ସର୍ଗିଗୁଡା ଓ କୁରମେଲ ପଞ୍ଚାୟତକୁ ମରୁଡି ଘୋଷଣା ଦାବି

ଓଡ଼ିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ସୋମବାର କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାରେ ଆଷାଢ଼ ଓ ଶ୍ରାବଣ ମାସରେ ନିଅଣ୍ଟିଆ ବର୍ଷା ହୋଇ ଅଧିକାଂଶ ଅଞ୍ଚଳରେ ମରୁଡି ପରିସ୍ଥିତି ଦେଖାଦେଇଛି। ନବାନ୍ନ ଲାଗି କେଇଟା ଦିନ ଥିବା ବେଳେ ରୁଆ ଓ ବେଉଷଣ କାମ ଅଧାରେ ଅଟକି ରହିଛି। ଏଭଳି ପରିସ୍ଥିତିରେ ଚାଷୀ ଚିନ୍ତାରେ ରହୁଛି । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ନେତା ମାନଙ୍କର କିନ୍ତୁ ଦେଖାମିଳୁ ନାହିଁ । ଏଣୁ ମରୁଡି ଅଞ୍ଚଳ ଘୋଷଣା ପାଇଁ ଚାଷୀ ସରକାରୀ ଅଫିସ ମୁହାଁ ହେଉଛନ୍ତି । ନର୍ଲା ବ୍ଳକର ସର୍ଗିଗୁଡା ଓ କୁରମେଲ ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଚାଷୀମାନେ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।

ଦୁଇ ଗୋଟି ପଞ୍ଚାୟତକୁ ମରୁଡି ଘୋଷଣା ଦାବି ରଖି ଚାଷୀଙ୍କ ଋଣଛାଡ଼ କରିବା ସହ ସ୍ଵତନ୍ତ୍ର ମରୁଡି ପ୍ୟାକେଜ ପ୍ରଦାନ ପାଇଁ ଚାଷୀମାନେ କହିଛନ୍ତି। ସେହିପରି କୁରମେଲ ପଞ୍ଚାୟତର ଖଇରମାଲ, କୁଶମାଳ, ପଟାଙ୍ଗପଦର, କେରବାଣ୍ଡି,ବୁଦେଲଗୁମା, କିଲବେଡା ଓ ବମକ ଗ୍ରାମର ୫୦% ଜମି ହାତୀ ଉପଦ୍ରବ ଯୋଗୁଁ ଚାଷ କ୍ଷତିଗ୍ରସ୍ତ ହେଉଥିବା ନେଇ ସଠିକ କ୍ଷତିପୂରଣ ଦେବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ଦାବି ପତ୍ର ପ୍ରଦାନ ପାଇଁ ଚାଷୀ କୁମୁଦ ଚନ୍ଦ୍ର ନାଏକ, ତୀର୍ଥ ବୁଦ୍ଧିଆ, ନରସିଂହ ଥପା, ଗଜପତି ମାଝୀ, ଟିକେରାମ ବିଶି, ଉଜ୍ବଳ ବିଶି,ବିଦ୍ୟାଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version