ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଯୋଜନା ଠିକ ଭାବେ କାର୍ଯ୍ୟକାରୀ କରିବାକୁ ଦାବୀ : ଆମ୍ ଆଦମୀ ପାର୍ଟି

ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) ବରଗଡ଼ :- ପୌର ପରିଷଦ ଅଂଚଳରେ ଦିନ କୁ ଦିନ ବୁଲା କୁକୁର ଓ ଗାଈ ଗୋରୁ ଙ୍କ ସଂଖ୍ୟା ବଢିବାରେ ଲାଗିଛି ଯଦ୍ୱାରା ଟ୍ରାଫିକ ସମସ୍ୟା, ଦୁର୍ଘଟଣା, କୁକୁର କାମୁଡ଼ା ନିତିଦିନିଆ ଘଟଣା ପାଲଟିଛି । ସଂଖ୍ୟା ନିୟନ୍ତ୍ରଣ ପାଇଁ କୁକୁର ବନ୍ଧ୍ୟାକରଣ ଯୋଜନା କୁ ଠିକରେ କାର୍ଯ୍ୟକାରୀ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ବୁଧବାର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନା ଙ୍କୁ ଆପ୍ ତରଫରୁ ଏକ ଦାବୀପତ୍ର ଦିଆଯାଇଛି । ସେହିପରି ବୁଲା ଗାଈ ଗୋରୁଙ୍କ ଯୋଗୁ ରାସ୍ତା ଅବରୋଧ ହେଉଥିବାରୁ କାଞ୍ଜିଆ ହୁଦା ରେ ସୁବ୍ୟବସ୍ଥା କରି ରଖିବାକୁ ଆପ୍ ଦାବୀ କରିଛି ।

ପ୍ରତ୍ୟେକ ଦିନ ବୁଲା କୁକୁର ଓ ଗାଈ ଗୋରୁ ଙ୍କ ଯୋଗୁ ଦୁର୍ଘଟଣା ହେଉଛି ତେଣୁ ଏହାକୁ ତୁରନ୍ତ ଦୃଷ୍ଟିରେ ରଖି କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଓ କାଞ୍ଜିଆହୁଦା ରେ ଗାଈ ଗୋରୁ ରଖିବାକୁ ଜିଲ୍ଲା ଆବାହକ ଭବାନୀ ସାହୁ ଦାବୀ କରିଛନ୍ତି । ସେହିପରି କୁକୁର କାମୁଡ଼ା ଜନିତ ଟୀକା ପୁରୁଣା ହସ୍ପିଟାଲରେ ଦିଆ ଯାଉନଥିବାରୁ ଲୋକଙ୍କୁ ଆଠ କିଲୋମିଟର ଦୂର ଖେଦା ପାଲି ହସ୍ପିଟାଲ କୁ ଚାରିଥର ଯିବାକୁ ପଡିଥାଏ ଯାହାକି ଗରିବ ରୋଗୀଙ୍କ ପାଇଁ ଏକ କଷ୍ଟକର କାମ ତେଣୁ ଏହି ସମସ୍ୟାର ସମାଧାନ ପାଇଁ ବନ୍ଧ୍ୟାକରଣ ଯୋଜନା ହିଁ ଏକମାତ୍ର ଉପାୟ ବୋଲି ଆପ୍ ଦାବୀ କରିଛି । ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ପାତ୍ର, ମରିୟମ ବାର୍ଲା, ଅସିତ ସାହୁ, ସୁଦାମ ସାହୁ,ମମତା ବେହେରା, ସ୍ୱାମୀ ଧ୍ୟାନ ଦୀପକ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ)

Exit mobile version