ଭାରତ ପାଇଁ ପ୍ରଥମ ପଦକ ସୁନିଶ୍ଚିତ କଲେ – ଟେବୁଲ୍ ଟେନିସ୍ ଖେଳାଳି ଭାବିନା ପଟେଲ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶନିବାର ଭୁବନେଶ୍ୱର :- ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ସୁନିଶ୍ଚିତ କରିଛନ୍ତି ପାରା ଆଥଲେଟ୍ ଭାବିନା ପଟେଲ ସେମି ଫାଇନାଲ ରାଉଣ୍ଡରେ ଚୀନ ଖେଳାଳି ମିୟାଓ ଝାଙ୍ଗଙ୍କୁ ହରାଇ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି । ଭାବିନାଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବା ସହ ପଦକ ଆଶା ମଧ୍ୟ ବଢ଼ିଯାଇଛି ।

ଭାବିନା କ୍ଵାର୍ଟର ଫାଇନାଲ ରାଉଣ୍ଡରେ ସର୍ବିୟାର ଖେଳାଳି ବୋରିସ୍ଲାବା ପେରିଚ ରାଙ୍କୋୱିଚଙ୍କ ବିପକ୍ଷରେ ଖେଳି ତାଙ୍କୁ ପରାସ୍ତ କରିଥିଲେ। ଏହାପରେ ସେ ସେମି ଫାଇନାଲ ରାଉଣ୍ଡରେ ମଧ୍ୟ ଚୀନ ଖେଳାଳିଙ୍କୁ ପରାସ୍ତ କରି ଅଗଷ୍ଟ ୨୯ ତାରିଖରେ ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ରବିବାର ସକାଳ ୭.୧୫ରେ ଅନୁଷ୍ଠିତ ହେବ।

ସେମି ଫାଇନାଲ ରାଉଣ୍ଡରେ ବିଜୟ ହାସଲ କରିବାପରେ ଭାବିନା କହିଛନ୍ତି, “ମୋ ପାଇଁ ଏହା ହେଉଛି ଏକ ବଡ଼ ସଫଳତା। ସମସ୍ତେ କୁହନ୍ତି ଚୀନ ଖେଳାଳିଙ୍କୁ ହରେଇବା ସହଜ ନୁହେଁ। କିନ୍ତୁ ତା’ହା ମୁଁ ଆଜି କରି ଦେଖାଇଛି। ସମସ୍ତ ଭାରତୀୟଙ୍କୁ ଅନୁରୋଧ, ରବିବାର ହେବାକୁ ଥିବା ଫାଇନାଲ ମ୍ୟାଚ ପାଇଁ ମତେ ଆଶୀର୍ବାଦ ଦିଅନ୍ତୁ, ଯାହାଦ୍ଵାରା ମୁଁ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରିବି।”

ଫାଇନାଲ ମ୍ୟାଚରେ ଯଦି ଭାବିନା ଭଲ ପ୍ରଦର୍ଶନ କରନ୍ତି, ତେବେ ସେ ଚଳିତ ପାରାଲିମ୍ପିକ୍ସର ପ୍ରଥମ ଭାରତୀୟ ଖେଳାଳି ଭାବରେ ଦେଶକୁ ସ୍ଵର୍ଣ୍ଣ ପଦକ ଉପହାର ଦେବେ।

Exit mobile version