ଅନାବୃଷ୍ଟି ଜନିତ ପରିସ୍ଥିତିର ତତ୍କାଳ ସମୀକ୍ଷା ନିମନ୍ତେ କ୍ଷେତ୍ର କର୍ମଚାରୀମାନଙ୍କ ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ରହିବେ : ମନ୍ତ୍ରୀ ଡ଼ଃ ଅରୁଣ ସାହୁ

ଓଡ଼ିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶନିବାର) ଭୁବନେଶ୍ୱର :- ବର୍ତମାନର ଅନାବୃଷ୍ଟି ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ସମସ୍ତ ବିଭାଗୀୟ କ୍ଷେତ୍ର କର୍ମଚାରୀ ମାନେ ନିଜର ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଚାଷୀଙ୍କ ସହ ଫସଲ ଦେଖିବେ ଓ ତତ୍କାଳ ପରିସ୍ଥିତି ସମ୍ପର୍କରେ ଉଚ୍ଚ ସ୍ତରକୁ ତଥ୍ୟ ପ୍ରଦାନ କରିବେ । ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ ଡ଼ଃ ଅରୁଣ ସାହୁ ।

ଆଜି କୃଷିଭବନର ସମ୍ମିଳନୀ କକ୍ଷରେ ଅନାବୃଷ୍ଟି ଜନିତ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭାଗୀୟ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ , କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ଼ଃ ମୁଥୁ କୁମାର , ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଙ୍କ ସହ ଅନ୍ୟାନ୍ୟ ଉଚ୍ଚ ଅଧିକାରୀ ମାନଙ୍କର ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ନିମ୍ନୋକ୍ତ ମତେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

୧. ବର୍ତ୍ତମାନର ଅନାବୃଷ୍ଟି ଜନିତ ପରିସ୍ଥିତିକୁ ଆଖି ଆଗରେ ରଖି ସମସ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ କ୍ଷେତ୍ର ପରିଦର୍ଶନ କରି ବାସ୍ତବ ଚିତ୍ର ଅଧିକାରୀଙ୍କୁ ପ୍ରଦାନ କରିବେ ।

୨. ପ୍ରସ୍ତୁତ ହୋଇଥିବା ଆପାଦକାଳୀନ ଯୋଜନାକୁ କିପରି ଭାବରେ ଅଧିକ କାର୍ଯ୍ୟୋପଯୋଗୀ କରାଯାଇପାରିବ ଏଥି ନିମନ୍ତେ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ର କୁଳପତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ବୈଷୟିକ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା ।

୩. ଉକ୍ତ କମିଟି ଏହାର ଉପଦେଶାବଳୀ ଆସନ୍ତା ୬ ତାରିଖ ( ସୋମବାର ) ସୁଦ୍ଧା ବିଭାଗୀୟ ସଚିବଙ୍କୁ ପ୍ରଦାନ କରାଯିବା ପାଇଁ ଅନୁରୋଧ କରାଗଲା ।

୪. ରାଜ୍ୟସ୍ତରୀୟ ଅଧିକାରୀ ଅନାବୃଷ୍ଟି ଜନିତ ସମସ୍ତ ସୂଚନା ତତ୍ କ୍ଷଣାତ ପ୍ରଦାନ ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଧେଶ ଦିଆଗଲା ।

୫. ଏତଦ୍ ବ୍ୟତୀତ ଆସନ୍ତା ରବିବାର ଦିନ ଅପରାହ୍ନ ୩ ଟା ସମୟରେ ମାନ୍ୟବର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୃଷି ଓ କୃଷକ ସଶକ୍ତିକରଣ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ଏବଂ ୫ ଜଣ ବିଭାଗୀୟ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ କୃଷି , ଉଦ୍ୟାନକୃଷି, ଜଳ ବିଭାଜିକା , ପଶୁ ସଂପଦ ବିକାଶ ଓ ମତ୍ସ୍ୟ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କର ଏକ ବୈଠକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କରାଯିବା ପାଇଁ ସ୍ଥିର କରାଗଲା।

Exit mobile version