ଶକ୍ତି ସମ୍ପର୍କିତ ସବ୍-କମିଟି ବୈଠକ : ବ୍ୟବସ୍ଥାଗତ ଉନ୍ନତିକରଣ ଉପରେ ଗୁରୁତ୍ୱ

ଓଡ଼ିଶା ତାଜା ନିୟୁଜ୍ (୨୭ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ଶକ୍ତି ଉତ୍ପାଦନ, ବିତରଣ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ଉନ୍ନତି ପାଇଁ ଗଠିତ ଗୃହ ସବ୍- କମିଟି ବୈଠକ ଆଜି ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ପ୍ରକୋଷ୍ଠ ୫୪ରେ ଅନୁଷ୍ଠିତ ଉକ୍ତ ବୈଠକରେ ଉପବାଚସ୍ପତି ଶ୍ରୀ ସିଂ ବିଦ୍ୟୁତ୍ ଯୋଗାଣରେ ବ୍ୟବସ୍ଥାଗତ ଉନ୍ନତି ସହ ଖାଉଟିମାନଙ୍କ କଲ୍ୟାଣ ଉପରେ ଅଗ୍ରାଧିକାର ଦେବା ପାଇଁ ମତ ଦେଇଥିଲେ । ବିଧାୟକ ଡ଼ଃ ନୃସିଂହ ଚରଣ ସାହୁ ଟାଟା ପାୱାର କମ୍ପାନୀ ବ୍ୟାବସାୟିକ ମନୋବୃତ୍ତିକୁ କେବଳ ଅଗ୍ରାଧିକାର ନ ଦେଇ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ସାମଗ୍ରିକ ଉନ୍ନତି ଉପରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।

ପରଜଙ୍ଗ ଅଞ୍ଚଳରେ ବାରମ୍ୱାର ବିଦ୍ୟୁତ୍ କାଟ ହେଉଥିବାରୁ ଏଠାରେ ଓ.ପି.ଟି.ସି.ଏଲ.ର ଏକ ବିଦ୍ୟୁତ୍ ଗ୍ରୀଡ୍ ସ୍ଥାପନ ପାଇଁ ଦାବୀ ରଖିଥିଲେ । ବିଦ୍ୟୁତ୍ ଯୋଗାଣରେ ଉନ୍ନତି, ନିରାପତ୍ତା ବ୍ୟବସ୍ଥାର ସୁଦୃଢୀକରଣ, ଗ୍ରାହକ ସେବା ଏବଂ ଗ୍ରାହକ ସଚେତନତା ଇତ୍ୟାଦି ଉପରେ ଟାଟା ପାୱାର ତରଫରୁ ଗୃହ କମିଟି ସଭ୍ୟମାନଙ୍କ ଅବଗତି ପାଇଁ ସ୍ଲାଇଡ୍ – ସୋ ପ୍ରଦର୍ଶନ କରାଯାଇଥିଲା ।

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବିଦ୍ୟୁତ୍ ସରବରାହ ଯେଭଳି ଦୀର୍ଘଦିନ ଧରି ବାଧାପ୍ରାପ୍ତ ହେଉଛି, ତାହାକୁ ହେବାକୁ ନ ଦେଇ ୨୪ ଘଣ୍ଟା ସମୟସୀମା ମଧ୍ୟରେ ବିଦ୍ୟୁତ୍ ପୁନର୍ଯୋଗାଣ ପାଇଁ ଭିତ୍ତିଭୂମି ନିର୍ମାଣ କରାଯାଉଥିବା ବୈଠକରେ ସୂଚନା ଦିଆଯାଇଥିଲା । ସତର୍କତାମୂଳକ ବ୍ୟବସ୍ଥା ଉଫରେ ଗୁରୁତ୍ତ୍ୱ ଦିଆଯାଇ ବ୍ୟବସ୍ଥାଗତ ଉନ୍ନତି ଉପରେ ଶକ୍ତି ବିଭାଗର ଫୋକସ୍ ରହିଛି ବୋଲି ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଗୃହକୁ ଅବଗତ କରିଥିଲେ । ଏହି ବୈଠକରେ ବିଧାୟିକା ସୀମାରାଣୀ ନାୟକ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଶକ୍ତି ବିଭାଗର ପଦସ୍ଥ ଅଧିକାରୀ ଏବଂ ଟାଟା ପାୱାରର ଉଚ୍ଚ ପଦାଧିକାରୀମାନେ ଯୋଗ ଦେଇଥିଲେ ।

Exit mobile version