ଓଡ଼ିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ସୋମବାର) ଭୁବନେଶ୍ୱର :- ବେଳା ତିନିଟା କି ସାଢେ ତିନିଟା ହେବ । ଶଙ୍କରା ଭାଇ ଦୋକାନ ସାମ୍ନା ବେଞ୍ଚରେ ବସି ମୁଁ ଚାହା ପିଉଥାଏ ଆଉ ଶଙ୍କରା ଭାଇ ତାର ଯନ୍ତ୍ରଣାଶିକ୍ତ ଅତୀତର ଗଳ୍ପ ଶୁଣାଉଥାଏ । କଥୋପକଥନର ମୁଖ୍ୟ ବିଷୟ କରୋନା ପୂର୍ବରୁ ଚେନ୍ନାଇ ସ୍ଥିତ କେଉଁ ଏକ ମଟର ଗାଡ଼ି ସୋରୁମ୍ ରେ ତାର ସେଲ୍ସମ୍ୟାନ୍ ଚାକିରୀ, କରୋନା ବ୍ୟାପିବା ପରେ ଚାକିରୀ ହରେଇବା, ତା ଘରେ ପ୍ରାୟ 6 ମାସ ବସିରହିବା, ସେ ସମୟରେ ପରିବାର ର ଦୟନୀୟ ଅଵସ୍ଥା ଓ ଶେଷରେ ଏଇ ଛୋଟିଆ ଦୋକାନ କରି କେମିତି କୌଣସି ପ୍ରକାର ଗୁଜୁରାଣ ମେଣ୍ଟାଇବା। ଜୀବନରେ ବହୁ ଝଡ଼ ଖଞ୍ଜା ଆସିଛି, କିନ୍ତୁ ସେ ସବୁକୁ ପାର କରି ଆସିବା ଇତ୍ୟାଦି ।
ଶଙ୍କରା ଭାଇର ଦୋକାନ କହିଲେ, ରାସ୍ତା କଡ଼ରେ ଛୋଟ ଚାଳିଆ ଦୋକାନଟେ । ଚାରିଟା ସିମେଣ୍ଟ ଖୁଣ୍ଟି, ତା ଉପରେ କେଇଖଣ୍ଡ ଦଦରା କାଠ ବାଉଁଶ ଉପରେ ଭଙ୍ଗା ଟିଣ ଆଜବେଷ୍ଟସ ଓ ତା ଉପରେ କଳା ପଲିଥିନ ଘୋଡା, କାନ୍ଥ ସବୁ ବାଉଁଶ କଣିର ଝାଟିମାଟି । ଭିତରକୁ ପଶିଲେ, ଚାଳରେ ମୁଣ୍ଡ ବାଜିବ । କିନ୍ତୁ ତା ଦୋକାନରେ ଚାହା ସହ, ସକାଳର ଜଳଖିଆ, ଦିପହରେ ଭାତ ଓ ରାତିରେ ରୁଟି ଡାଲମାର ସୁବ୍ୟବସ୍ଥା ଅଛି । ଆଉ ଏକଥା ଗ୍ରାହକଙ୍କ ଗୋଚାରାର୍ଥେ, ପୁରୁଣା ତେଲ ଡବାକୁ କାଟି ତିଆରି ହୋଇଥିବା ଟିଣ ବୋର୍ଡ ଉପରେ ରଙ୍ଗ ଦ୍ଵାରା କେଉଁ ଏକ ଅଖ୍ୟାତ ଶିଳ୍ପୀ ଦ୍ୱାରା ଅଙ୍କା ବଙ୍କା ଅକ୍ଷରରେ ମୁଦ୍ରିତ । ତା ଦୋକାନକୁ ସହରର ବାବୁ ଭାୟା ମାନେ କେବେ ଆଡ଼ଆଖିରେ ଦେଖନ୍ତି ବୋଲି ମୋର ସନ୍ଦେହ ଅଛି । ଦୋକାନର ନାଗୁଆ ଗରାଖ ବୋଇଲେ, କେଇଟା ରିକ୍ସାଵାଲା ଓ ଦିନ ମଜୁରିଆ ।
ବାହାରେ ଡିସେମ୍ବରର ହାଲକା ଉଷ୍ଣ ଖରା ସହ ଗରମ ଗରମ ସର ପକା ଚାହା ଆଉ ଶଙ୍କର୍ଷଣ ମହାନ୍ତିରୁ ଶଙ୍କରା ଭାଇ ପର୍ଯ୍ୟନ୍ତ ଯାତ୍ରାକୁ ଉପଭୋଗ କରୁଥିଲି । ସତରେ, ସ୍ରୋତର ଅନୁକୂଳରେ ସମସ୍ତେ ନାଆ ବାହି ଜାଣନ୍ତି, କିନ୍ତୁ ସ୍ରୋତର ବିପରୀତ ଦିଗରେ ସୁଅ କାଟି ଯିଏ ନାଆକୁ କୂଳରେ ଲଗାଏ ସେ ହିଁ ଅସଲ ନାଉରୀ । ଆମେ ଦୁହେଁ ଗପୁ ଗପୁ ଖିଆଲ ଆସିଲା ସାମ୍ନାରେ ଛିଡ଼ା ୨୩-୨୪ ବର୍ଷର ଝିଅଟେ ।
ପରିଧାନ ଅତି ସାଧାରଣ, କପାଳରେ କଳା ଟିକିଲି ବାଦ୍ ମୁହଁରେ ମେକଅପର ବିନ୍ଦୁ ମାତ୍ର ନାହିଁ, ଅଥଚ ସେଇ ମୁହଁରେ କେମିତି ଗୋଟେ ଅଦ୍ଭୂତ ସମ୍ମୋହନ ଅଛି । କେମିତି ଆପଣାର ଆପଣାର ଛୁଆଁ ରହିଛି ସେଇ ମୁହଁରେ । ହାତରେ ଧରିଥିବା ସ୍ଵଛ ଫାଇଲ ଫୋଲ୍ଡର ଭିତରୁ ଉଙ୍କି ମାରୁଥିଲେ କେଇ ଖଣ୍ଡ କାଗଜ (ବୋଧ ହୁଏ ସ୍ୱବିବରଣୀ ପତ୍ର) ଓ କିଛି ସାର୍ଟିଫିକେଟ । ହୁଏତ କେଉଁଠି ଚାକିରୀର ସାକ୍ଷାତକାର ଦେଇ ଫେରୁଛି ।
ଶଙ୍କରା ଭାଇ ଦୋକାନରୁ ମୁଣ୍ଡଗଳେଇ ଜିଜ୍ଞାସୁ ଦୃଷ୍ଟିରେ ଝିଅଟି ଆଡ଼କୁ ଚାହିଁବାର ଦେଖି ଝିଅଟି ନରମ ଗଳାରେ ପଚାରିଲା :-
– କିଛି ଖାଇବା ପାଇଁ ମିଳିବ ?? ଭାତ, ରୁଟି, ବା ପାଉଁରୁଟି ଯାହା ହେଲେ ବି ଚଳିବ ।
– “ହଁ ହଁ ଅଛି, ସବୁ ଅଛି । ଭାତ ଚାହିଁଲେ ଭାତ, ରୁଟି କହିଲେ ଗରମ ଗରମ ବନେଇ ଦେବି” ଆଗ୍ରହର ସହ କହିଲା ଶଙ୍କରା ଭାଇ ।
– ନା ନା ରୁଟି କରିବା ଦରକାର ନାହିଁ, ଭାତ କେତେ ?
– କଣ ଖାଇବେ, ସାଦା ମିଲ ନା ମାଛ ଭାତ, ଅଣ୍ଡା ଭାତ ନା ମାଂସ ଭାତ ??
– ନା, ସାଦା ମିଲ କେତେ ?
– ସାଦା ମିଲ ୪୦ ଟଙ୍କା । ଭାତ, ଡାଲି, ଗୋଟେ ସାଦା ତରକାରୀ, ଆଉ ଭଜା ରହିବ ।
କଥାଟା ଶୁଣି, ଝିଅଟି କିଛି ସମୟ ନୀରବରେ କିଛି ଭାବିଲା ।କେଇ ମୁହୂର୍ତ୍ତ ପରେ ଟିକେ ଇତସ୍ତତଃ ହୋଇ ଝିଅଟି ପୁଣି ପଚାରିଲା,
– ଖାଲି ଭାତ ଡାଲି ହେଲେ କେତେ ନେବ ? ତିରିଶ ଟଙ୍କାରେ ହେଇଯିବ କି ??
– ସେଇଠି ବାହାରେ ଡ୍ରମରେ ପାଣି ଅଛି, ହାତ ମୁହଁ ଧୋଇ ଭିତରକୁ ଆସ, ମୁଁ ବାଢ଼ି ଦେଉଛି । ଭିତରେ ଯୋଡ଼େ ପ୍ଲାଷ୍ଟିକ ଟେବୁଲ ପଡ଼ିଥିଲା । ଟେବୁଲ ଉପରେ ଫାଇଲ୍ ରଖି ଝିଅଟି ବସିଲା । ହଠାତ ଝିଅଟିର ଫୋନଟି ବାଜି ଉଠିଲା ।
– ହଁ ବୋଉ । ହଁ ହଁ ଇଣ୍ଟରଭିଉ ଭଲ ହେଇଚି । ଲାଗୁଚି ହେଇଯିବ । ହଁ ଖାଇଛି । ଭାତ, ଡାଲି, ବାଇଗଣ ଭଜା ଆଉ ମାଛ ତରକାରୀ । ତୁ ଏତେ କାଶୁଚୁ ! ସକାଳୁ କହିଆସିଥିଲି ଓଷଦ ଖାଇବାକୁ, ଖାଇଥିଲୁ ନା ..? ଦିପହରରେ କଣ ଖାଇଥିଲୁ ..?? ହଉ ବବୁଲୁକୁ କହିବୁ, ଟିଉସନରୁ ଫେରିବା ବାଟରେ ସାଇକେଲ ନେଇ ଚରମ୍ପା ଷ୍ଟେସନରେ ଆସି ଥିବ, ମୁଁ ପହଁଚିଲା ବେଳକୁ ରାତି ହେଇଯିବ । ଏବେ ରଖୁଛି, ତୁ ଓଷଦ ଖାଇ ଟିକେ ରେଷ୍ଟ ନେ । ହଁ ରଖୁଛି ।
ଫୋନ ରଖି କେଇ ମୁହୂର୍ତ୍ତ ବାହାରକୁ ଶୁନ୍ୟ ଦୃଷ୍ଟିରେ ଚାହିଁ ରହିଥିଲା ଝିଅଟି । କଣ ଭାବୁଥିଲା କେ ଜାଣେ !! ହୁଏତ ଚାକିରୀ ପରର ସୁନେଲି ସ୍ବପ୍ନ ଆଖିରେ ଭିଡ଼ କରିଥିଲା । ବୋଧେ ଭାବୁଥିଲା, ଚାକିରିଟା ହୋଇଗଲେ ଘରେ ରୋଗୀଣା ମା’ ପାଇଁ ଓଷଦ ଖର୍ଚ୍ଚ, ଛୋଟ ଭାଇର ପଢ଼ାପଢ଼ି ଆଉ ଟିଉସନ୍ ଖର୍ଚ୍ଚ ପାଇଁ ଆଉ ଅସୁବିଧା ହେବନି । କିନ୍ତୁ… ଯଦି ଚାକିରୀ ନହୁଏ ?? ହଠାତ ଦୀର୍ଘ ନିଃଶ୍ୱାସ ଟିଏ ଛାଡ଼ି, ଦୁଇ ହାତର କହୁଣୀ ଟେବୁଲ ଉପରେ ରଖି ଦୁଇ ପାପୁଲିରେ ମୁହଁକୁ ଢାଙ୍କି ବସି ରହିଥିଲା କିଛି ସମୟ ।
ଏଇ ବୟସରେ ସଂସାରର ଦାଇତ୍ୱ କାନ୍ଧଉପରେ ନେଇ, କେଇ ଖଣ୍ଡ ସାର୍ଟିଫିକେଟ କୁ ଅସ୍ତ୍ର କରି ଜୀବନ ଯୁଦ୍ଧରେ ବାହାରି ପଡ଼ିଛି କୁନି ଝିଅଟି। ନାରୀ ପର୍ଯ୍ୟାୟ ଭୁକ୍ତ ହୋଇନି ବୋଧେ ଏ ଯାଏ, ତଥାପି ନାରୀ ସଶକ୍ତିକରଣ ବୋଧ ହୁଏ ଏହାକୁ ହିଁ କୁହାଯାଏ ।
ୟା ଭିତରେ ଶଙ୍କରା କେତେବେଳେ ଟେବୁଲ ଉପରେ ଖାଇବା ବାଢ଼ି ଦେଇଯାଇଥିଲା । ଖାଇବା ଥାଳି ଦେଖି ଝିଅଟି ପୁଣି ଡାକିଲା, ଭାଇ ମୁଁ କହିଥିଲି କେବଳ…
– “ଭୁଲ ହେଇଯାଇଛି ମା’, ଭୁଲରେ ମାଛ ତରକାରୀ ଦେଇ ଦେଇଛି । ଭୁଲ୍ ଟା ପୁରାପୁରି ମୋର। ଦେଇ ଦେଇଛି ଯେତେବେଳେ ଖାଇଦିଅ, ନହେଲେ ପୁରା ପ୍ଲେଟଟା ନଷ୍ଟ ହେବ ମୋର । ତୁମେ ସେଇ ତିରିଶ ଟଙ୍କା ହିଁ ଦେବ ।” ଝିଅଟିକୁ କଥା ଶେଷ କରିବାକୁ ନଦେଇ ଶଙ୍କରା ଭାଇ କହିଲା ।
– କିନ୍ତୁ ମୁଁ ତ ଖାଲି, ଭାତ ଡାଲି..
– “ହଁ କହିଥିଲ ଯେ, କିନ୍ତୁ ଭୁଲରେ ଦେଇଦେଲି । ଖାଇଦିଅ” ଝିଅଟିର କଥାକୁ ଆଉ ଅପେକ୍ଷା ନକରି ଶଙ୍କରା ବାହାରେ କୋଇଲା ଆଞ୍ଚରେ ବସିଥିବା ଚାହା ସସ୍ପେଣ୍ଟରେ ଚାହାପତି ଓ ଚିନି ମିଶେଇବାକୁ ଲାଗିଲା ।
