ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ନୃସିଂହ – ନାଥ ମନ୍ଦିର ପରିସରରେ ପ୍ରସିଦ୍ଧ “ମାଳତୀ ଝୁଲଣ”ଯାତ୍ରା ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡିର ପ୍ରସିଦ୍ଧ “ମାଳତୀ ଝୁଲଣ” ଯାତ୍ରା ସ୍ଥାନୀୟ କରଣସାହି ନୃସିଂହନାଥ ମନ୍ଦିର ପରିସରରେ ଆରମ୍ଭ ହୋଇଛି । ଏହି ପ୍ରସିଦ୍ଧ ଝୁଲଣ ଯାତ୍ରା ରାକ୍ଷୀପୂର୍ଣ୍ଣିମାରେ ଉଦ୍‌ଯାପୀତ ହେବ । କରଣ ସାହି ସ୍ଥିତ ଶ୍ରୀଶ୍ରୀ ଗୌଡିୟ ସଂପ୍ରଦାୟର ସାନ ରାଧାକାନ୍ତ ମଠ (ନୃସିଂହ ନାଥମଠ)ରେ ଶ୍ରାବଣ ମାସର ଶୁକ୍ଲପକ୍ଷ ଦଶମୀ ଠାରୁ ପୂର୍ଣ୍ଣିମା ଯାଏଁ ପ୍ରତ୍ୟେକ ବର୍ଷ ଏହି ଝୁଲଣ ଯାତ୍ରା ବହୁ ଜାକ ଜମକରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେସ ସମାଗମରେ ଅନୁଷ୍ଠିତ ହୋଇ ଆସୁଛି । ହେଲେ ଗତବର୍ଷ ଏବଂ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ସରକାରୀ ନୀତି ନିୟମକୁ ପାଳନ କରି ଏହି ଯାତ୍ରା ପାଳିତ ହୋଇ ଆସୁଛି ।

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ପରେ ପରେ ବର୍ଷା ଋତୁର ଆଗମନରେ ବୃନ୍ଦାବନର ଶ୍ୟାମଳ ଶୋଭାକୁ ଦେଖି ପାରି ଗୋପୀମାନଙ୍କ ମନରେ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କୁ ଝୁଲଣ ବିହାର କରାଇବା ପାଇଁ ଇଛା ଜାଗୃତ ହୋଇଥିଲା । ସେତେବେଳେ ପୂର୍ଣ୍ଣିମାସୀ ଓ ବୃନ୍ଦାଦେବୀ ବୃନ୍ଦବନକୁ ବିଭିନ୍ନ ଫଳ ଓ ପୁଷ୍ପରେ ସଜାଇ ଏହି ଝୁଲଣ ଯାତ୍ରା ଆରମ୍ଭ କରିଥିଲେ । ଏହି ଉତ୍ସବକୁ ସ୍ମରଣ କରି ବିଭିନ୍ନ ଆଚାର୍ଯ୍ୟମାନଙ୍କ ପରମ୍ପରା ଅନୁସାରେ ଶହ ଶହ ବର୍ଷ ଧରି ଏହି ଯାତ୍ରା ପାଳିତ ହୋଇ ଆସୁଛି । ଏହି ଯାତ୍ରାରେ ମାଳତୀ ଫୁଲ ଦ୍ୱାରା ଦୋଳିକୁ ସାଜସଜା କରାଯାଇ ଭଗବାନ ଶ୍ରୀରାଧାକୃଷ୍ଣଙ୍କୁ ଝୁଲଣ କୁଞ୍ଜରେ ବିଜେ କରାଇ ତାଳ, ମୃଦଙ୍ଗ, ଘଣ୍ଟ, ଶଙ୍ଖ ଧ୍ୱନିରେ ପାରମ୍ପାରିକ ନୀତିରେ ନୀତିକାନ୍ତ କରାଯାଇଥାଏ ।

ପାରଳା ସହରର କରଣ ସାହି ସ୍ଥିତ ସାନ ରାଧାକାନ୍ତ ମନ୍ଦିରରେ ଶହେ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ଯାତ୍ରା ପାଳିତ ହୋଇ ଆସୁଛି । ଶ୍ରୀରାଧାକୃଷ୍ଣ ଦୁହେଁ ଝୁଲଣରେ ବିଜେ କରାଯାଇ ପତ୍ୟେକ ଦିନ ସନ୍ଧ୍ୟାରେ ଭକ୍ତି ସଂଗୀତ, ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥାଏ । ଏହି ଉତ୍ସବକୁ ମଠର ମହନ୍ତ ମହାରାଜ ମଦନ ଗୋପାଳ ଦାସଜୀ, ବାବାଜୀ ଅଦ୍ୱେତ ଚରଣ ଦାସଜୀ, ବାବା ଶ୍ରୀମଧୂସୁଦନ ଦାସଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଅଛି । ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ପାରଳା ସହରର ଭକ୍ତ ଓ ଶ୍ରଦ୍ଧାଳୁମାନେ ବେଶ ଆକର୍ଷିତ ହେଉଥିବା ଲକ୍ଷ୍ୟ କରାଯାଇଛି । (ଗରୁଡ଼ ଧ୍ଵଜ ଚୌଧୁରୀ ) 

Exit mobile version