Home ଓଡ଼ିଶା ବଳଦେବ ଜନ୍ମ , ରାକ୍ଷା ବନ୍ଧନ ବା ଗହ୍ମା ପୂର୍ଣ୍ଣିମା by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ଓଡ଼ିଶା ହେଉଛି କୃଷି ଭିତିକ ରାଜ୍ୟ । ପୌରାଣିକ କିମ୍ବା ଐତିହାସିକ ମତବାଦରେ ପ୍ରତ୍ଯକ୍ଷ କିମ୍ବା ପରୋକ୍ଷରେ ହେଉ ପ୍ରତ୍ୟେକ ପର୍ବପର୍ବାଣି କୃଷି ଉପରେ ଆଧାରିତ ହୋଇଥିବା ନଜରରେ ଆସେ । ଯେହେତୁ ଏହିଦିନ ହଳ ମୂଷଳ ଧାରି ମହାପ୍ରଭୁ ଶ୍ରୀ ବଳଦେବ ଜନ୍ମ ଗ୍ରହଣ କରିଥିଲେ , ତେଣୁ ଓଡ଼ିଶାର ଚାଷୀ ଏହି ପର୍ବକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି । ଜ୍ଯେଷ୍ଠ ପୂର୍ଣ୍ଣିମା ଯେପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜନ୍ମଦିନ , ଶ୍ରାବଣ ପୂର୍ଣ୍ଣିମା ସେହିପରି ଶ୍ରୀବଳଭଦ୍ରଙ୍କ ଜନ୍ମଦିନ । ଏହି ଦିନ ମାର୍କଣ୍ଡେଶ୍ବର ପୁଷ୍କରିଣୀର ଜନ୍ମବେଦିରେ ତାଙ୍କର ମାଟି ତିଆରି ଶିଶୁ ମୂର୍ତ୍ତି ଗଢ଼ାଯାଇ ସ୍ବତନ୍ତ୍ର ରୀତିନୀତିରେ ଜନ୍ମୋତ୍ସବ ପାଳନ କରାଯାଏ । ସେହି ସମୟରେ ଶ୍ରୀସୁଦର୍ଶନ ସେଠାରେ ଉପସ୍ଥିତ ରହନ୍ତି । ଶ୍ରୀବଳଭଦ୍ର କୃଷିର ଦେବତା । ତାଙ୍କର ଗୋଟିଏ ଆୟୁଧ ହଳ ବା ଲଙ୍ଗଳ । ସମ୍ଭବତଃ ସେଥିପାଇଁ ଶ୍ରୀମନ୍ଦିର ବାହାରେ ଏବଂ ମାଟିର ମୂର୍ତ୍ତି ମାଧ୍ୟମରେ ଏହି ଜନ୍ମଦିନ ପାଳିତ ହୁଏ । ଶ୍ରୀମଦ୍ ଭାଗବତରେ ଲେଖାଅଛି :- ସିଂହ ପୂର୍ଣ୍ଣିମୀ ଦିନ ସାର – ରୋହିଣୀ ପ୍ରସବେ କୁମର ।। ଧବଳ ଜ୍ଯୋତି ରୂପ ପୁଣି – ଶିରେ ଶୋହ ଇ ସପ୍ତଫେଣୀ ।। ଅପୁଆ ଘରେ ପୁଅ ଜାତ – ଆନନ୍ଦ ହୋଏ ନନ୍ଦ ଚିତ୍ତ ।। ପ୍ରାଚୀନ ଓଡ଼ିଆ ଗଦ୍ୟରେ ରଚିତ “ଶ୍ରୀବଳଭଦ୍ର ଜନ୍ମକଥା”ରେ ବର୍ଣ୍ଣନା ଅଛିଯେ , ଦେବର୍ଷି ନାରଦଙ୍କ ପ୍ରଶ୍ନର ଉତ୍ତରରେ ପିତାମହ ବ୍ରହ୍ମା କହିଛନ୍ତି – ଶ୍ରାବଣ ପୂର୍ଣ୍ଣିମା ବୁଧବାର , ଶ୍ରବଣା ନକ୍ଷତ୍ରରେ ଶ୍ରୀବଳଭଦ୍ର ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ ସେ କୋଟି ସିଂହଙ୍କ ପରି ପରାକ୍ରମୀ ଓ କୋଟି ସୂର୍ଯ୍ୟଙ୍କ ପରି ତେଜସ୍ବୀ ଥିଲେ । ତେଣୁ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀୟୁ ମନ୍ଦିର ସମେତ ସାରା ଓଡ଼ିଶାରେ ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି । କୃଷ୍ଣଙ୍କ ବଡ଼ ଭାଇ ଭଗବାନ ବଳରାମ ଏହି ଦିନ ଅବତୀର୍ଣ୍ଣ ହୋଇଥିଲେ, ତେଣୁ ଏହି ଦିନଟିକୁ ବଳରାମ ଜୟନ୍ତୀ ରୂପେ ପାଳନ କରାଯାଏ । ଏହି ଦିନ ସବୁ ପାଳିତ ପଶୁ ଗାଈ, ଗୋରୁ ଆଦିଙ୍କୁ ସଜାଯାଏ ଏବଂ ପୂଜା କରାଯାଏ । ବିଭିନ୍ନ ପ୍ରକାରର ପିଠା ଓ ମିଠା ତିଆରି କରାଯାଏ ଏବଂ ପରିବାର, ବନ୍ଧୁ ବାନ୍ଧବମାନଙ୍କ ମଧ୍ୟରେ ବଣ୍ଟାଯାଏ । ଶ୍ରାବଣ ମାସରେ ଶୁକ୍ଳ ପକ୍ଷ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ୭ଦିନ ଏହି ଝୁଲଣ ଯାତ୍ରା ପର୍ବ ପାଳନ କରାଯାଏ । ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳି ଖେଳି ଆନନ୍ଦ ନେଇଥାନ୍ତି । ରାଧା କୃଷ୍ଣଙ୍କୁ ଝୁଲଣରେ ସଜାଯାଇ ଦୋଳି ଖେଳା ଯାଇଥାଏ । ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ଓ ଏହା ଦକ୍ଷିଣ ଏସିଆରେ ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିବା ସହିତ , ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥିବାର ପରମ୍ପରା ରହିଛି । ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ତେବେ ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ । ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ । ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ । ଗୁଜରାଟରେ ଏହି ଦିନ ପବିତ୍ରୋପନ ମଧ୍ୟ ପାଳିତ ହୋଇଥାଏ । ଶ୍ରାବଣର ପ୍ରତି ସୋମବାର ଶିବ ମନ୍ଦିରରେ ଜଳଲାଗି ସହ ପୂର୍ଣ୍ଣମୀରେ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହେଇଥାଏ । ଉତ୍ତର ଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା । ଭଲ ଫସଲ ଉତ୍ପାଦନ ପାଇଁ ଏହି ଦିନ ଦେବୀଙ୍କୁ ପୂଜା କରାଯାଇଥାଏ । ତେବେ ଏହା ସବୁ ସ୍ଥାନରେ ନୁହେଁ, ସ୍ଥାନୀୟ ଭାବେ ପାଳିତ ହୋଇଥାଏ । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଏହା ପାଳିତ ହେଇଥାଏ । ତେବେ ଦକ୍ଷିଣ ଭାରତରେ ଏହି ତିଥିକୁ ଅବନୀ ଅୱିଟ୍ଟମ୍ ପାଳନ କରାଯାଇଥାଏ । ଏହାକୁ ଓଡ଼ିଶାର ବ୍ରାହ୍ମଣଶାସନରେ ଶ୍ରାବଣୀ ବେଦଉପାକର୍ମ ମଧ୍ୟ କୁହାଯାଏ । ବ୍ରାହ୍ମଣମାନେ ଏହିଦିନ ପବିତ୍ର ବୁଡ଼ ପକାଇ ଶ୍ଲୋକ ଉଚ୍ଚାରଣ ସହ ଯଜ୍ଞୋପବୀତ ଧାରଣ କରିଥାନ୍ତି । ବ୍ରାହ୍ମଣଙ୍କଦ୍ୱାରା କରାଯାଉଥିବା ଉତ୍ସବକୁ ବ୍ରହ୍ମୟଜ୍ଞ ମଧ୍ୟ କୁହାଯାଏ । ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୌଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ । ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି।କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ । ଇତିହାସରେ ମଧ୍ୟ ରହିଛି ରକ୍ଷାବନ୍ଧନ । ଯଦିଓ ଏହାପଛରେ ରହିଛି ରାଜନୈତିକ ଅଭିସନ୍ଧି, ତେବେ ବି ରାକ୍ଷୀ ବାନ୍ଧିଥିବା ଭଉଣୀର ସମ୍ମାନ ରକ୍ଷା ପାଇଁ ଭାଇ ପଛଘୁଞ୍ଚା ଦେଇନାହିଁ । ପ୍ରଥମ ଘଟଣାଟି ହେଲା ଖ୍ରୀଷ୍ଟପୂର୍ବ ୩୦୦ ବର୍ଷ ତଳର । ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡାର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବା ବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହେଇଥିଲେ । ପ୍ରଥମ ଥର ପୁରୁଙ୍କଠାରୁ ଆଲେକଜାଣ୍ଡାର ପରାସ୍ତ ହେଲେ, ସେତେବେଳେ ଆଲେକଜାଣ୍ଡାରଙ୍କ ପତ୍ନୀ ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରିଥିଲେ । ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ । ଅନ୍ୟ ଘଟଣାଟି ହେଲା ରାଣୀ କର୍ଣ୍ଣାବତୀ ଓ ସମ୍ରାଟ ହୁମାୟୁନଙ୍କୁ ନେଇ । ମଧ୍ୟ ଯୁଗର ରାଜପୁତ ଯୋଦ୍ଧାମାନେ ପରାକ୍ରମୀ ଥିଲେ । ସେମାନେ କୈଣସି ଆକ୍ରମଣକାରୀ ସହ ପ୍ରାଣ ଦେଇ ଲଢୁଥିଲେ । ଏମିତି ଏକ ଯୁଦ୍ଧରେ ଚିତୋରର ରାଣୀ କର୍ଣ୍ଣାବତୀ ସ୍ୱାମୀଙ୍କୁ ହରାଇବାପରେ ଯେତେବେଳେ ଅନୁଭବ କଲେ ଯେ,ସୁଲତାନ ବାହାଦୁରଶାହାଙ୍କୁ ପ୍ରତିହତ କରାଯାଇପାରିବ ନାହିଁ, ସେତେବେଳେ ସେ ଉପାୟଟିଏ ଚିନ୍ତାକଲେ । ମୋଗଲ ସମ୍ରାଟ ହୁମାୟୁନଙ୍କ ନିକଟକୁ ଏକ ରାକ୍ଷୀ ପଠେଇ ଦେଲେ । ହୁମାୟୁନ ମଧ୍ୟ ଏହାକୁ ଭଉଣୀର ସ୍ନେହ ମନେ କରି ଚିତୋରର ସୁରକ୍ଷାପାଇଁ ତୁରନ୍ତ ତାଙ୍କର ସୈନ୍ୟବାହିନୀ ପଠେଇଦେଇଥିଲେ । ଏହି ରକ୍ଷା ବନ୍ଧନ ସବୁଜ ବିପ୍ଳବର ସୂତ୍ରଧର ସାଜିଛି । ବାୟୁମଣ୍ଡଳରେ ପ୍ରଦୂଷଣ ଏବଂ ଅମ୍ଳଜାନର ଘୋର ଅଭାବକୁ ନଜରରେ ରଖିଏବେ ଭାରତୀୟ ପରିବେଶ ପ୍ରେମୀ ମାନେ ରକ୍ଷା ବନ୍ଧନ ଦିନ ନିଜ ଆଖପାଖରେ ଥିବା ବୃକ୍ଷରେ ରାକ୍ଷୀ ବାନ୍ଧି ପୂଜା କରିଆସୁଛନ୍ତି । ଭାରତୀୟଙ୍କର ଏହି ବୃକ୍ଷ ପୂଜନକୁ ଅନେକ ରାଷ୍ଟ୍ର ସମ୍ମାନ ଦେଇ ସେମାନେ ମଧ୍ୟ ବୃକ୍ଷପୂଜନ ଆରମ୍ଭ କଲେଣି । ତେବେ ଆସନ୍ତୁ ଆମେ ବିପଦରୁ ରକ୍ଷା ନିମନ୍ତେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ଜୀବନରେ ବଞ୍ଚିବା ପାଇଁ ବୃକ୍ଷରୋପଣ ସହିତ ବୃକ୍ଷଙ୍କ ସୁରକ୍ଷା ନିମନ୍ତେ ବୃକ୍ଷରେ ରାକ୍ଷୀ ବାନ୍ଧିବା । ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା । ବନ୍ଦେ ଉତ୍କଳ ଜନନୀ (ରିପୋର୍ଟ/ ବିଭୁ ପ୍ରସାଦ ନାୟକ) Categories: ଓଡ଼ିଶା, କଟକ, ମହାନଗର, ହୋମ୍ Related Content ପଦ୍ମଶ୍ରୀ ଚଳଚ୍ଚିତ୍ର ନିର୍ମାତା ଡ. ନୀଳମାଧବ ପଣ୍ଡା କେନ୍ଦ୍ରୀୟ ଫିଲ୍ମ ପ୍ରମାଣୀକରଣ ବୋର୍ଡ (ସିବିଏଫସି)ର ସଦସ୍ୟ ନିଯୁକ୍ତ by Proprietor Abhimanyu Maharana September 17, 2026 Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC) by Proprietor Abhimanyu Maharana September 17, 2026 ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ୨୦୨୩ ରେ ଆରମ୍ଭ ହୋଇଥିବା ଏହି ବହୁସ୍ତରୀୟ ପଦକ୍ଷେପ ୫୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ସିଧାସଳଖ ଉପକୃତ କରିଛି by Proprietor Abhimanyu Maharana September 17, 2026 Vedanta Aluminium's Project Sangam Strengthens Irrigation Access in Rural Kalahandi by Proprietor Abhimanyu Maharana September 17, 2026 AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel by Proprietor Abhimanyu Maharana September 17, 2026 ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026