିବା ସମୟରେ ଦେଖିଲେ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିଲା ଗୋଟିଏ ନବଜାତ ହାତୀ ଛୁଆ । କାଳବିଳମ୍ବ ନକରି ଦେବଗଣ ହାତୀ ଛୁଆର ମୁଣ୍ଡକୁ କାଟି ଆଣି ମହାଦେବଙ୍କୁ ଦେଲେ ଏବଂ ମହାଦେବ ସେ ମୁଣ୍ଡଟିକୁ ପୁତ୍ରର ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ । ଶ୍ରୀଗଣେଶ ମହାଦେବଙ୍କ ପ୍ରମଥ ଗଣର ସେନାପତି । ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ । ରକ୍ତ ଚନ୍ଦ୍ର, ରକ୍ତ ପୁଷ୍ପରେ ଏହାଙ୍କୁ ପୂଜା କରାଯାଏ । ଏହାଙ୍କର ଗଜମସ୍ତକ, ଏକଦନ୍ତ, ଥନ୍ତଲ ପେଟ ଓ ସାପ ପଇତା । ଏହାଙ୍କର ବାହନ ମୂଷା । ଗଣେଶ ଗଜାନନ ରୂପରେ ହିଁ ସର୍ବତ୍ର ପରିଚିତ। ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ। ଆଉମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ। ତା ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା। ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ। ଗଣେଶଙ୍କ ଅନ୍ୟ କେତେକ ନାମ ହେଲା : ସୁମୂଖ, ବିଘ୍ନହର୍ତ୍ତା, ବିଘ୍ନହର, ଧୂମ୍ରକେତୁ, ଗଣାଧ୍ୟକ୍ଷ, ବ୍ରହ୍ମଣସ୍ପତୀ, ମୟୂରେଶ୍ୱର, ବିଘ୍ନେଶ୍ୱର ଓ ଶୂର୍ପକର୍ଣ ଇତ୍ୟାଦି । ଶାସ୍ତ୍ର ମତେ ଗଣେଶଙ୍କ ଦ୍ୱାଦଶନାମ :- (୧) ଏକଦନ୍ତ , (୨) କୃଷ୍ଣପିଙ୍ଗାକ୍ଷ , (୩) ଗଣପତି , (୪) ଗଜବକ୍ର , (୫) ଗଜାନନ (ଶରୀର ମଣିଷର ମସ୍ତକ ହାତୀର । ଶାସ୍ତ୍ରରେ କୁହାଯାଇଛି ଉଭୟ ମଣିଷ ଓ ହାତୀର ଆୟୁ ୧୨୦ ବର୍ଷ । ଉଭୟର ଗୁଣକୁ ଏକାଠି ହେଲେ ମଣିଷ ସଫଳ ହେବ । ତେଣୁ ଗଣେଶ ନିଜେ ଏହି ରୂପ ଧାରଣ କରିଛନ୍ତି । ‘ଗ’ର ଅର୍ଥ ମୋକ୍ଷ ପ୍ରାପ୍ତି ପାଇଁ ସମାଧିରେ ଥିବା ଯୋଗୀ । ‘ଜ’ର ଅର୍ଥ ଜୀବନ ପ୍ରତି ସାଂସାରିକ ଦୃଷ୍ଟିକୋଣ । ଅର୍ଥାତ୍ ସଂସାର ଭିତରେ ମୋକ୍ଷ ପ୍ରାପ୍ତ ସମ୍ଭବ କରାଇପାରନ୍ତି ଗଜାନନ) , (୬) ବକ୍ରତୁଣ୍ଡ , (୭) ବିକଟ , (୮) ବିଘ୍ନରାଜେନ୍ଦ୍ର , (୯) ବିନାୟକ , (ଗଣେଶଙ୍କର ଏହିନାମର ଅର୍ଥ ବିଶେଷ ନାୟକ । ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ଯେତେବେଳେ ପ୍ରିୟବଚନ ବା ପ୍ରାର୍ଥନାଦ୍ୱାରା ଗଣେଶଙ୍କୁ ସନ୍ତୁଷ୍ଟ କରାଯାଏ ତେବେ ସେ ଭକ୍ତର ରାସ୍ତାରେ ଥିବା ସବୁ ବାଧା ଦୂର କରନ୍ତି । ଅର୍ଥାତ୍ ଭକ୍ତର ଜୀବନରେ ଥିବା ବିପର୍ଯ୍ୟୟ, ସବୁ ଅମଙ୍ଗଳ, ସବୁ ବାଧା ଦୂରେଇ ଦିଅନ୍ତି ) , (୧୦) ଧୂମ୍ରବର୍ଣ୍ଣ , (୧୧) ଭାଲଚନ୍ଦ୍ର ଏବଂ (୧୨) ଲମ୍ବୋଦର (ଲମ୍ବା ଉଦର ବା ବଡ଼ ପେଟ ଥିବାରୁ ତାଙ୍କୁ ଲମ୍ବୋଦର ବୋଲି କୁହାଯାଇଥାଏ । କିନ୍ତୁ ପ୍ରକୃତ ଅର୍ଥରେ ଲମ୍ବୋଦର ତାଙ୍କୁ ହିଁ କୁହାଯାଏ ଯିଏ ସବୁକିଛି ଭଲ ବିଦ୍ୟା ଗ୍ରହଣ କରିପାରନ୍ତି ଏବଂ ସାଇତି ପାରନ୍ତି । ଗଣେଶ ପାର୍ବତୀଙ୍କ ନୁପୂରର ଶବ୍ଦଶୁଣି ସଙ୍ଗୀତ ଶିଖୁଥିଲେ । ପିତା ଶିବଙ୍କ ଡମ୍ବରୁର ଶବ୍ଦଶୁଣି ଚାରିବେଦ ଆୟତ କରିଥିଲେ । ତାଙ୍କର ଏହି ବିଶାଳ ବିଦ୍ୟାର ଭଣ୍ଡାର ହେଉଛି ତାଙ୍କର ପେଟ । ଏହି କାରଣରୁ ତାଙ୍କ ପେଟ ଖୁବ୍ ବଡ) ଏହା ହେଉଛି ଶ୍ରୀଗଣେଶଙ୍କର ଦ୍ବାଦଶ ନାମ । ଗଣେଶ ଆଦିଦେବ ଭାବରେ ପରିଚିତ । ସେ ସବୁଯୁଗରେ ଅବତାର ନେଇଥିବାର କୁହାଯାଏ । ସତ୍ୟ ଯୁଗରେ ଋଷି କଶ୍ୟପ ଓ ଅଦିତିଙ୍କ ଘରେ ମହଙ୍କତ ବିନାୟକ ରୂପରେ ଜନ୍ମ ନେଇ ଦେବାନ୍ତକ ଓ ନରାନ୍ତକ ନାମକ ରାକ୍ଷସଙ୍କୁ ବଧ କରିଥିଲେ । ତ୍ରେତୟା ଯୁଗରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଉମାଙ୍କ ଘରେ ଜନ୍ମି,ଗଣେଶ ରୂପରେ ଜନ୍ମିସିନ୍ଧୁ ନାମକ ରାକ୍ଷସକୁ ବଧ କରିବା ସହ ବ୍ରହ୍ମାଙ୍କ ପୁତ୍ରି ଦ୍ୱୟ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରେ ବର୍ଣ୍ଣିତ। ଦ୍ୱାପର ଯୁଗରେ ଗଣେଶ ରୂପରେ ପାର୍ବତୀଙ୍କ ପୁତ୍ର ଭାବରେ ପୁରାଣରେ ବର୍ଣ୍ଣିତ। କଳି ଯୁଗରେ ଭବିଷ୍ୟ ପୁରାଣ ଅନୁସାରେ ଧୁମ୍ରକେତୁ ରୂପରେ ଅବତାର କଥାବର୍ଣ୍ଣିତ ଅଛି। ବାସ୍ତୁଶାସ୍ତ୍ର ଅନୁଯାୟୀ ନୂତନ ଘରେ ପ୍ରବେଶ ହେଉ ଅବା ଶୁଭ କାର୍ଯ୍ୟ , ସର୍ବ ପ୍ରଥମେ ପୂଜା ପାଆନ୍ତି ଅଗ୍ରପୂଜ୍ଯ ଗଣେଶ । କାରଣ ତାଙ୍କୁ ପୂଜା କଲେ ସବୁକିଛି ମଙ୍ଗଳ ହୋଇଥାଏ । ବାସ୍ତୁଶାସ୍ତ୍ରରେ ମଧ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ । ଯଦି ଘରର ମୂଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ଖୋଲୁଥାଏ, ତେବେ ସେହି ଦ୍ୱାରର ଉପରେ (ତାହା ଘର ଭିତରେ ହେଉ ଅବା ବାହାରେ) ଗଣେଶଙ୍କର ଛୋଟିଆ ପ୍ରତିମା ଲଗାଇଲେ ଘରର ଦକ୍ଷିଣମୁଖୀ ଦୋଷ କଟିଯାଏ । ଘରେ ପ୍ରବେଶ କରିବା ମାତ୍ରେ ଯଦି କିଛି ଅଜଣା ନକାରାତ୍ମକ ଭାବ ଉତ୍ପନ ହେଇଥିବା ମନେହୁଏ ତେବେ ଘରଭିତରେ ପ୍ରବେଶ ଦ୍ୱାରକୁ ମୁହଁ କରି ଅନାଇବା ଭଳି ୯ ଇଞ୍ଚର ଏକ ଗଣେଶ ପ୍ରତିମା ସ୍ଥାପନା କରିବା ଭଲ । ଘରର ଯେକୈଣସି ଦିଗରେ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନା କରିବା ଉଚିତ ନୁହେଁ । ବରଂ ଗଣେଶଙ୍କ ଫୋଟ ଓ ପ୍ରତିମାକୁ ଏଭଳି ରଖିବା ଜରୁରୀ ଯେମିତିକି ତାଙ୍କୁ ପ୍ରଣାମ କରିବା ବେଳେ ଆମର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବ । ଅର୍ଥାର ଶ୍ରୀଗଣେଶଙ୍କ ମୁଖ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମାଭିମୁଖୀ ରହିବା ଉଚିତ । ଘରର ମଧ୍ୟଭାଗ ଅର୍ଥାତ ବ୍ରହ୍ମାସ୍ଥଳରେ ତୁଳସୀ ଗଛ ସହିତ ଶ୍ରୀଗଣେଶଙ୍କ ପୂଜା କଲେ ସମ୍ପୁର୍ଣ୍ଣ ଘରକୁ ସକାରାତ୍ମକ ଊର୍ଜା ମିଳିଥାଏ । ଘରେ ଶ୍ରୀଗଣେଶଙ୍କର ବସିଥିବା ତଥା ଆଶୀର୍ବାଦ ଦେଉଥିବା ପ୍ରତିମା ପୂଜା କରିବାବେଳେ ବ୍ୟବସାୟିକ ପରିସରରେ ଭଗବାନଙ୍କର ଅନ୍ୟ ମୁଦ୍ରାର ପ୍ରତିମା ତଥା ଫୋଟ ରଖିବା ଭଲ । ଶ୍ରୀଗଣେଶଙ୍କର ଫୋଟ କିମ୍ବା ମୂର୍ତ୍ତି