ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର ) ଢେଙ୍କାନାଳ :- ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କୁ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବିଦାୟୀ ଜିଲ୍ଲାପାଳ କର୍ମ ହିଁ ସଂସ୍କୃତି ବୋଲି ଅଭିହିତ କରିଥିଲେ । ଏଣୁ ପ୍ରତ୍ୟେକ କର୍ମକୁ ଟିମ୍ ସ୍ପିରିଟ ନେଇ ନିଷ୍ଠା ଓ ଖୁସିର ସହ କଲେ ସଫଳ ନିଶ୍ଚୟ ବୋଲି ମତବ୍ୟକ୍ତ କରିଥିଲେ ଏବଂ ସମସ୍ତଙ୍କ ପାଇଁ କାମ କରିବାର ମନୋବୃତ୍ତି ତାଙ୍କର ସଫଳତାର ରହସ୍ୟ ବୋଲି ପ୍ରକାଶ କରିଥିଲେ ।

ଜିଲ୍ଲାପାଳ ପ୍ରେରଣାର ଉତ୍ସ ଥିଲେ, ତାଙ୍କର ବରିଷ୍ଠ ନେତୃତ୍ୱ ଓ ଦିଗ୍ ଦର୍ଶନ ଦ୍ଵାରା ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିଛି ବୋଲିି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ କହିଥିଲେ । ଜିଲ୍ଲାପାଳଙ୍କ ଅମାୟିକ ବ୍ୟବହାର, କାର୍ଯ୍ୟଦକ୍ଷତା, ସକାରାତ୍ମକ ଚିନ୍ତାଧାରା ଯୋଗୁଁ ସେ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି ବୋଲି ବିଭାଗୀୟ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ପଦୋନ୍ନତି ପାଇ ଆୟୁଷ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି ।

ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ କେ ଶିବା ସୁବ୍ରମଣ୍ୟମ, ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରକାଶ ଚାନ୍ଦ ଯୋଗିନେନୀ, ଆଇଏସ୍ ପ୍ରୋବେସନ ଶ୍ରୀ ବିଭୁତି ଭୁଷଣ ନାୟକ, ଚନ୍ଦକା ଅଭୟାରଣ୍ୟର ଡିଏଫ୍ଓ, ସମସ୍ତ ଉପ ଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। (ରିପୋର୍ଟ୍, ଅମର ରଞ୍ଜନ ଦାସ )  ଢେଙ୍କାନାଳ ।

Exit mobile version