ଏପରି ସ୍ଥାନରେ ରଖନ୍ତୁ ନାହିଁ ଯାହାର ପଛପଟେ କିମ୍ବା ଆଗରେ ଶୌଚାଳୟ ଥିବ । ଗଣେଶ ଚତୁର୍ଥୀ, ବିକ୍ରମ ସଂବତର ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ପାଳନ କରାଯାଏ । ଏହି ଶୁଭଦିନକୁ ହିନ୍ଦୁଧର୍ମରେ ଗଣେଶଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଏ । ଏହି ପର୍ବ ଦଶଦିନ ଧରି ଚାଲେ ଓ ଅନନ୍ତ ଚତୁର୍ଦ୍ଦଶୀରେ ସମାପ୍ତ ହେଇଥାଏ । ମହାରାଷ୍ଟ୍ରରେ ଗଣେଶଙ୍କର ପୂଜା ବଡ଼ ଧୂମଧାମରେ ପାଳନ କରାଯାଏ। ମହାରାଷ୍ଟ୍ରରେ ହିନ୍ଦୁମାନେ ଅଷ୍ଟବିନାୟକଙ୍କର ଦର୍ଶନ କରିଥାନ୍ତି। ଆସନ୍ତୁ ଜାଣିବା ଅଷ୍ଟବିନାୟକ ମନ୍ଦିର ଗୁଡ଼ିକ କେଉଁଠି କେଉଁଠି ଅଛି । ୧ : ମୋରେଶ୍ୱର ମନ୍ଦିର, ମୋରେଗାଁ , ଜିଲ୍ଲା ପୁନେ ୨ : ସିଦ୍ଧି ବିନାୟକ ମନ୍ଦିର ସିଦ୍ଧଟେକ , ଜିଲ୍ଲା ଅହମ୍ମଦ ନଗର ୩ : ବଲ୍ଲଳେଶ୍ୱର ମନ୍ଦିର ପାଳି, ଜିଲ୍ଲା ରାଇଗଡ ୪ : ବରଦା ବିନାୟକ ମନ୍ଦିର ମହାଡ, ଜିଲ୍ଲା ରାଇଗଡ଼ ୫ : ଚିନ୍ତାମଣି ମନ୍ଦିର ଥେଉର, ଜିଲ୍ଲା ପୁନେ ୬ : ଗିରିଜାତମାଜ ମନ୍ଦିର ଲେଣ୍ୟାଡ୍ରି, ଜିଲ୍ଲା ପୁନେ ୭ : ବିଘ୍ନେଶ୍ୱର ମନ୍ଦିର ଓଜାର, ଜିଲ୍ଲା ପୁଣେ ୮ : ରଞ୍ଜନଗାଁ ଗଣପତି, ମହା ଗଣପତି ରଞ୍ଜନଗାଁ, ଜିଲ୍ଲା ପୁନେ ଶାସ୍ତ୍ର ମତରେ ପ୍ରଥମେ ମୋରେଗାଁର ମୋରେଶ୍ୱରଙ୍କୁ ଦର୍ଶନ କରି ସିଦ୍ଧଟେକ, ପାଳି, ମହାଡ଼, ଥେଉର, ଲେଣ୍ୟାଣ୍ଡ୍ରି, ଓଝାର, ରଞ୍ଜନଗାଁ ଓ ପୁଣିଥରେ ମୋରେଗାଁ ଗଣପତିଙ୍କର ଦର୍ଶନ କଲେ ଅଷ୍ଟବିନାୟକ ଯାତ୍ରା ସଂପୂର୍ଣ ସଫଳ ହୁଏ। ଓଡ଼ିଶାର ଯାଜପୁର ଜିଲ୍ଲାର ଚଣ୍ଡିଖୋଲର ପର୍ବତ ଶିଖରରେ ବହୁ ପ୍ରାଚୀନ ମହାବିନାୟକ ମନ୍ଦିର ବା ଗଣେଶ ମନ୍ଦିର ଅବସ୍ଥିତ । ଗଣେଶ ଚତୁର୍ଥୀ ବା ଗଣେଶ ପୂଜା ପ୍ରତ୍ୟେକ ସ୍କୁଲ କଲେଜ ଏବଂ ବ୍ଯବସାୟ ପ୍ରତିଷ୍ଠାନ ମାନଙ୍କରେ ପାଳିତ ହୁଏ । ଗଣେଶ ପୂଜାରୁ ଓଡ଼ିଶାରେ ପାର୍ବଣ ଋତୁ ପାଳିତ ହୋଇଥାଏ । ବିଶେଷ କରି କଟକରେ ଗଣେଶ ପୂଜାରୁ ପାର୍ବଣ ଆରମ୍ଭ ହୋଇ ବାଲିଯାତ୍ରାରେ ଶେଷ ହୋଇଥାଏ । ଓଡ଼ିଶାର ସବୁ ଠାରେ ଗଣେଶ ପୂଜା ପାଳିତ ହେଉଥିଲେ ମଧ୍ୟ ଜଟଣୀ , ଅନୁଗୁଳ , ତାଳଚେର , କଟକ ଓ ଭୁବନେଶ୍ବର ଠାରେ ଜାକଜମକରେ ଗଣେଶ ଉତ୍ସବ ପାଳିତ ହୁଏ । ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ଶରୀର ବର୍ଣ୍ଣନା ଶାସ୍ତ୍ରୀୟ ମତରେ ବାଧାବିଘ୍ନ ଦୂରୀକରଣ, ସୁଖସମୃଦ୍ଧି ଏବଂ ଜ୍ଞାନ ଆହରଣ ପାଇଁ ଯେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରିଥାଏ ତା’ର ପ୍ରତୀକ ହେଉଛନ୍ତି ଶ୍ରୀଗଣେଶ । ସେଇଥିପାଇଁ ସେ ବିଘ୍ନ ବିନାଶକ, ସିଦ୍ଧି ବିନାୟକ ଭାବରେ ମଧ୍ୟ ପରିଚିତ। ପ୍ରତ୍ୟେକ ଶୁଭକାର୍ଯ୍ୟ ଆରମ୍ଭ ପୂର୍ବରୁ ଶ୍ରୀଗଣନାଥଙ୍କ ପୂଜନ ନିଶ୍ଚିତ ଭାବରେ ସଂପାଦିତ ହୋଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ ଜଣାଯାଏ ଯେ ହସ୍ତୀମସ୍ତକ ଧାରଣ, ସ୍ଥୂଳ ଉଦର, ବକ୍ରତୁଣ୍ଡ ତଥା ମୂଷିକ ବାହନଧାରୀ ଶ୍ରୀଗଣେଶ ହେଉଛନ୍ତି ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱର ପ୍ରକାଶକ ଏବଂ ବାଧାବିଘ୍ନ ଦୂରୀକରଣର ମୁଖ୍ୟ ସହାୟକ। ପୌରାଣିକ ଦୃଷ୍ଟିକୋଣରୁ ଦେଖିଲେ ମା’ ପାର୍ବତୀ ଦେବୀ ଗାଧୋଇବା ପୂର୍ବରୁ ଶରୀରରେ ହଳଦୀ ପ୍ରଲେପନ ସମୟରେ ମନରେ ଏକ ସନ୍ତାନ ଚିନ୍ତନ ମାଧ୍ୟମରେ ଗଣେଶଙ୍କୁ ସୃଷ୍ଟି କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେହି ମୂର୍ତ୍ତିରେ ଜୀବନ୍ୟାସ ମଧ୍ୟ ଦେଇଥିଲେ। ସ୍ନାନାଗାରକୁ ବାହାରୁ ଯେମିତି କେହି ନ ଆସନ୍ତି ତା’ର ତଦାରଖ ପାଇଁ ଦ୍ୱାରପାଳ ଭାବରେ ଗଣେଶଙ୍କୁ ନିୟୋଜିତ କରିଥିଲେ। ମାତ୍ର ବିଡ଼ମ୍ବନାର ବିଷୟ ଯେ- ମାତା ପାର୍ବତୀଙ୍କ ସ୍ୱାମୀ ଶିବଶଙ୍କର ସେଠାରେ ପହଞ୍ଚି ଭିତରକୁ ଯିବା ପାଇଁ ଆଗେଇ ଚାଲିଲେ। ଦ୍ୱାରପାଳ ଭାବରେ କାର୍ଯ୍ୟରତ ଶ୍ରୀଗଣେଶ ତାଙ୍କୁ ଭିତରକୁ ଯିବା ପାଇଁ ବାରଣ କଲେ। ଏତାଦୃଶ ବ୍ୟବହାରରେ କ୍ରୋଧାନ୍ୱିତ ହୋଇ ଶିବ ଗଣେଶଙ୍କ ମସ୍ତକ ଛେଦନ କଲେ। ମାତା ପାର୍ବତୀ ଏହା ଜାଣିବା ପରେ ଭୀଷଣ ମନ ଦୁଃଖରେ କ୍ରନ୍ଦନ କରି ଶିବଙ୍କୁ ପ୍ରାର୍ଥନା କଲେ ଗଣେଶଙ୍କୁ ପୁନଃ ଜୀବନଦାନ କରିବାକୁ। ଶିବଙ୍କ ରାଗ ଶାନ୍ତ ହେବା ପରେ ମାତା ପାର୍ବତୀଙ୍କୁ ଆଶ୍ୱାସନା ଦେଇ ଗଣେଶଙ୍କୁ ଜୀବଦାନ ଦେଇ ଏକ ବର ଦେଇଥିଲେ। ତାହା ହେଉଛି ପ୍ରତ୍ୟେକ ଦେବ-ଦେବୀଙ୍କ ପୂଜନ ପୂର୍ବରୁ ଅଥବା କୌଣସି ଶୁଭକାର୍ଯ୍ୟ ଆରମ୍ଭରେ ଶ୍ରୀଗଣେଶ ପ୍ରଥମେ ପୂଜା ପାଇବେ। ଆଉ ଏକ ଉଲ୍ଲେଖନୀୟ ଘଟଣା ହେଉଛି – ଯେତେବେଳେ ବ୍ୟାସଦେବ ମହାଭାରତ ରଚନା ଆରମ୍ଭ କଲେ ସେତେବେଳେ ସେ ଶ୍ରୀଗଣେଶଙ୍କୁ ତାହା ଲେଖିବା ପାଇଁ ଅନୁରୋଧ କରିଥିଲେ। ଶ୍ରୀଗଣେଶ ତାଙ୍କ ଅନୁରୋଧ ରକ୍ଷାକରି ଗୋଟିଏ ସର୍ତ୍ତ ରଖିଥିଲେ। କହିଥିଲେ- ବ୍ୟାସଦେବ ମହାଭାରତ ରଚନାବେଳେ ପ୍ରତ୍ୟେକ ବାକ୍ୟ ଅନର୍ଗଳ କହି ଚାଲିଥିବେ ଏବଂ ତାକୁ ସେ ଲିପିବଦ୍ଧ କରୁଥିବେ। ମାତ୍ର ଅଟକିବେ ନାହିଁ। ଏହା ଶୁଣି ବ୍ୟାସଦେବ ଶ୍ରୀଗଣେଶଙ୍କୁ କହିଲେ ଠିକ୍ ଅଛି। ମୁଁ ସେଥିରେ ରାଜି ମାତ୍ର ମୋର ମଧ୍ୟ ଏକ ସର୍ତ୍ତ ରହିବ। ତାହା ହେଉଛି ମୁଁ ଯେଉଁଠି ଅଟକିଯିବି ମୋର ପ୍ରତ୍ୟେକ ଶ୍ଳୋକର ସଠିକ ବ୍ୟାଖ୍ୟା ପୂର୍ବକ ଯାହା ଲେଖିବା ପାଇଁ ଉପଯୁକ୍ତ, ତାକୁ ପୂର୍ଣ୍ଣ କରିବା ଦାୟିତ୍ୱ ହେଉଛି ଶ୍ରୀଗଣେଶଙ୍କର। ଉଭୟେ ଉଭୟଙ୍କ ସର୍ତ୍ତରେ ରାଜି ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ତିନିବର୍ଷ ପରେ ମହାଭାରତ କାବ୍ୟ ସଂପୂର୍ଣ୍ଣ ହୋଇଥିଲା। ବର୍ତ୍ତମାନ ବୈଜ୍ଞାନିକ ଭାବନାର ଚେତନା କିପରି ଶ୍ରୀଗଣେଶଙ୍କ ଉଦ୍ଦେଶ୍ୟରେ ଅନୁଶୀଳନ କରାଯାଇଛି, ସେ ସଂପର୍କରେ କିଞ୍ଚିତ୍ ତଥ୍ୟ ଏଠାରେ ଉପସ୍ଥାପନ କରାଯାଉଛି। ଶ୍ରୀଗଣେଶ ହେଉଛନ୍ତି ସଜୀବ ଶକ୍ତିର ଉପାଦାନ ବା ଅନୁଭବ ଶକ୍ତି। ତାଙ୍କର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ବୈଜ୍ଞାନିକ ବାର୍ତ୍ତା ପ୍ରଦାନର ମାଧ୍ୟମ । ମସ୍ତକ:- ଜୀବ ବିଜ୍ଞାନରେ ଏହା ଏକ ବୃହତ୍ ଅଙ୍ଗ, ଯାହା ଉତ୍ତମ ବିଚାର ଶକ୍ତିର ପ୍ରତୀକ। ଏହାକୁ ବିଜ୍ଞତା ବା ପ୍ରଞ୍ଚତା ମଧ୍ୟ କୁହାଯାଇପାରେ। ତାଙ୍କର ଦୀର୍ଘଶୁଣ୍ଢ ତେେଜାଦୀପ୍ତର ମାର୍ଗଦର୍ଶକ। ଶ୍ରୀଗଜାନନଙ୍କ ଦର୍ଶନ ମାଧ୍ୟମରେ ଦର୍ଶକ ନିଜର ବିବେକ ଏବଂ ମନକୁ ସୁ-ସଂଚାଳିତ କରିପାରେ ଏବଂ ନିଜକୁ ଜଣେ ପ୍ରତିଭାବାନ ସୁପୁରୁଷ ଭାବରେ ପ୍ରତିଷ୍ଠିତ କରିପାରେ। ଉତ୍ଥାନ ପତନ, ଭଲ- ମନ୍ଦ, ଆଚାର ବ୍ୟବହାର ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ ରକ୍ଷାକରି କାର୍ଯ୍ୟ କରିପାରେ। ମୋଟାମୋଟି ଭାବରେ ଦେଖିଲେ ଜଣେ ନିଜକୁ ବୁଦ୍ଧିଜୀବୀ ଭାବରେ ପରିପ୍ରକାଶ କରିବା ପାଇଁ ଗଜାନନଙ୍କ ମସ୍ତକରୁ ପ୍ରେରଣା ପାଇଥାଏ। ଛାୟା ଦୀର୍ଘକର୍ଣ୍ଣ :- ଏହା ନୂତନ ଚିନ୍ତନ ଏବଂ ନୂତନ ଦିଗ୍ଦର୍ଶନର ପ୍ରତୀକ। ଏତଦ୍ଭିନ୍ନ ଆଧ୍ୟାତ୍ମିକ ଜ୍ଞାନ ଆହରଣ ପାଇଁ ନିର୍ଣ୍ଣାୟକ ଭୂମିକାର ମାଧ୍ୟମ ଭାବରେ କାର୍ଯ୍ୟ କରିଥାଏ। ଉଦର :- ମଣିଷ ଜୀବନରେ ଉତ୍ଥାନ, ପତନ ରହିବା ସ୍ୱାଭାବିକ। ଏହାକୁ ସହ୍ୟ କରିବାର ସହନଶୀଳତା ଏବଂ ଅନାୟସରେ ଟାଳି ନେବାର ଶକ୍ତି ଶ୍ରୀଗଣେଶଙ୍କ ଉଦର ଦର୍ଶନରୁ ପ୍ରେରଣା ମିଳିଥାଏ । ମୂର୍ତ୍ତି ଉପବେସନର ମାହାତ୍ମ୍ୟ :- ଶ୍ରୀ ଗଣେଶଙ୍କ ଉପବେସନର ଢଙ୍ଗରେ ଅନେକ ମହତ୍ତ୍ୱ ରହିଛି। ଗୋଟିଏ ପାଦ ଭୂମିରେ ସ୍ପର୍ଶ କରୁଥିବାବେଳେ ଅନ୍ୟ ଏକ ପାଦ ଜଙ୍ଘ ଉପରେ ସ୍ଥାପିତ ହୋଇଥାଏ। ଏହାର ତାତ୍ପର୍ଯ୍ୟ ହେଉଛି – ଭୂମିରେ ସ୍ଥାପିତ ପାଦ ପ୍ରତ୍ୟେକ ଆହ୍ୱାନର ସମାଧାନ ପାଇଁ ଜଣକୁ ଦୃଢମନା କରିଥାଏ। ସେମିତି ଜଙ୍ଘ ଉପରେ ରହିଥିବା ପାଦ ଆତ୍ମା ସହିତ ବିବେକର ସଂଯୋଗ ସ୍ଥାପନ ଏବଂ ସମାଧାନର ମାର୍ଗ ନିର୍ଣ୍ଣୟନରେ ସହାୟକ ହୋଇଥାଏ। ମୂଷିକ ବାହନ :- ଇଚ୍ଛାଶକ୍ତିକୁ ନିୟନ୍ତ୍ରଣ କରିବା ପାଇଁ ଏହା ଉତ୍ତମ ମାଧ୍ୟମ । ସମସ୍ତେ ଅବଗତ ଥିବେ ଯେ ମୂଷା ଏକ ସର୍ବଗ୍ରାସୀ ପ୍ରାଣୀ। ତା’ର ସବୁ ଖାଇବାର ଏବଂ ପାଇବାର ଇଚ୍ଛା ଥାଏ। ସେହିପରି ମଣିଷ ମନରେ ଯେଉଁ ଅଦମ୍ୟ ପିପାସା ତାକୁ ନିଜ ଅଧୀନରେ ରଖିବାର ମାର୍ଗ ମୂଷାଠାରୁ ପ୍ରେରଣା ମିଳିଥାଏ। ଶ୍ରୀଗଣେଶଙ୍କର ଚାରିଗୋଟି ହସ୍ତରୁ ମିଳୁଥିବା ସଙ୍କେତ :- ବାମ ଦୁଇ ହସ୍ତ :- ଗୋଟିଏ ହସ୍ତରେ ପଦ୍ମଫୁଲ ଏବଂ ଅନ୍ୟଟିରେ ଲଡ଼ୁ। ପଦ୍ମଫୁଲ ହେଉଛି ଆତ୍ମ ନିରୀକ୍ଷଣର ମାନଦଣ୍ଡ। ଠିକ୍ ସେମିତି ଲଡ଼ୁ ଧାରଣ ଆଧ୍ୟାତ୍ମିକ ପ୍ରବର୍ତ୍ତନାର ମୂଳ ପ୍ରବର୍ତ୍ତକ। ଦକ୍ଷିଣରେ ଥିବା ଦୁଇ ହସ୍ତ :- ଗୋଟିକରେ ଲେଖନୀ ଧାରଣ ଏବଂ ଅନ୍ୟଟିରେ ଆଶୀର୍ବାଦ ପ୍ରଦାନ ସଙ୍କେତ। ଲେଖନୀ ଧରିଥିବା ହସ୍ତ ଉତ୍ସାହପୂର୍ଣ୍ଣ ଲେଖନୀ ଚାଳନା ପାଇଁ ଉଦ୍ଦିଷ୍ଟ ଏବଂ ଅନ୍ୟଟି ଆଶୀର୍ବାଦ ପ୍ରଦାନ ପାଇଁ ନିଧାର୍ଯ୍ୟ । ଥାଳିରେ ପ୍ରସାଦ :-ଏହା ପଞ୍ଚଭୂତାତ୍ମକ ଧନ ଏବଂ ଶକ୍ତି ପ୍ରଦାନର ପ୍ରତୀକ। ଏହି ଅଙ୍ଗପ୍ରତ୍ୟଙ୍ଗ ବର୍ଣ୍ଣନାରୁ ଯେଉଁ ସୂଚନା ମିଳୁଛି, ତହିଁରୁ ପ୍ରମାଣିତ ଯେ ଶ୍ରୀ ଗଣେଶଙ୍କ ଦର୍ଶନ ମାଧ୍ୟମରେ ଜଣେ ନିଜକୁ ସାବଧାନ କରିପାରିବାର ଶକ୍ତି ଆହରଣ କରିଥାଏ। ତେଣୁ ଯଥାର୍ଥରେ କୁହାଯାଇଛି ଯେ- ନମୋ ଗଣେଶ ବିଘ୍ନେଶ ଗିରିଜାନନ୍ଦନ ପ୍ରଭୁ। ମମବିଘ୍ନଂ ନିହତ୍ୟାଶୁ ସର୍ବ ସିଦ୍ଧି- ପ୍ରଦ ଭବ ।। ——————////————- ସୌଜନ୍ଯ: ଶ୍ରୀଯୁକ୍ତ ବିଭୁ ପ୍ରସାଦ ନାୟକ ସାଧାରଣ ସମ୍ପାଦକ “ନୀଳଶୈଳ” ଏବଂ “ବିଶ୍ବ ଓଡ଼ିଆ ସମ୍ମିଳନୀ” Categories: ଓଡ଼ିଶା, କଟକ, ମହାନଗର, ହୋମ୍ Related Content ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026 ମୃତକଙ୍କ ପରିବାରକୁ ବିରୋଧୀ ଦଳ ନେତାଙ୍କ ସହାୟତା by Proprietor Abhimanyu Maharana September 17, 2026